ଧଳସାମନ୍ତ ଟାର୍ଗେଟ୍‌ରେ ବିଧାୟକ, ଏସିପି, ଆଇଆଇସି

୫ ଜଣଙ୍କୁ ହତ୍ୟା ଯୋଜନା

କଟକ-ମହାନଦୀବିହାର : ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ଟାର୍ଗେଟରେ ରହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଏସିପି ପ୍ରମୋଦ ରଥ, ଚାଉଳିଆଗଂଜ ଥାନା ଆଇଆଇସି ଅଜୟ ଦାସ ଏବଂ ଗୀତି ମହାନ୍ତି। ଭୁବନେଶ୍ୱର ଝାରପଡା ଜେଲରେ ଥିବା ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ ଏମାନଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ବାଲିଘାଟ ନିଲାମ ଧରିଥିବା ବିଜୟ ପାଲଙ୍କୁ ହତ୍ୟା ପାଇଁ ହୋଇଥିବା ଯୋଜନାର ପର୍ଦ୍ଦାଫାସ ସହ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି। ବିଜୟ ପାଲ ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ, ସଦା ନାୟକ, ରଂଜିତା ବିଶ୍ୱାଳ ଏବଂ କୁନା ବେହେରାଙ୍କୁ ଗିରଫ କରିବା ପରେ ଏଭଳି ଷଡ଼ଯନ୍ତ୍ର ସୂଚନା ମିଳିଛି।

ରାଜନୈତିକ କାରଣରୁ ଧଳସାମନ୍ତ ଭାଇଙ୍କ ଗିରଫଦାରି ପଛରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ହାତ ଥିବା ଘଟଣାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର୍‌ ଧରିଥିଲା। ଯଦିଓ ଏହାକୁ ବିଧାୟକ ଶ୍ରୀ ସାମନ୍ତରାୟ ସଂପୂର୍ଣ୍ଣ ଖଣ୍ଡନ କରିଥିଲେ ଏବଂ କୌଣସି ପ୍ରକାର ପୂର୍ବ ସଂପର୍କକୁ ବି ଅସ୍ୱୀକାର କରିଥିଲେ, ତଥାପି ଏହାକୁ ନେଇ ଧଳସାମନ୍ତ ଭାଇଙ୍କ ପ୍ରଥମ ଟାର୍ଗେଟରେ ଏବେ ବିଧାୟକ ରହିଥିବା କୁହାଯାଉଛି।

ଅନ୍ୟପଟେ ଧଳସାମନ୍ତ ଭାଇଙ୍କୁ ଯେଉଁଭଳି ଢଙ୍ଗରେ ପୁଲିସ ଗିରଫ କରିଥିଲା, ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏସିପି ପ୍ରମୋଦ ରଥ। ଚାଉଳିଆଗଂଜ ଥାନାରେ ରହିଥିବା ଦୀପୁ, ଓମ୍‌ ହତ୍ୟା ମାମଲା ଧଳସାମନ୍ତ ଭାଇଙ୍କ ପାଇଁ ସବୁଠୁ ଅଧିକ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏଥିପାଇଁ ଥାନା ଆଇଆଇସି ଅଜୟ ଦାସ ମଧ୍ୟ ରହିଛନ୍ତି ଧଳସାମନ୍ତଙ୍କ ଟାର୍ଗେଟରେ। ଅନ୍ୟପଟେ ପୂର୍ବରୁ ସହଯୋଗୀ ଥାଇ ଏକପ୍ରକାର ରାଜସାକ୍ଷୀ ପାଲଟିଥିବା ଗୀତି ମହାନ୍ତିଙ୍କ ମଧ୍ୟ ରାସ୍ତାରୁ ହଟାଇବା ପାଇଁ ଧଳସାମନ୍ତ ଭାଇ ଯୋଜନା ପ୍ରସ୍ତୁତ କରିଥିବା ତଥ୍ୟ ସାମନାକୁ ଆସିଛି।

ସମ୍ବନ୍ଧିତ ଖବର