ଧଳସାମନ୍ତ ସହଯୋଗୀ କୁନ ସ୍ୱାଇଁ ଗିରଫ, ମାଉଜର୍‌, ପାଞ୍ଚ ରାଉଣ୍ଡ ଗୁଳି ଓ କାର୍‌ ଜବତ

କଟକ-ମହାନଦୀବିହାର : ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଜଗତପୁର ନାନକାର ଗ୍ରାମର କୁନ ସ୍ୱାଇଁ(୪୬)କୁ ଚାଉଳିଆଗଞ୍ଜ ପୁଲିସ ଗିରଫ କରିବା ସହ ତା’ ନିକଟରୁ ମାଉଜ଼ର ସହ ୫ ରାଉଣ୍ଡ୍ ଗୁଳି, ଦୁଇଟି ମୋବାଇଲ ଓ ମାରୁତି କାର୍‌ ଜବତ କରିଛି।

ସୂଚନା ଅନୁଯାୟୀ, ଗତ ୧୯ ତାରିଖ ମଧ୍ୟାହ୍ନ ସାଢ଼େ ଗୋଟାଏ ସମୟରେ କୁନ ଏବଂ ତାର ତିନି ସହଯୋଗୀ ଶିଖରପୁର ଅଞ୍ଚଳର ବ୍ୟବସାୟୀ ସୌରଭ ପ୍ରଧାନ ଓରଫ ଟଣ୍ଟୁଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ଅଫିସରେ ଟଣ୍ଟୁଙ୍କୁ ନ ପାଇବାରୁ ସେମାନେ ମ୍ୟାନେଜର ଜଗତସିଂହପୁର ବିରିଡ଼ି ଅଞ୍ଚଳର ହୃଷୀକେଶ ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ବଟି ନଦେଲେ ଟଣ୍ଟୁଙ୍କୁ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଥିଲେ। ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏସ୍‌.ଆଇ ମନେଶ୍ୱର ପ୍ରଧାନ, ଏସ୍‌.ଆଇ ନରେନ୍ଦ୍ର ପରିଡ଼ା, ଥାନା ସ୍କ୍ବାଡ୍‌ ବିଶ୍ୱଜିତ ସାମନ୍ତରାୟ, ନିଲୁ ନାୟକ ପ୍ରମୁଖ ପୁରୀ ଜିଲ୍ଲାର ରାମଚଣ୍ଡୀ ଗ୍ରାମରେ ଚଢ଼ାଉ କରି କୁନକୁ ଗିରଫ କରିଥିଲେ। ତା’ ନିକଟରୁ ପୁଲିସ ଏକ ମାଉଜର୍‌, ୫ ରାଉଣ୍ଡ୍‌ ଗୁଳି ଓ ଏକ ମାରୁତି ବଲେନୋ କାର୍‌ ଜବତ କରିଥିଲା।

କୁନ ନାମରେ ଜଗତପୁର, ଚାଉଳିଆଗଞ୍ଜ ଓ ଚୌଦ୍ୱାର ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର୍‌ ଫିକ୍ସିଂ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ୧୩ରୁ ଅଧିକ ସଙ୍ଗିନ ଅଭିଯୋଗ ରହିଛି। ସେ ଧଳସାମନ୍ତ ଭ୍ରାତାଙ୍କ ଅନ୍ୟତମ ପ୍ରମୁଖ ସହଯୋଗୀ। ଡି-ଲିଙ୍କ୍‌ରେ ଚୌଦ୍ୱାର ଜେଲରେ ଥିବା କୁନ ଜାମିନରେ ଆସି ନିଜର ସଂଗଠନ ଆରମ୍ଭ କରିଥିଲା। କୁନକୁ ଆଜି ୩୮୭, ୩୨୩, ୫୦୬, ୩୪୧ ଦଫା ତଥା ୨୫ ଓ ୨୭ ଆର୍ମସ ଆକ୍ଟ୍‌ରେ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡ୍‌ରେ ଅଣାଯାଇ ଡି ଗ୍ୟାଙ୍ଗ୍‌ ସମ୍ପର୍କରେ ଅଧିକ ଖୋଲତାଡ଼ କରାଯିବ ବୋଲି ଆଇଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।।

ଉଲ୍ଲେଖଯୋଗ୍ୟ ଯେ, ଗିରଫ କୁନ ବହୁଚର୍ଚ୍ଚିତ ସୁବା ଓ ରଙ୍ଗନାଥ ହତ୍ୟାକାଣ୍ଡରେ ସାମିଲ ଥିଲା ବୋଲି ଜଣାପଡ଼ିଛି। ୧୯୯୯ ମସିହାରେ ଜଗତପୁରରେ ଢାବା ମାଲିକ ସୁବାଙ୍କୁ ବିଚ୍‌ ରାସ୍ତାରେ ଖଣ୍ଡାରେ ହାଣି କୁନ ଏବଂ ତାର ୪ ସହଯୋଗୀ ଜୀବନ ନେଇଥିଲେ। ସେହିପରି ୨୦୧୩ ମସିହା ଜୁଲାଇ ୨୫ ତାରିଖରେ ଜଗତପୁରରେ ଥିବା ନିଜ ମଦ ଦୋକାନ ନିକଟରେ ଗ୍ୟାଙ୍ଗଷ୍ଟର ରଙ୍ଗନାଥ ସାହୁକୁ କଇଁଚିରେ ଭୁସି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର