କଟକ : ଦୀପୁ-ଓମ୍ ହତ୍ୟାକାଣ୍ତ ଓ ଦାଦାବଟି ମାଗିବା ମାମଲାରେ ସୋମବାର ଦିନ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଅଦାଲତରେ ହାଜର କରାଯାଇଛି। ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଦାଦାବଟି ମାଗିବା ଅଭିଯୋଗ ନେଇ ଚାଉଳିଆଗଞ୍ଜ ଥାନାରେ ରୁଜୁ ମାମଲାରେ ଆଜି ଡିଏସ୍ପି ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଚାଉଳିଆଗଞ୍ଜ ଥାନା ଆଇଆଇସି ଥିବା ବେଳେ ଶ୍ରୀ ଦାସ ଦେଇଥିବା ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଥିଲା।
ସୋମବାର ଦିନ ଶ୍ରୀ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଛି। ଏହି ମାମଲାରେ ତ୍ରିଲୋଚନ ସେଠୀଙ୍କର ସୋମବାର ଦିନ ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସେ ମାମଲାରେ ଜବତ ସାମଗ୍ରୀ ସଂକ୍ରାନ୍ତୀୟ ତାଲିକାରେ ସେତେବେଳେ ସାକ୍ଷୀ ଥିଲେ। ଏଥି ସହିତ ତାନ୍ତିଆ-ଭୋଲଟାସ୍ ସଂସ୍ଥାକୁ ଦାଦାବଟି ମାଗିବା ଅଭିଯୋଗ ମାମଲାରେ ଦୌରା ଅଦାଲତରେ ଆଜି ବାପି କାହାଳୀ ହାଜର ହୋଇ ସାକ୍ଷୀ ଦେଇଥିଲେ। ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଅସ୍ଥାୟୀ ଭାବେ ସୁଶୀଲକୁ ଝାରପଡ଼ା ଜେଲ୍ରେ ଓ ସୁଶାନ୍ତକୁ ଚୌଦ୍ବାର ଜେଲରେ ରଖାଯାଇଛି। ମଙ୍ଗଳବାର ଉଭୟଙ୍କୁ ପୁଣି ଅଦାଲତରେ ହାଜର କରାଯିବ।