କଟକ : ବେଆଇନ୍ ଅସ୍ତ୍ରଶସ୍ତ୍ର ମାମଲାରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ପକ୍ଷରୁ ଦାଖଲ ଡିସଚାର୍ଜ ପିଟିସନ୍ କଟକ ସଦର ଏସଡିଜେଏମ୍ ଅଦାଲତ ଖାରଜ କରିଛନ୍ତି। ତଦନ୍ତ ସମୟରେ ମିଳିଥିବା ତଥ୍ୟ ପ୍ରମାଣରୁ ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଅନୁସାରେ ମାମଲା ଗ୍ରହଣୀୟ ନୁହେଁ ବୋଲି ଧଳସମାନ୍ତଙ୍କ ପକ୍ଷରୁ ଦର୍ଶାଯାଇ ୩ଟି ମାମଲାରେ ଡିସଚାର୍ଜ ପିଟିସନ୍ ଦାଖଲ କରାଯାଇଥିଲା। ଅଦାଲତ ସମସ୍ତ ୩ଟି ଯାକ ମାମଲାରେ ଧଳସାମନ୍ତଙ୍କ ଡିସଚାର୍ଜ ପିିଟିସନ୍ ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରାଣୀହାଟ ଅଞ୍ଚଳର ସୁଲେଖ ସାହୁ ଓରଫ୍ ସୋଲାଙ୍କ ଘରୁ ୩ଟି ବନ୍ଧୁକ ସହିତ ୧୧ ରାଉଣ୍ଡ ଗୁଳି ଜବତକୁ ନେଇ ମଙ୍ଗଳାବାଗ ଥାନାରେ ରୁଜୁ ମାମଲା ଓ ଯୋବ୍ରାର ସଂଗ୍ରାମ ରାଉତରାୟଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିବା ଘଟଣାକୁ ନେଇ ଚାଉଳିଆଗଞ୍ଜ ଥାନାରେ ରୁଜୁ ମାମଲାରେ ପୁଲିସ ତଦନ୍ତ କରି ଅନ୍ୟ ଅଭିଯୁକ୍ତଙ୍କ ସହିତ ସୁଶାନ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଏହି ଦୁଇ ମାମଲାରେ ସୁଶାନ୍ତ ଡିସଚାର୍ଜ ପିଟିସନ୍ ଦାଖଲ କରିଥିଲେ। ସେହିପିରି ଅନ୍ୟ ଏକ ବନ୍ଧୁକ ଜବତ ମାମଲାରେ ରାମଚନ୍ଦ୍ର ଦାସ ଓ କୁନୁ ସ୍ୱାଇଁଙ୍କ ସହିତ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନା ପୁଲିସ ଚାର୍ଜସିଟ ଦାଖଲ କରିଥିଲା।
ଏହି ମାମଲାରେ ସୁଶାନ୍ତ ଓ ସୁଶୀଲ ଡିସଚାର୍ଜ ପିଟିସନ୍ ଦାଖଲ କରିଥିଲେ। ଡିସଚର୍ଜ ପିଟସନ୍ ଖାରଜ ହୋଇଥିବା ବେଳେ ନଭେମ୍ବର ୨୦ ତାରିଖ ଦିନ ଏହି ୩ଟି ମାମଲାରେ ଆର୍ମସ୍ ଆକ୍ଟର ଧାରା ୨୫-୧ବିରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ଲାଗି ଧାର୍ଯ୍ୟ କରାଯାଇଛି ବୋଲି ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ସୂଚନା ଦେଇଛନ୍ତି। ଚାର୍ଜଫ୍ରେମ୍ ପରେ ଖୁବ୍ ଶୀଘ୍ର ଏହି ୩ଟି ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/dhalasamanta.jpg)