ଧଳସାମନ୍ତଙ୍କ କଳା କାରବାର : ଦ୍ବିତୀୟ ଦିନ ଚଢ଼ଉରେ ୮ ବନ୍ଧୁକ ଜବତ

ମୋଟ ୧୬ ବନ୍ଧୁକ, ୧୦୯୫ ଗୁଳି ଜବତ
୮ ଗିରଫ, ଧଳସାମନ୍ତ ଭାଇଙ୍କୁ ରିମାଣ୍ତ୍‌ରେ ନେବ କମିସନରେଟ୍‌ ପୁଲିସ୍‌

କଟକ : ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କ ଘରେ ଚାଲିଥିବା ପୁଲିସ୍‌ ଚଢ଼ଉର ଦ୍ବିତୀୟ ଦିନରେ ବିପୁଳ ପରିମାଣର ବନ୍ଧୁକ ଗୁଳି ଜବତ ହୋଇଛି। ପ୍ରଥମ ଦିନରେ ୮ ବନ୍ଧୁକ ମିଳିଥିଲା ବେଳେ ଦ୍ବିତୀୟ ଦିନରେ ଆଉ ୮ଟି ବନ୍ଧୁକ ଠାବ ହୋଇଛି। ମୋଟ ୧୬ଟି ବନ୍ଧୁକ ମଧ୍ୟରେ ୧୩ଟି ୯ଏମ୍‌ଏମ୍‌ ପିସ୍ତଲ, ତିନୋଟି ୭.୬୫ ପିସ୍ତଲ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର ବନ୍ଧୁକର ମୋଟ ୧୦୯୫ ରାଉଣ୍ତ ଗୁଳି, ୨୪ ମାଗାଜିନ୍‌, ୧୬ଟି ମୋବାଇଲ ଫୋନ୍‌, ୪ଟି ମୋଟରସାଇକଲକୁ ପୁଲିସ୍‌ ଜବତ କରିଛି। ଏଥିସହ ଦୁଇ ଧଳସାମନ୍ତ ଭାଇଙ୍କ ଇଙ୍ଗିତରେ ବେଆଇନ୍‌ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଶେଖବଜାରର ବାବୁଆ ଓରଫ ପ୍ରକାଶ ବେହେରା, ସାଗର ଓରଫ ସାଗର ବେହେରା, ଦେଉଳସାହିର ବୁଦ୍ଧିଆ ଓରଫ ଶରତ ସେଠୀ, ପପୁ ଓରଫ ଶେଷଦେବ ଦାସ, ଜଗତସି˚ହପୁର ବାଲିକୁଦା ଥାନା ଅନ୍ତର୍ଗତ ବାଲିସାହିର ସମୀର ଓରଫ ସମୀର କୁମାର ନାୟକ, ଶିବ ଓରଫ ଶିବ ନାୟକ, ରିଙ୍କୁ ଓରଫ ରିଙ୍କୁ ସାହୁ, ନିଆଳି ପୋଖରୀଗାଁର ଛଗ ଓରଫ ବିବେକାନନ୍ଦ ସାହୁ। ବାବୁଆ, ଛଗ ଓ ସାଗର ନାମରେ ବିଭିନ୍ନ ଥାନାରେ ୩୩ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ କେସ୍‌ ରେକର୍ଡ ଯାଞ୍ଚ କରାଯାଉଥିବା ପୁଲିସ୍‌ କମିସନର ସୁଧା˚ଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜେଲ୍‌ ଭିତରୁ ରହି କିପରି ବନ୍ଧୁକ କାରବାର କରୁଛନ୍ତି ଓ ଅନ୍ୟ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇ ରଖାଯାଇଛି ଏବ˚ ଅପରାଧିକ କାର୍ଯ୍ୟକଳାପ ସ˚କ୍ରାନ୍ତରେ ଅଧିକ ତଥ୍ୟ ସ˚ଗ୍ରହ ପାଇଁ ଦୁଇ ଧଳସାମନ୍ତ ଭାଇଙ୍କୁ ରିମାଣ୍ତରେ ନିଆଯିବ ବୋଲି କମିସନର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଚୌଦ୍ବାର ବିରୂପା ବ୍ୟାରେଜ ନିକଟରେ ବେଆଇନ୍‌ ବନ୍ଧୁକ କାରବାର ହେଉଥିବା ଖବର ପାଇ ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ଏକ ଦଳ ସେଠାରେ ଚଢଉ କରିଥିଲେ। ଘଟଣାସ୍ଥଳରୁ ବାବୁଆକୁ ପୁଲିସ୍‌ ମାଡ଼ି ବସିଥିଲାବେଳେ ଅନ୍ୟତମ ସହଯୋଗୀ ପିଙ୍କୁ ଓରଫ ସଞ୍ଜୟ ପଣ୍ତା ସେଠାରୁ ଫେରାର‌୍‌ ହୋଇଯାଇଥିଲା। ବାବୁଆ ନିକଟରୁ ଦୁଇଟି ୯ଏମ୍‌ଏମ୍‌ ପିସ୍ତଲ ସହ ୫ରାଉଣ୍ତ ଗୁଳି ଜବତ କରାଯାଇଥିଲା। ଏଥିସହ ତା’ ବାଇକ୍‌ (ଓଆର‌୍‌-୦୫ଏନ୍‌-୬୦୦୨)କୁ ମଧ୍ୟ ପୁଲିସ ଜବତ କରିଥିଲା। ଦୁଇଟି ପିସ୍ତଲର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ବାବୁଆକୁ ପୁଲିସ୍‌ ନିଜ ହେପାଜତକୁ ନେଇ ବନ୍ଧୁକ କାରବାର ବିଷୟରେ ପଚାରିଥିଲା। ଜେରାବେଳେ ସେ ବୁଦ୍ଧିଆକୁ ଉକ୍ତ ବନ୍ଧୁକ ବିକ୍ରି କରିବାକୁ ସେଠାକୁ ଆସିଥିବା ସୂଚନା ଦେଇଥିଲା। ତେଣୁ ତାକୁ ଧରିବା ପାଇଁ ପୁଲିସ୍‌ ନିର୍ଦ୍ଦେଶ ମୁତାବକ ବାବୁଆ ବୁଦ୍ଧିଆକୁ ବ୍ୟାରେଜ ନିକଟକୁ ଡକାଇଥିଲା। ବୁଦ୍ଧିଆ ସେଠାରେ ପହଞ୍ଚିବା ପରେ ପୁଲିସ୍‌ ତାକୁ ମଧ୍ୟ ମାଡ଼ିବସିଥିଲା। ଉଭୟଙ୍କୁ ଜେରା କରାଯିବା ପରେ, ଗତ ୫ବର୍ଷ ଧରି ସୁଶାନ୍ତ ଓ ସୁଶିଲ ଧଳସାମନ୍ତଙ୍କ ନିର୍ଦ୍ଦେଶ ଅନୁସାରେ ବାବୁଆ ତାକୁ ବନ୍ଧୁକ ଯୋଗାଇ ଆସୁଥିବା ବୁଦ୍ଧିଆ ପୁଲିସ୍‌ ଆଗରେ ମାନିଯାଇଥିଲା। ୪ବର୍ଷ ତଳେ ଅର୍ଥାତ୍‌ ୨୦୧୬ ମସିହା ପୂର୍ବରୁ ଧଳସାମନ୍ତ ଘର କାନ୍ଥରେ ଏକ କାଠ ଫ୍ରେମ୍‌ ଭିତରେ ବିପୁଳ ବନ୍ଧୁକ ଓ ଗୁଳି ଲୁଚାଇ ରଖିଥିବା ବୁଦ୍ଧିଆ ଜଣାଇଥିଲା। ବାବୁଆ ବନ୍ଧୁକଗୁଡ଼ିକୁ ବାହାରୁ ଆଣି ଅନ୍ୟ ଅଭିଯୁକ୍ତମାନଙ୍କୁ ବିକ୍ରି କରିଥିବା ମଧ୍ୟ ପୁଲିସ୍‌ ଆଗରେ ମାନିଯାଇଥିଲା। ତେଣୁ ପୁଲିସ୍‌ ପକ୍ଷରୁ ଏକ ଦଳ ଗଠନ କରାଯାଇ ସମୀର, ଶିବ, ରିଙ୍କୁ, ସାଗର, ପପୁ ଓ ଛଗ ନିକଟରୁ ୬ଟି ଦେଶୀ ବନ୍ଧୁକ ଓ ୩୦ ରାଉଣ୍ତ ଗୁଳି ଜବତ କରାଯାଇଥିଲା।

ଏହାପରେ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ର ଆଉ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ସେକ୍ଟର-୬ସ୍ଥିତ ଧଳସାମନ୍ତଙ୍କ ଘରେ ଗତକାଲି ଚଢ଼ାଉ କରାଯାଇଥିଲା। ଦୁଇ ଗ୍ୟାଙ୍ଗଷ୍ଟର୍‌ଙ୍କ ବାପା ସରୋଜ ଧଳସାମନ୍ତଙ୍କ ଉପସ୍ଥିତିରେ ଯେଉଁ କାନ୍ଥରେ କାଠ ଫ୍ରେମ୍‌ କରାଯାଇ ବନ୍ଧୁକ ଲୁଚାଯାଇଛି ଉକ୍ତ ସ୍ଥାନକୁ ବୁଦ୍ଧିଆ ଚିହ୍ନାଇ ଦେଇଥିଲା। ଏହାକୁ ଭାଙ୍ଗିବା ପରେ ଭିତରୁ ୮ଟି ବନ୍ଧୁକ, ୧୬ ମାଗାଜିନ୍‌, ୧୦୫୫ ରାଉଣ୍ତ ଗୁଳିକୁ ସେଠାରୁ ଜବତ କରାଯାଇଥିଲା। ଏଥିସହିତ ଘରୁ ୧୧ଟି ମୋବାଇଲ୍‌ ଫୋନ୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ଅଧିକ ପଚରାଉଚରା ବେଳେ ବୁଦ୍ଧିଆ, ଧଳସାମନ୍ତ ଭାଇଙ୍କ ନିର୍ଦ୍ଦେଶକ୍ରମେ ଅନେକ ଅପରାଧୀଙ୍କ ନିକଟକୁ ବନ୍ଧୁକ ଚାଲାଣ କରିଥିବା ସ୍ବୀକାର କରିଛି ବୋଲି କମିସନର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର