ଦୀପୁ, ଓମ୍ ହତ୍ୟା ମାମଲା: ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ ଦାଦି ଗିରଫ

୭ ବର୍ଷର ଲୁଚକାଳି ଖେଳ ଶେଷ, ଲୁଚିଥିଲା ରାୟଗଡ଼ାରେ, ଦୁଇଟି ହତ୍ୟା ମାମଲାରେ ଥିଲା ଓାଣ୍ଟେଡ୍

କଟକ/ମହାନଦୀବିହାର/ରାୟଗଡ଼ା : ବହୁଚର୍ଚ୍ଚିତ ଦୀପୁ-ଓମ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ଫେରାର ଥିବା ଦିଲୁ ଓରଫ ଦାଦି ଓରଫ ପ୍ରଦୀପ ସାହୁ ଓରଫ ଦିଲ୍ଲୀପ ସାହୁ(୪୭)କୁ କଟକ କମିସନରେଟ୍ ପୁଲିସ ଗିରଫ କରିଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ଡାହାଣ ହାତ କୁହାଯାଉଥିବା ଦାଦି ଦୀର୍ଘ ୭ ବର୍ଷ ହେବ ପୁଲିସର ଗିରଫଦାରୀକୁ ଏଡ଼ାଇବାକୁ ରାୟଗଡ଼ାରେ ଲୁଚି ରହିଥିଲା। ପ୍ରଦୀପକୁ ସ୍ପେସାଲ୍ ସ୍କ୍ବାଡ୍ ଓ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।

ପୁଲିସ ପ୍ରଦୀପର ଚାଉଳିଆଗଞ୍ଜ ଥଟ୍ଟାରିସାହି ଘରୁ ଏକ ୯ ଏମଏମ୍ ପିସ୍ତଲ ଜବତ କରିଛି। ଏହାବାଦ୍ ୬ ରାଉଣ୍ଡ ୯ ଏମଏମ ଗୁଳି ଏବଂ ୩ଟି ମୋବାଇଲ୍ ଫୋନ୍ ପୁଲିସ ପ୍ରଦୀପ ନିକଟରୁ ଜବତ କରିଛି। ଦୀପୁ-ଓମ୍ ହତ୍ୟାକାଣ୍ଡ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଦୁଇଟି ପୃଥକ ମାମଲା ୨୦୧୬ରେ ରୁୁଜୁ ହୋଇଥିଲା। ଦୁଇଟି ମାମଲାରେ ପ୍ରଦୀପର ସମ୍ପୃକ୍ତି ଥିବାରୁ ସେ ଫେରାର ଥିଲା। ସେବେଠାରୁ କଟକ କମିସନରେଟ୍ ପୁଲିସ ପାଇଁ ଓାଣ୍ଟେଡ୍ ଥିବା ବେଳେ ଶେଷରେ ପୁଲିସ ତାକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ପ୍ରଦୀପକୁ ଧରିବା ପାଇଁ ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଲା ୪ ଦିନ ପୂର୍ବରୁ ଏସିପି ଅଜୟ ଦାସଙ୍କ ନେତୃତ୍ବରେ ରାୟଗଡ଼ା ଯାଇଥିଲା। ଏହି ଚଢ଼ଉରେ ମାଲଗୋଦାମ ଥାନା ଆଇଆଇସି ତୃପ୍ତିରଞ୍ଜନ ନାୟକ, ଏସଆଇ ସୁନିଲ ଯାଦବ, ସ୍କ୍ବାଡର ତୋଫାନ ବେହେରା, ପଞ୍ଚାନନ ବେହେରା, ରଜନୀକାନ୍ତ ସ୍ବାଇଁ, ଏସଆଇ ଅବିନାଶ ରାଉତ ପ୍ରମୁଖ ସାମିଲ ହୋଇଥିଲେ।

ପ୍ରଦୀପର ଗିରଫ ସମ୍ପର୍କରେ ଆଜି ଡିସିପିଙ୍କ ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଡିସିିପି ପ୍ରତୀକ ସିଂହ, ଏଡିସିପି ପ୍ରମୋର ରଥ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସାମିଲ ଥିଲେ। ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ଧଳସାମନ୍ତଙ୍କ ଘନିଷ୍ଠ ସହଯୋଗୀ ତଥା ଡାହାଣ ହାତ ଭାବେ କାର୍ଯ୍ୟ କରୁଥିଲା ଦିଲ୍ଲୀପ। ତା ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୪ଟି ମାମଲା ରହିଛି। ତାକୁ ଗିରଫ କରିବା ପୁଲିସର ବଡ଼ ସଫଳତା। ସଂଗଠିତ ଅପରାଧ ବିରୋଧରେ କମିସନେଟ୍ ପୁଲିସର ଶୂନ୍ୟ ସହନଶୀଳ ନୀତି ବଳବତ୍ତର ରହିଛି। ଏହି ମାମଲାରେ ଆହୁରି ଧଳ ସହଯୋଗୀ ପୁଲିସର ସ୍କାନରରେ ଥିବା ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ‌ଗୋଟିଏ ସମୟରେ ଧଳସାମନ୍ତ ଗ୍ୟାଙ୍ଗ ସହିତ ଏକାଠି କାମ କରୁଥିବା ଚାଉଳିଆଗଞ୍ଜ ଥଟ୍ଟାରିସାହିର ଦୀପୁ ଓରଫ ମନୋଜ କୁମାର ମଲ୍ଲିକ ଓ ମଧୁପାଟଣା କଲ୍ୟାଣୀନଗରର ଓମ୍ ଓରଫ ଓମ ପ୍ରକାଶ ସ୍ବାଇଁ ଗ୍ୟାଙ୍ଗରେ ବିବାଦ ଯୋଗୁଁ ଅଲଗା ହୋଇଯାଇଥିଲେ। ଏହି ଦୁଇ ଜଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଧଳସାମନ୍ତ ଗ୍ୟାଙ୍ଗ୍ ଷଡ଼୍‌ଯନ୍ତ୍ର କରିଥିଲେ। ଧଳସାମନ୍ତଙ୍କ ସମେତ ୧୪ ସହଯୋଗୀ ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ୨୦୧୩ ନଭେମ୍ବର ୧୨ ତାରିଖରେ ଉଭୟଙ୍କୁ ଘରୁ ଉଠାଇ ନେଇଥିଲେ। ଦୀପୁର ନିଖୋଜ ସଂକ୍ରାନ୍ତରେ ପ୍ରଥମେ ଚାଉଳିଆଗଞ୍ଜ ଥାନାରେ ଦୀପୁର ବାପା ଅଦ୍ବୈତ ମଲ୍ଲିକ ୨୦୧୬ ଜାନୁଆରି ୧୮ ତାରିଖରେ ଏତଲା ଦେଇଥିଲେ। ୨୦୧୬ ଜାନୁଆରି ୨୯ ତାରିଖରେ ଧଳସାମନ୍ତ ଭାଇ କଟକ କମିସନରେଟ୍ ପୁଲିସ ହାତରେ ଗିରଫ ହୋଇଥିଲେ। ଗିରଫ ପରେ ଦୀପୁ ଓ ଓମ୍ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏହି ଘଟଣାରେ ପ୍ରଦୀପ ଓରଫ୍‌ ହେଉଛି ଅନ୍ୟତମ ଅଭିଯୁକ୍ତ।

ସମ୍ବନ୍ଧିତ ଖବର