ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଫେରାର, ଥାନାର ଦ୍ୱାରସ୍ଥ ହେଲେ ନାବାଳିକା

ଧାମନଗର: ଧାମନଗର ଥାନା ଅନ୍ତର୍ଗତ ଖଡ଼ିପଦା ପ˚ଚାୟତର ଦକ୍ଷିଣକୋରୁଆ ଗ୍ରାମର ପ୍ରଫୁଲ୍ଲ ବାରିକ(୨୮) ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିସାରିବା ପରେ ଏବେ ନାବାଳିକା ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରଫୁଲ୍ଲ ଫେରାର ହୋଇଯାଇଛି। ସମ୍ପୃକ୍ତ ନାବାଳିକା ଗୁରୁବାର ଦିନ ଧାମନଗର ଥାନାରେ ଦ୍ବାରସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳର ନାବାଳିକା ଛାତ୍ରୀକୁ ପ୍ରଫୁଲ୍ଲ ଦୀର୍ଘ ୪ବର୍ଷ ଧରି ଭଲପାଇ ଆସୁଥିଲା। ବଡ଼ଚଣା ଠାରେ ପ୍ରଫୁଲ୍ଲ ଏକ ସେଲୁନ୍‌ ଦୋକାନ୍‌ କରିଥିବା ବେଳେ ସେଠାରେ ମଧ୍ୟ ପ୍ରଫୁଲ୍ଲଙ୍କ ଭଉଣୀ ଘର। ଏହି ସୁଯୋଗରେ ପ୍ରଫୁଲ୍ଲ ନାବାଳିକା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବ˚ ଚଳିତ ମାସ ୧୫ତାରିଖ ଦିନ ନାବାଳିକାକୁ ପ୍ରଫୁଲ୍ଲ ତାଙ୍କ ଘରକୁ ବୁଲାଇ ଆଣିବା ପାଇଁ କହିଥିଲା। ନାବାଳିକା ରାଜି ହୋଇ ତାଙ୍କ ସହିତ ଆସିଥିଲେ। ପ୍ରଥମେ ଜାରକାସ୍ଥିତ ଏକ ଲଜ୍‌ରେ କିଛି ସମୟ ରହି ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ତା’ପରେ ଉଭୟ ପ୍ରଫୁଲ୍ଲଙ୍କ ଗାଁକୁ ବାହାରିଥିଲେ। ଏହି ସମୟରେ ଯାଜପୁରରେ ନାବାଳିକାକୁ ଛାଡ଼ି ପ୍ରଫୁଲ୍ଲ ନିଜ ଘରକୁ ପଳାଇ ଆସିଥିଲା। ବାଧ୍ୟହୋଇ ନାବାଳିକା ଜଣକ ଏକ ଟେମ୍ପୋରେ ପ୍ରଫୁଲ୍ଲଙ୍କ ଘରେ ଆସି ପହଞ୍ଚିଥିଲା। ପ୍ରଫୁଲ୍ଲଙ୍କ ଘରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା।

ଏହି ଖବର ଶୁଣି ଗ୍ରାମବାସୀ ପହଞ୍ଚିବାରୁ ପ୍ରଫୁଲ୍ଲଙ୍କ ପରିବାର ଲୋକ ନାବାଳିକାକୁ ଘରେ ପୁରାଇ କବାଟ ଦେଇ ଦେଇଥିଲେ। ଦୀର୍ଘ ସମୟ ଅପେକ୍ଷା କରି ଲୋକମାନେ ସେଠାରୁ ପଳାଇ ଆସିଥିଲେ। ନାବାଳିକାକୁ ବୁଝାସୁଝା କରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲା। ଗୁରୁବାର ସକାଳେ ପ୍ରଫୁଲ୍ଲ ନାବାଳିକାକୁ ବିବାହ କରିବ ବୋଲି କହି ଯାଜପୁର ନେଇଥିଲା। ସେଠାରେ ନାବାଳିକାକୁ ଛାଡି ପ୍ରଫୁଲ୍ଲ ଚମ୍ପଟ ମାରିଥିଲା। ବାଧ୍ୟ ହୋଇ ନାବାଳିକା ପୁଣି ପ୍ରଫୁଲ୍ଲର ଘରକୁ ଆସିଥିଲା। ସେଠାରେ ପ୍ରଫୁଲ୍ଲଙ୍କର ବାପା ଭରତ ବାରିକ ଓ ତାଙ୍କର ମା’ ଏବ˚ ଭଉଣୀ ସରୋଜିନୀ ନାବାଳିକାକୁ ମାଡ଼ ମାରିଥିଲେ। ନିରୁପାୟ ହୋଇ ନାବାଳିକା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫୁଲ୍ଲ ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ଏବେ ୯ଦିନର ଏକ ଶିଶୁ ପୁତ୍ର ରହିଛି। ପ୍ରଥମ ସ୍ତ୍ରୀ ଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇଯିବା ଧାମନଗର ଅ˚ଚଳର ଏକ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର