ଧାମନଗର ଉପନିର୍ବାଚନରେ ରୋଚକ ମୋଡ଼

ଚାରି ଭାଗ ହେବ ସଂଖ୍ୟାଲଘୁ ଭୋଟ୍‌

ଭଦ୍ରକ: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନର ଫଳାଫଳକୁ ନେଇ ସେତିକି ଉତ୍କଣ୍ଠା ବଢ଼ିବାରେ ଲାଗିଛି। କେଉଁ ପ୍ରାର୍ଥୀଙ୍କ ସପକ୍ଷରେ କେତେ ଭୋଟର ନିଜର ରାୟ ରଖିବେ, ତାକୁ ନେଇ ତର୍ଜମା କରାଯାଉଛି। ମଇଦାନରେ ଥିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହିତ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନେଇ ସ୍ଥିତି ପୂରା ଗୋଳିଆ ପରିସ୍ଥିତିରେ ରହିଛି। ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯେତେ ଅଧିକ ଭୋଟ୍‌ ପାଇବେ ତାହା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି। ରାଜେନ୍ଦ୍ରଙ୍କ ଭୋଟ୍‌ ବୃଦ୍ଧିକୁ ନେଇ ବିଜେପି ଶିବିର ଅଧିକ ଉତ୍ସାହିତ ଥିବାବେଳେ ସେଥିପାଇଁ ରାଜେନ୍ଦ୍ରଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ଧାମନଗର ଉପନିର୍ବାଚନ ଫଳାଫଳ ନିର୍ଣ୍ଣୟରେ ରାଜେନ୍ଦ୍ର ଦାସଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ବେଳେ ୧୩ ହଜାର ସଂଖ୍ୟାଲଘୁ ଭୋଟର ମଧ୍ୟ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ରାଜନୈତିକ ସମୀକ୍ଷକ ମହଲ ଆକଳନ କରିଛନ୍ତି।

ଏଭଳି କଡ଼ା ମୁକାବିଲା ଭିତରେ ୧୩ ହଜାର ଭୋଟ୍‌ ବଡ଼ସଂଖ୍ୟା। ସୁତରାଂ ସଂଖ୍ୟାଲଘୁ ଭୋଟ୍‌ କାହା ପାଖକୁ କେତେ ଯିବ; ତାର ହିସାବନିକାଶ ଚାଲିଛି। କାରଣ ଚାରି ଜଣ ଯାକ ପ୍ରାର୍ଥୀ ସଂଖ୍ୟାଲଘୁ ଭୋଟରଙ୍କ ପାଖରେ ସଙ୍ଗଠନ ରଖିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ସଂଖ୍ୟାଲଘୁ ସଂପ୍ରଦାୟର ନିକଟତର ବୋଲି କହୁଥିବା ବେଳେ ସେ ନିଜେ ସେମାନଙ୍କ ଜୁଲୁସ ଶୋଭାଯାତ୍ରାରେ ସାମିଲ ହୁଅନ୍ତି। ଓକିଲାତି ଜୀବନରେ ସେ ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି। ସେହିଭଳି ରାଜେନ୍ଦ୍ରଙ୍କ ସହିତ ସଂଖ୍ୟାଲଘୁ ସଂପ୍ରଦାୟର ସମ୍ପର୍କ ବେଶ ପୁରୁଣା। ପ୍ରଚାରରେ ସେ ସବୁବେଳେ ସଂଖ୍ୟାଲଘୁ ଭୋଟରଙ୍କ ଉଦ୍ଦେଶ୍ୟରେ କିଛି ନା କିଛି କହୁଛନ୍ତି।

ତେଣୁ ତାଙ୍କ ସପକ୍ଷରେ ମଧ୍ୟ କିଛି ସଂଖ୍ୟାଲଘୁ ଭୋଟ୍‌ ଯାଇପାରେ। ବିଜେପି ମଧ୍ୟ ସଂଖ୍ୟାଲଘୁ ଭୋଟ୍‌ ହାତେଇବା ପାଇଁ ରାଜ୍ୟ ସଂଖ୍ୟାଲଘୁ ସେଲ୍‌ର ଟିମ୍‌କୁ ଏଠାରେ ପ୍ରଚାରରେ ଲଗାଇଛି। ସଂଖ୍ୟାଲଘୁ ଭୋଟରଙ୍କ ଭିତରୁ ବିଶେଷ ଭାବରେ ଯୁବବର୍ଗର ଭୋଟର ଏବେ ବିଜେପିମୁହାଁ ବୋଲି ଚର୍ଚ୍ଚା ହେଉଛି। ସଂଖ୍ୟାଲଘୁ ମହିଳାମାନଙ୍କୁ ମଧ୍ୟ ବିଜେପି ନିଜର ନିରବ ଭୋଟର ଭାବରେ ଗଣନା କରୁଛି। ଆଉ ଶାସକ ବିଜେଡି ବି ସଂଖ୍ୟାଲଘୁ ଭୋଟ୍‌କୁ ସଂପୂର୍ଣ୍ଣ ଭାବେ ହାତେଇବା ଚକ୍କରରେ ରହିଛି। ଏଥିପାଇଁ ଦଳ ପକ୍ଷରୁ ସୁଚିନ୍ତିତ ରଣକୌଶଳ କରାଯାଇଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ସଂଖ୍ୟାଲଘୁ ଭୋଟ୍‌ ଗୁରୁତ୍ବପୂର୍ଣ୍ଣ। ସଂଖ୍ୟାଲଘୁମାନଙ୍କର ଏକମାତ୍ର ପ୍ରସଙ୍ଗ ହେଉଛି ବିକାଶ। ଯିଏ ତାଙ୍କ ଅଞ୍ଚଳରେ ବିକାଶ କରିବ, ସେହି ଦଳକୁ ଭୋଟ୍‌ ଦିଆଯିବ ବୋଲି କହିଛନ୍ତି କିଛି ଭୋଟର। ତେବେ ସମୟ କହିବ ସଂଖ୍ୟାଲଘୁ ଭୋଟର୍‌ କାହା ସପକ୍ଷରେ ରାୟ ଦେଉଛନ୍ତି।

ସମ୍ବନ୍ଧିତ ଖବର