ଧାମରାରେ ହେବ ବାଣିଜ୍ୟିକ ବିମାନ ବନ୍ଦର
କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦେଶ
ଭୁବନେଶ୍ୱର: ଧାମରାଠାରେ ବାଣିଜ୍ୟିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ଶ୍ରୀନବାସ ଧାମରା ବନ୍ଦର ଏବଂ ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ। ବନ୍ଦର ବିକାଶ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଧାମରାଠାରେ ଏକ ଉଚ୍ଚମାନର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ଧାମରାଠାରେ ଏକ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିନିମନ୍ତେ ଜମି ନିର୍ଧାରଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜାମୁଝାଡି-ଧାମରା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରିବାକୁ ପୂର୍ତ ବିଭାଗଙ୍କୁ କୁହାଯାଇଥିଲା। ନିର୍ମାଣ ପୂର୍ବରୁ ଓ ନିର୍ମାଣ ସମୟରେ ଏହି ରାସ୍ତାକୁ ଗାଡି ମଟର ଯାତାୟତ ଯୋଗ୍ୟ ରଖିବା ପାଇଁ ଆବଶ୍ୟକ ମରାମତି କାର୍ଯ୍ୟ ୧୫ ଦିନ ମଧ୍ୟରେ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। ଧାମରା ବନ୍ଦର ଅଞ୍ଚଳରେ ଏକ ପୁଲିସ ଷ୍ଟେସନ ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଇତିମଧ୍ୟରେ ବନ୍ଦର କର୍ତୃପକ୍ଷଙ୍କ ସହାୟତାରେ ଧାମରାଠାରେ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ (ସି.ବି.ଏସ୍.ଇ.) ଅନୁମୋଦିତ ଏକ ଉଚ୍ଚମାନର ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଛି। ସାମାଜିକ ପ୍ରତିବଦ୍ଧତା (ସି.ଏସ୍.ଆର୍) କାର୍ଯ୍ୟକ୍ରମ ବାବଦରେ ଧାମରା ବନ୍ଦର କର୍ତୃପକ୍ଷ ଗତ ୪ବର୍ଷ ମଧ୍ୟରେ ପ୍ରାୟ ୧୯ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୯ କୋଟି ଟଙ୍କାର ବଜେଟ୍ ରହିଥିବା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ ଜଣାଇଥିଲେ। ସି.ଏସ୍.ଆର୍. ଅର୍ଥକୁ ଆବଶ୍ୟକତା ଭିତ୍ତିକ ଶିକ୍ଷା, ସ୍ୱାସ୍ଥ୍ୟ,ଭିତ୍ତିଭୂମି ବିକାଶ ଏବଂ ନତନ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି ଆଦି ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ମୁଖ୍ୟ ଶାସନ ନିର୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଧାମରା ବନ୍ଦର ନିର୍ମାଣ ଓ ବିକାଶରେ ବନ୍ଦର କଂପାନି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବନ୍ଦରରେ ୨୫ ନିୟୁତ ଟନ୍ କାର୍ଗୋ କାରବାର କ୍ଷମତା ବିଶିଷ୍ଟ ୨ଟି ଆମଦାନୀ ଓ ରପ୍ତାନୀ ବର୍ଥ କାର୍ଯ୍ୟକ୍ଷମ ରହିଛି। ୨୦୧୭-୧୮ ମସିହାରେ ଏହି ବନ୍ଦର ମାଧ୍ୟମରେ ସମୁଦାୟ ୨୧.୪୩ ନିୟୁତ ଟନ୍ର ପଦାର୍ଥ କାରବାର ହୋଇଥିଲା। ଧାମରାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୫୦୦ ଏକର ଜାଗା ଏବଂ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ୪୪୪ ଏକର ଜାଗା ଚିହ୍ନଟ କରାଯାଇଛି ବୋଲି ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଭଦ୍ରକର ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ ଜଣାଇଥିଲେ। ଧାମରା ଅଞ୍ଚଳରେ ଥିବା ସରକାରୀ ଜମିର ସୀମା ଚିହ୍ନଟ କରି ସେସବୁକୁ ଜବରଦଖଲ ମୁକ୍ତ ରଖିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଜିଲ୍ଲାପାଳ ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ।