ଧାମରା: ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି। ବାସୁଦେବପୁର-ଧାମରା ଉପକୂଳରୁ ବାଂଲାଦେଶର ଦୂରତ୍ବ ମାତ୍ର ୨୦୦ରୁ ୨୫୦ କିମି। ଜଳପଥ ଦେଇ ମାଛ ଧରିବା ବାହାନାରେ ବାଂଲାଦେଶୀ କିମ୍ବା ଅନ୍ୟ ଶତ୍ରୁରାଷ୍ଟ୍ରର ଗୁପ୍ତଚର ଏଠାକୁ ଆସିବା ସହଜ। କେବଳ ବାଂଲାଦେଶୀ ଶରଣାର୍ଥୀ ନୁହନ୍ତି, ଧାମରା ନିକଟସ୍ଥ ଅବଦୁଲ୍ କଲାମ ଦ୍ବୀପରେ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରକୁ ଶତ୍ରୁରାଷ୍ଟ୍ରର ଗୁପ୍ତଚର ଜଳପଥରେ ପହଞ୍ଚିବା କିଛି ବିଚିତ୍ର ନୁହେଁ। ଏବେ ବାଂଲାଦେଶୀଙ୍କ ଗତିବିଧିକୁ ନଜର ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବୈଠକ କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବରୁ ମଧ୍ୟ ବହୁବାର ସରକାରୀ କଟକଣା କରାଯାଇଛି। ତା’ସତ୍ତ୍ବେ ବି ଉପକୂଳର ବିଭିନ୍ନ ଅଞ୍ଚଳକୁ ବାଂଲାଦେଶୀ ଅନୁପ୍ରବେଶ କରୁଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁରର କଶିଆ ଓ ଚୂଡ଼ାମଣିଠାରୁ ଚାନ୍ଦବାଲି ବ୍ଲକର ଧାମରା ଉପକୂଳ ଅଞ୍ଚଳରେ ଶହଶହ ବାଂଲାଦେଶୀ ରହିଛନ୍ତି। ଧାମରା ଉପକୂଳର ଚନ୍ଦନୀପାଳ, ଅମରନଗର, ରବୀନ୍ଦ୍ରନଗର, କନକପ୍ରସାଦ, ଗୌରପ୍ରସାଦ, ଧାମରା, କାଳନାଳୀ, ନନ୍ଦପାଟଣା, ବିଜୟପାଟଣା, ବାସୁଦେବପୁର ବ୍ଲକର ସାନକୃଷ୍ଣପୁର, କିସମତକୃଷ୍ଣପୁର, ବିନୋବାଭାବେନଗର, ଗୋପବନ୍ଧୁନଗର, ବିଦେଇପୁର, ବାଲିମୁଣ୍ଡା ଆଦି ଅଞ୍ଚଳରେ ବାଂଲାଦେଶୀ ସରକାରୀ ଜମିରେ ଘରଦ୍ବାର କରି ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାଜ୍ୟ ଗୋଇନ୍ଦା ବିଭାଗ କିମ୍ବା ପୁଲିସ ପ୍ରଶାସନ ଏମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରୁନି। ସରକାରୀ ଭାବେ ଏମାନଙ୍କ ସଂଖ୍ୟା ହାତଗଣତି ରହିଥିବା ଜଣାପଡ଼ିଛି।

୨୦୧୧ ମସିହାରେ ଧାମରା ନିକଟସ୍ଥ ବାଲିମୁଣ୍ତାଠାରେ ୧୬୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟ ଗୋଇନ୍ଦା ବିଭାଗ ଚିହ୍ନଟ କରିଥିଲା। ସରକାରୀ ଭାବରେ ୧୧୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଅବଶିଷ୍ଟ ୪୯ ଜଣକୁଆଡ଼େ ଗଲେ ତାର ହିସାବ ପ୍ରଶାସନ ପାଖରେ ନାହିଁ। ଏଥିସହ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଭୋଟ ବ୍ୟାଙ୍କ ବଢାଇବା ପାଇଁ ସେମାନଙ୍କ ନାମରେ ରାସନକାର୍ଡ, ଭୋଟର ପରିଚୟପତ୍ର କରି ସେମାନଙ୍କୁ ଆଶ୍ରୟ ଦେଉଛନ୍ତି। ଅନ୍ୟପକ୍ଷରେ, ୨୦୧୧ ମସିହାଠାରୁ ପ୍ରତିବର୍ଷ ବାଂଲାଦେଶୀଙ୍କ ଆଗମନ ଆଶାତୀତ ଭାବରେ ବଢ଼ିଚାଲିଛି। ଧାମରା ମାଛଧରା ଜେଟି ଓ ଚନ୍ଦନୀପାଳ ଜେଟି ଦେଇ ମତ୍ସ୍ୟଜୀବୀ ଭାବେ ଆସି ଉପକୂଳ ଅଞ୍ଚଳରେ ରହି ପ୍ରଥମେ ଗାଁ ଗାଁରେ ଫେରି କରନ୍ତି। ନିଜକୁ ମୁର୍ସିଦାବାଦ ଅଧିବାସୀ କହି ସଂପର୍କ ବଢ଼ାଇ ଘର ଦ୍ବାର କରି ସ୍ଥାୟୀ ଭା‌ବେ ରହୁଛନ୍ତି। ଏବେ ବାଂଲାଦେଶରେ ଅସ୍ଥିରତା କାରଣରୁ ଉପକୂଳ ଅଞ୍ଚଳରେ ଏକ ନୂଆ ସମସ୍ୟା ଦଣ୍ଡାୟମାନ ହୋଇଛି। ଅନୁପ୍ରବେଶକାରୀଙ୍କୁ ରୋକିବାକୁ ବିଭିନ୍ନ ଫେରିଘାଟ ଓ ସମୁଦ୍ର ପଥକୁ କଡ଼ାକଡ଼ି ଯାଞ୍ଚ ନକଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ ବୋଲି କୁହାଯାଉଛି।