ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ୨୦ରୁ

ଭୁବନେଶ୍ୱର : ଆଉ ରୋଷେଇ ଗ୍ୟାସ୍‌ ପାଇଁ ଅଗ୍ରିମ ବୁକିଂ ଏବଂ ଅତିରିକ୍ତ ସିଲିଣ୍ଡର ରଖିବାର କୌଣସି ଝିନ୍‌ଝଟ୍‌ ନାହିଁ। ଲିକେଜ୍‌ ଭଳି ଦୁର୍ଘଟଣାର ମଧ୍ୟ ସମ୍ଭାବନା ନାହିଁ। କାରଣ ପାଇପ ଜରିଆରେ ପ୍ରାକୃତିକ ଗ୍ୟାସ (ପିଏନ୍‌ଜି) ଯୋଗାଣ ଏସବୁ ସମସ୍ୟା ସମାଧାନ କରିପାରିବ। ଓଡ଼ିଶାରେ ଏହି ବ୍ୟବସ୍ଥାର ପ୍ରଚଳନ ସ୍ୱରୂପ ଦୀପାବଳି ପରଦିନ ଅର୍ଥାତ୍‌ ୨୦ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରଶେଖରପୁର ନାଲ୍‌କୋ ନଗରର ୨୫୫ଟି ପରିବାରକୁ ପରିବେଶ ଅନୁକୂଳ ପିଏନଜି ଯୋଗାଣର ଶୁଭାରମ୍ଭ କରିବା ନେଇ ଗେଲ୍‌ ଇଣ୍ଡିଆ ଲିମିଟେଡ଼୍‌ର ନିର୍ଦ୍ଦେଶକ (ପ୍ରକଳ୍ପ) ଡ. ଆଶୁତୋଷ କର୍ଣ୍ଣାଟକ ପ୍ରକାଶ କରିଛନ୍ତି।

ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କର୍ଣ୍ଣାଟକ କହିଥିଲେ, ମାର୍ଚ୍ଚ ୨୦୧୮ ସୁଦ୍ଧା ନାଲ୍‌କୋ ନଗରରୁ ପିଏନ୍‌ଜି ଯୋଗାଣ କାର୍ଯ୍ୟକ୍ରମର ଆରମ୍ଭ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷ ସହର ଗ୍ୟାସ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବା ଅବସରରେ ପ୍ରକାଶ କରିଥିଲେ। ମାତ୍ର ଗେଲ୍‌ ଯୁଦ୍ଧକାଳୀନଭିତ୍ତିରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରି ଧାର୍ଯ୍ୟ ସମୟସୀମାର ପ୍ରାୟ ଛଅ ମାସ ପୂର୍ବରୁ ପ୍ରାକୃତିକ ଗ୍ୟାସ ବିତରଣ ପ୍ରକ୍ରିୟା ଆରମ୍ଭ କରିପାରିଛି। ମୋଟ ୧,୭୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ ସିଜିଡି ପ୍ରକଳ୍ପ କରାଯିବ, ଯେଉଁଥିରୁ ୪୦୦ କୋଟି ଟଙ୍କା ଆଗାମୀ ୩-୫ ବର୍ଷ ମଧ୍ୟରେ ବ୍ୟୟ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ, ପ୍ରାକୃତିକ ଗ୍ୟାସ ରାଜଧାନୀରେ ଏକ ସ୍ୱତନ୍ତ୍ର କଣ୍ଟେନର ‘କାସକେଡ୍‌ସ’ ମାଧ୍ୟମରେ ବିତରଣ କରାଯିବ ଯାହାକି ଆନ୍ଧ୍ର ପ୍ରଦେଶର ବିଜୟୱାଡା ସହରରୁ ଆସିବ। ପରେ ଏହି ପ୍ରାକୃତିକ ଗ୍ୟାସ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ (ଜେଏଚ୍‌ବିଡିପିଏଲ୍‌) ଦ୍ୱାରା ବିତରଣ ହେବ। ୨୦୧୯ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଶ୍ରୀ କର୍ଣ୍ଣାଟକ ସୂଚନା ଦେଇଥିଲେ। ଏହାସହିତ ଗେଲ୍‌ ନିକଟ ଭବିଷ୍ୟତରେ ରାଜଧାନୀର ଜୀବନ ବୀମା କଲୋନୀ ଏବଂ ମୈତ୍ରୀ ବିହାର କଲୋନିର ପ୍ରାୟ ୧୦୦୦ ଘର ଓ ପ୍ରମୁଖ ହୋଟେଲ୍‌, ହସ୍ପିଟାଲ୍‌କୁ ମଧ୍ୟ ପିଏନ୍‌ଜି ସଂଯୋଗୀକରଣ ନିମନ୍ତେ ଯୋଜନା ରଖିଥିବା ଶ୍ରୀ କର୍ଣ୍ଣାଟକ ସୂଚନା ଦେଇଥିଲେ। ଟୁଇନ୍‌ ସିଟିରେ ଯାନବାହନକୁ ଇନ୍ଧନ ଯୋଗାଇବା ନିମନ୍ତେ ୨୫ଟି ସିଏନ୍‌ଜି ଷ୍ଟେସନ୍‌ ନିର୍ମାଣ କରାଯିବ। ରାଜଧାନୀର ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି ଏବଂ ତମାଣ୍ଡୋରେ ସିଏନ୍‌ଜି ଷ୍ଟେସନ୍‌ର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଗଲାଣି ଏବଂ ଖବ୍‌ଶୀଘ୍ର ଯୋଗାଣ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ସେ ସୂଚନା ଦେଇଥିଲେ।

ଉଲ୍ଳେଖଯୋଗ୍ୟ, ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଅନ୍ତର୍ଗତ ପୂର୍ବଭାରତକୁ ସଂଯୋଗ କରିବା ଭୁବନେଶ୍ୱର ଏବଂ କଟକରେ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌ (ସିଜିଡି) ପରିଯୋଜନା ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ (ଜେଏଚ୍‌ବିଡିପିଏଲ୍‌) ଯୋଜନା ସହ ସମାନ୍ତରାଳ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ୪,୦୦୦ କୋଟି ଟଙ୍କା ବ୍ୟୟରେ ୭୬୯ କି.ମି. ପାଇପଲାଇନ୍‌ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଆଦି ୧୩ ଟି ଜିଲ୍ଲାରେ ବିଛାଯିବା ସହିତ ଶିଳ୍ପସମୃଦ୍ଧ ସହରଗୁଡିକୁ ସଂଯୋଗ କରିବ।

ସମ୍ବନ୍ଧିତ ଖବର