ଭୁବନେଶ୍ୱର ଆଖପାଖରେ ଆଉ ଏକ ବିମାନବନ୍ଦର ନିର୍ମାଣ ହେଉ : ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱର ଆଖପାଖରେ ଆଉ ଏକ ବିମାନବନ୍ଦର ନିର୍ମାଣ ପାଇଁ ସ୍ଥାନ ନିରୂପଣ ଓ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାକୁ ଆହୁରି ଆଗକୁ ନେବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିବା ସହ ରାଜ୍ୟରେ ଅନ୍ୟାନ୍ୟ ବିମାନ ଚଳାଚଳ ସମ୍ବନ୍ଧିତ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ୨୦୧୭-୧୮ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗମନାଗମନ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଏଠାରେ ଆଉ ଗୋଟିଏ ଟର୍ମିନାଲ୍‌ ତିଆରି କରିବାର ଆବଶ୍ୟକତା ରହିଛି। ସାଧାରଣ ଲୋକ ଯେପରି ବିମାନ ଯାତ୍ରା କରିପାରିବେ, ଏଥି ପାଇଁ ପ୍ରଧାନମନ୍ତ୍ରୀ ଉଡ଼ାନ୍‌ ଯୋଜନାର ପରିକଳ୍ପନା କରିଛନ୍ତି। ଏହି ଯୋଜନାରେ ଝାରସୁଗୁଡ଼ାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଉଥିବା ବେଳେ ଜୟପୁର ଓ ରାଉରକେଲା ବିମାନ ବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ। ଝାରସୁଗୁଡ଼ାରେ କାର୍ଯ୍ୟକ୍ଷମ ହେଉଥିବା ବିମାନବନ୍ଦରର ରନ୍‌େଓ୍ଵକୁ ସମ୍ପ୍ରସାରିତ କରି ବଡ଼ ଉଡ଼ାଜାହାଜ ଓହ୍ଲାଇବାକୁ ସୁଯୋଗ ସୃଷ୍ଟି କରାଯାଉ। ପୂର୍ବ ଭାରତର ବିଭିନ୍ନ ସହର ମଧ୍ୟରେ ଆକାଶ ମାର୍ଗରେ ସଂଯୋଗ ସ୍ଥାପନ ଏହି ରାଜ୍ୟଗୁଡ଼ିକର ଆର୍ଥିକ ବିକାଶ ପାଇଁ ଗୁରୁତ୍ୱ ବହନ କରୁଛି। ଭୁବନେଶ୍ୱର, ଝାରସୁଗୁଡ଼ା, ରାଞ୍ଚି, ରାୟପୁର, କୋଲକାତା ଓ ବିଶାଖପାଟଣା ମଧ୍ୟରେ ବିମାନ ଯୋଗାଯୋଗ ପାଇଁ ଗତ ମାସରେ ଏୟାର ଇଣ୍ଡିଆ ସିଏମ୍‌ଡିଙ୍କ ସହ ଆଲୋଚନା ପ୍ରସଙ୍ଗ ଉଲ୍ଲେଖ କରି ଏ ସମ୍ବନ୍ଧୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଆହୁରି ଲେଖିଛନ୍ତି, ଅନୁଗୁଳରେ ଥିବା ବେସରକାରୀ ଏୟାରଷ୍ଟ୍ରିପ୍‌କୁ ଉଡ଼ାନ୍‌-୨ରେ ସାମିଲ୍‌ କରି ଯାତ୍ରୀ ପରିବହନ ନିମନ୍ତେ ସୀମିତ ବ୍ୟବହାର କରାଯାଉ। ମୟୂରଭଞ୍ଜ ଜିଲ୍ଲାର ଅରମଡ଼ା ଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଖରାପ ସ୍ଥିତିରେ ଥିବା ବିମାନବନ୍ଦରକୁ ପୁନଃନିର୍ମାଣ କରି କୋଲକାତା ବିମାନବନ୍ଦରର ନିକଟତମ ବିମାନବନ୍ଦର ଭାବେ ବ୍ୟବହାର କରିବା ସହ ଏହାକୁ କୋଲକାତା ବିମାନବନ୍ଦର ପାଇଁ ଟ୍ରାଫିକ୍‌ କାରଣରୁ ରହଣି ଓ ମରାମତି କେନ୍ଦ୍ର ଭାବେ ବିକଶିତ କରାଯାଇପାରିବ। ଭୁବନେଶ୍ୱର ଆଖାପାଖରେ ବିମାନ ଶିଳ୍ପପୁଞ୍ଜ ପାଇଁ ସୁଯୋଗ ରହିଛି। ଆଗାମୀ ୨/୩ ବର୍ଷ ଭିତରେ ଦେଶକୁ ୮୦୦ରୁ ୯୦୦ ନୂଆ ବିମାନ ଆସୁଛି। ଓଡ଼ିଶା ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କର ଏକ ପେଣ୍ଠ ଭାବେ ବିକଶିତ ହେବ। ଏହା ବିମାନ ଶିଳ୍ପପୁଞ୍ଜର ଆନୁଷଙ୍ଗିକ କ୍ଷେତ୍ର ଯଥା ରକ୍ଷଣାବେକ୍ଷଣ, ମରାମତି, ଏୟାରଲାଇନ୍‌ ଦକ୍ଷତା ବିକାଶ କେନ୍ଦ୍ର, ରୋଷେଇ ସେବା ଆଦି ବିକାଶର ସମ୍ଭାବନାକୁ ଗୁରୁତର ସହ ନେଇ ସେହି ଅନୁସାରେ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର