ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ: ବିଜ୍ଞପ୍ତି ନ ହେଉଣୁ ସବୁଦଳର ଅଙ୍କକଷା

ଅନୁକମ୍ପା ବନାମ ସମ୍ମାନକୁ ନେଇ ଚର୍ଚ୍ଚା

ଭଦ୍ରକ : ବିଜେପି ଦଳର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ବିଧାନସଭା ଆସନ ଖାଲି ହୋଇଛି। ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଭଦ୍ରକ ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ରରୁ ୪ଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ଧାମନଗର ଆସନରୁ ବିଷ୍ଣୁ ବିଜୟୀ ହୋଇ ବିଜେପିର ସମ୍ମାନ ରକ୍ଷା କରିଥିଲେ। ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇ ବିଷ୍ଣୁ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କର ଏହି ବିଜୟ ପରେ ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା ପଦ ମିଳିଥିଲା। ସେବେଠାରୁ ରାଜ୍ୟ ରାଜନୀତି‌ରେ ବିଷ୍ଣୁଙ୍କର ଏକ ସ୍ବତନ୍ତ୍ର ପତିଆରା ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ, ବିଷ୍ଣୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୁଡ୍‌ବୁକ୍‌ରେ ରହିଥିଲେ। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ସରକାରଙ୍କୁ ଘାଇଲା କରୁଥିଲେ। ସେଥିପାଇଁ କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସ୍‌ରେ ମଧ୍ୟ ବିଷ୍ଣୁ ରହିଥିଲେ। ନିକଟରେ ବିଷ୍ଣୁଙ୍କର ଅକାଳ ବିୟୋଗ ହୋଇଛି। ଏକାଦଶାହ କ୍ରିୟା ଶେଷ ନ ହେଉଣୁ କିମ୍ବା ବିଜ୍ଞପ୍ତି ପ୍ରକାଶ ନ ହେଉଣୁ, ଧାମନଗର ଉପନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ଶାସକ ବିଜେଡି ପକ୍ଷରୁ ଉପନିର୍ବାଚନରେ କାହାକୁ ପ୍ର‌ାର୍ଥୀ କରାଯିବ ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।

୨୦୧୯ ସାଧାରଣ ନିର୍ବାଚନବେଳେ ବିଷ୍ଣୁଙ୍କୁ ଜିତାଇବାରେ ବିଜେଡିର ଗୋଟିଏ ଗୋଷ୍ଠୀଙ୍କର ସହଯୋଗ ରହିଥିଲା। ବିଷ୍ଣୁ ମଧ୍ୟ ଏ କଥାକୁ ଅନେକଥର ଗଣମାଧ୍ୟମରେ ଦୋହରାଇଥିଲେ। ବିଷ୍ଣୁଙ୍କ ଅବର୍ତ୍ତମାନରେ ତାଙ୍କର ହଜାର ହଜାର କର୍ମୀ ତାଙ୍କୁ ଏବେ ଝୁରୁଛନ୍ତି। ଆଗାମୀ ଉପନିର୍ବାଚନରେ ବିଷ୍ଣୁଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀଙ୍କୁ ଦଳୀୟ ପ୍ରାର୍ଥୀ କରି ସମବେଦନା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ। ଯେଉଁଥି ପାଇଁ ତିହିଡିରେ ଆସନ୍ତା ୩୦ ତାରିଖରେ ବିଷ୍ଣୁଙ୍କର ଏକାଦଶାହ ସ୍ମୃତିସଭାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଭଳି ହେବିୱେଟ୍‌ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଏକାଦଶାହ ସ୍ମୃତିସଭା ମାଧ୍ୟମରେ ବିଜେପି ଉପନିର୍ବାଚନ ପାଇଁ ଦଳୀୟ ନିର୍ବାଚନର ବିଗୁଲ ବଜାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା‌ ହେଉଛି। ଧାମନଗରରେ ବିଜେପିର ଗୋଷ୍ଠୀ କନ୍ଦଳ ସେତେଟା ନଥିବା ବେଳେ ବିଷ୍ଣୁଙ୍କ ବିୟୋଗ ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରତି ଅନୁକମ୍ପା ଦେଖାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂରଜ ୨୦୧୯ ସାଧାରଣ ନିର୍ବାଚନ ବେଳେ ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ପାଇଁ ସଂଗଠନ ଦାୟିତ୍ବ ଓ ନିର୍ବାଚନ ପରିଚାଳନା ଦାୟିତ୍ବ ତୁଲାଇଥିଲେ। ସୂରଜ ମଧ୍ୟ ବିଜେପି ‌ଯୁବମୋର୍ଚ୍ଚାର ସୋସିଆଲ ମିଡିଆ ସଂଯୋଜକ ରହିଛନ୍ତି। ଅନ୍ୟପକ୍ଷରେ ବିଜେଡି ବିଷ୍ଣୁଙ୍କ ପୁତ୍ର ସୂରଜଙ୍କୁ ଦଳକୁ ଆଣି ପ୍ରାର୍ଥୀ କରି ଉପନିର୍ବାଚନ ବୈତରଣୀ ପାର ହେବାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ସେହିପରି ଉପନିର୍ବାଚନମାନଙ୍କରେ ଶାସକ ଦଳ ଜିତିବା ପାଇଁ କରୁଥିବା ଅତ୍ୟନ୍ତ ସଫଳ ରଣକୌଶଳ କରି ଆସୁଥିବାରୁ ବିଜେପି କିପରି ମୁକାବିଲା କରିବ ତାକୁ ନେଇ ଉତ୍ସୁକତା ବଢ଼ିଛି।

The New Indian Express

ଧାମନଗର ଆସନ ୨୦୦୯ ମସିହା ପୂର୍ବରୁ ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏଠାରୁ ୧୯୫୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭ ଓ ୧୯୬୧ରେ କଂଗ୍ରେସରୁ ମୁରଲୀଧର ଜେନା ଏଠାରୁ ଲଗାତର ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୬୭ରେ ଶ୍ରୀମତୀ ଦେଇ ଜନକଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ ହୃଦାନନ୍ଦ ମଲ୍ଲିକ ଲଗାତାର ଦୁଇଥର ଉତ୍କଳ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ। ୧୯୭୭ରେ ପୁଣି ହୃଦାନନ୍ଦ ମଲ୍ଲିକ ଜନତା ପାର୍ଟିରୁ ବିଧାୟକ ହୋଇଥିଲେ। ପରେ ୧୯୮୦ ଓ ୧୯୮୫ରେ ଜଗନ୍ନାଥ ରାଉତ ଲଗାତର କଂଗ୍ରେସରୁ ଦୁଇଥର ବିଧାୟକ ହୋଇଥିଲେ। ୧୯୯୦ରେ ଜନତା ଦଳରୁ ହୃଦାନନ୍ଦ ମଲ୍ଲିକ ବିଧାୟକ ହୋଇଥିଲେ।

ହୃଦାନନ୍ଦଙ୍କ ବିୟୋଗ ପରେ ୧୯୯୦ ଉପନିର୍ବାଚନରେ ତାଙ୍କ ପୁତ୍ର ମାନସ ମଲ୍ଲିକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ଜଗନ୍ନାଥ ରାଉତ କଂଗ୍ରେସରୁ ବିଧାୟକ ହୋଇଥିଲେ। ୨୦୦୦ ନିର୍ବାଚନରେ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ମାନସ ମଲ୍ଲିକ ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ବେଳେ ବିଜେପି ନେତା ମନମୋହନ ସାମଲ ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୯ରେ ଅନୁସୂଚିତ ଜାତିବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବାରୁ ଏଠାରୁ ବିଜେଡିରୁ ରାଜେନ୍ଦ୍ର ଦାସ, ୨୦୧୪ରେ ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୯ରେ ବିଷ୍ଣୁ ସେଠୀ ବିଜେପିରୁ ବିଧାୟକ ହୋଇଥିଲେ। ୧୯୯୫ ପରଠାରୁ ଏହି ଆସନରୁ କଂଗ୍ରେସ ଆଉ ବିଜୟୀ ହୋଇନଥିବା ବେଳେ ଏବେ କଂଗ୍ରେସ ଆଗାମୀ ଉପନିର୍ବାଚନ ପାଇଁ କାହାକୁ ଏଠାରୁ ପ୍ରାର୍ଥୀ କରିବ ତାକୁ ନେଇ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି। ବିଜେଡି କିଭଳି ଏହି ଆସନଟିକୁ ନିଜ ଦଖଲକୁ ଆଣିବ ସେଥିପାଇଁ ଅଙ୍କକଷା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର