ଭଦ୍ରକ : ନଭେମ୍ବର ୩ରେ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ୩ ତାରିଖରୁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଇତିମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସେପଟେ ଉପନିର୍ବାଚନ ଲାଗି ବିଜ୍ଞିପ୍ତି ପ୍ରକାଶ ପାଇବା ପରେ ଧାମନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ହସ୍ତଗତ ସୂଚନା ଅନୁସାରେ, ଦଳୀୟ ପ୍ରାର୍ଥୀ ପାଇଁ ବିଜେପିକୁ ଛାଡ଼ିଦେଲେ ବିଜେଡି ଓ କଂଗ୍ରେସରୁ ଏକାଧିକ ଆଶାୟୀ ରହିଛନ୍ତି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରି ବିଜେପି ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପାଥେୟ କରି ନିର୍ବାଚନ ପାର୍ ହେବାକୁ ଯୋଜନା କରିଛି। ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଦଳୀୟ ରଣନୀତି ଓ ପ୍ରାର୍ଥୀ ଚୟନ ସଂପର୍କରେ ଆଲୋଚନା ପାଇଁ ଗତକାଲି ନେତା ଓ କର୍ମୀମାନଙ୍କର ଏକ ବୈଠକ ଡାକିଥିଲେ। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି। ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ ବିଜେପି ସୂରଜ ସୂର୍ଯ୍ୟବଂଶୀଙ୍କ ନାମ ଘୋଷଣା କରିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
ଦଳୀୟ ଟିକଟ ପାଇଁ ୩ ଦଳର କସରତ
ବିଜେପିରୁ ସୂରଜ ସୂର୍ଯ୍ୟବଂଶୀ
ବିଜେଡି ଓ କଂଗ୍ରେସରୁ ଏକାଧିକ ଆଶାୟୀ
ସେହିପରି ଗତକାଲି ଯାଜପୁରଠାରେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲା ବିଜେଡିର କିଛି ବରିଷ୍ଠ ନେତା ଓ ଧାମନଗର ନିର୍ବାଚନମଣ୍ଡଳୀର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ନିର୍ବାଚନ ପରିଚାଳନା ଓ ଦଳୀୟ ପ୍ରାର୍ଥୀ ଚୟନ ସଂପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉପନିର୍ବାଚନରେ ଦଳର ବିଜୟଧାରାକୁ ଅବ୍ୟାହତ ରଖିବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ଧାମନଗର ନିର୍ବାଚନମଣ୍ଡଳୀର ୪ ଜିଲ୍ଲା ପରିଷଦ ଜୋନ୍ର ବିଭିନ୍ନ ନେତାଙ୍କୁ ନିର୍ବାଚନ ପରିଚାଳନା ଲାଗି ଦାୟିତ୍ବ ଆବଣ୍ଟନ କରାଯାଇଛି। କିନ୍ତୁ, ପ୍ରାର୍ଥୀ ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ଏକାଧିକ ଆଶାୟୀ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମତାମତ ନିଆଯାଇଛି। କାହାକୁ ପ୍ରାର୍ଥୀ କଲେ ନିର୍ବାଚନରେ ବିଜୟ ହେବ, ସେ ସଂପର୍କରେ ଦଳର ଶୀର୍ଷ ନେତୃତ୍ବ ବିଚାରବିମର୍ଶ କରୁଛନ୍ତି। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ ଓ ନବାଗତ ଡ.ସଞ୍ଜୟ ଦାସଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ରାଜୁ ଓ ମୁକ୍ତିଙ୍କ ମଧ୍ୟରୁ କାହାକୁ ଦଳୀୟ ପ୍ରାର୍ଥୀ କରାଗଲେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାର ଆଶଙ୍କା ରହିଛି। ଏ ଦୃଷ୍ଟିରୁ ସଞ୍ଜୟଙ୍କ ପ୍ରାର୍ଥିତ୍ବକୁ ନେଇ ଅଧିକ ଚର୍ଚ୍ଚା ହେଉଥିବାବେଳେ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ଆଜି ମଧ୍ୟ ବିଜେଡ଼ିର କିଛି ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମଧ୍ୟରେ ବୈଠକ ହୋଇଛି।
କଂଗ୍ରେସ ମଧ୍ୟ ଏହି ଉପନିର୍ବାଚନ ପାଇଁ ଜୋରଦାର ଲଢ଼େଇ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି। ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଅନନ୍ତଙ୍କ ଝିଅ ମଧୁମିତା ସେଠୀ, ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଆଇନଜୀବୀ ବାବା ହରେକୃଷ୍ଣ ସେଠୀ, ବିଦ୍ୟାଧର ଜେନା, ଇଂ. ରଞ୍ଜନ ବେହେରାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। କଂଗ୍ରେସର ଏକ ୪ଜଣିଆ ପ୍ରତିନିଧିଙ୍କୁ ପ୍ରାର୍ଥୀ ଚୟନ ଦାୟିତ୍ଵ ଦିଆଯାଇଛି। ଏହି ଟିମ୍ ଦଳୀୟ ହାଇକମାଣ୍ଡଙ୍କୁ ଯାହା ରିପୋର୍ଟ ଦେବେ, ସେହି ଆଧାରରେ କଂଗ୍ରେସର ପ୍ରାର୍ଥୀ ଚୟନ ହେବ ବୋଲି କୁହାଯାଉଛି।