ଧାମନଗର ଉପନିର୍ବାଚନ: ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତ ଓ ସଂଖ୍ୟାଲଘୁ ଭୋଟର୍‌

ଭଦ୍ରକ : ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତିକି ଜମୁଛି। ଉପନିର୍ବାଚନରେ ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ବି ଆରମ୍ଭ ହୋଇଯାଇଛି। ତିହିଡ଼ି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନ୍‌ଏସିରେ ସଂଖ୍ୟାଲଘୁ ଭୋଟରଙ୍କ ଉପରେ ଏବେ ସମସ୍ତଙ୍କର ନଜର। ବିଶେଷକରି, ତିହିଡ଼ି ବ୍ଲକର କାଁପଡ଼ା, କୁବେରା, ତଳଗୋପବିନ୍ଧା, ବାରୋ, ବିଲଣା, ବୋଡ଼କ, ଶ୍ୟାମସୁନ୍ଦରପୁର ଅଚକ, ଗୁଆମାଳ, ତାଳପଦା, ଦୋଳସାହି, ନୟାନନ୍ଦ, ପାଳିଆବିନ୍ଧା ଆଦି ୧୩ଟି ପଞ୍ଚାୟତ ଓ ସଂଖ୍ୟାଲଘୁ ଭୋଟର୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ସେ ଦୃଷ୍ଟିରୁ ସବୁଦଳ ଏହାଉପରେ ଗୁରୁତ୍ବ ଦେଉଛନ୍ତି।

ତିହିଡ଼ି ବ୍ଲକର ୭ ନମ୍ବର ଜୋନ୍‌ରେ ରହିଛି କାଁପଡା ପଞ୍ଚାୟତ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କର ଏହା ହେଉଛି ନିଜ ପଞ୍ଚାୟତ। ଗତ ପଞ୍ଚାୟତ ନିର୍ବାଚନରେ କାଁପଡା ପଞ୍ଚାୟତରୁ ବିଜେଡି ୨୭ ଶହ ୬୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଥିଲା ୧୨ ଶହ ୯୮ ଖଣ୍ଡ ଭୋଟ୍‌। ବିଜେଡି ଓ ବିଜେପି ମଧ୍ୟରେ ଏଠାରେ ଭୋଟ୍‌ ବ୍ୟବଧାନ ଥିଲା ୧୪ ଶହ। କିନ୍ତୁ ବିଜେଡିର ବିଦ୍ରୋହୀ ନେତା ରାଜେନ୍ଦ୍ର ସ୍ବାଧୀନ ପ୍ରାର୍ଥୀ ହେବା ପରେ ଭୋଟ୍‌ ବିଭାଜନ ହେବା ନିଶ୍ଚିତ। ନିଜ ଗାଁ ମାଟିରୁ ରାଜେନ୍ଦ୍ର ଅଧିକ ଭୋଟ୍‌ ପାଇବାକୁ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ଚେକ୍ ଦେବା ପାଇଁ ବିଜେଡି ମଧ୍ୟ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି। ସେହିପରି କୁବେରା ପଞ୍ଚାୟତରେ ବିଜେଡି ୨୪ ଶହ ୪୫ ଭୋଟ ପାଇଥିବାବେଳେ ବିଜେପି ୨୨ ଶହ ୮୮ ଖଣ୍ଡ ଭୋଟ ପାଇଥିଲା। କୁବେରା ପଞ୍ଚାୟତ ଉପରେ ରାଜେନ୍ଦ୍ର ଅଧିକ ଭରସା କରିଥିବା ବେଳେ ଅବନ୍ତୀ ମଧ୍ୟ ଏହି ପଞ୍ଚାୟତ ଉପରେ ନଜର ପକାଇଛନ୍ତି। ତଳଗୋପବିନ୍ଧା ପଞ୍ଚାୟତରେ ବିଜେଡି ୧୧ ଶହ ୧୮ ଭୋଟ୍‌ ପାଇଥିବା ବେଳେ ବିଜେପି ୧୧ ଶହ ୮୬, ବାରୋ ପଞ୍ଚାୟତରେ ବିଜେଡି ୨୭ ଶହ ୯୬ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଥିଲା ୧୧ ଶହ ୧୫ ଭୋଟ୍‌। ଏଠାରେ ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ। ବିଲଣା ପଞ୍ଚାୟତରେ ବିଜେଡି ୧୬ ଶହ ୮୦, ବିଜେପି ୧୩ ଶହ ୧୬, ବୋଡକ ପଞ୍ଚାୟତରେ ବିଜେଡି ୨୭ ଶହ ୯୬, ବିଜେପି ୨୧ ଶହ ୧୬ ଭୋଟ୍‌, ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେଡି ୨୧ ଶହ ୯୦ ଭୋଟ୍‌ ପାଇଥିବା ବେଳେ ବିଜେପି ୧୯୫୮ ଭୋଟ୍‌ ପାଇଥିଲା।

ସେପଟେ ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଅବନ୍ତୀ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ମଧ୍ୟରେ କଡ଼ା ଟକ୍କର୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଜୋନ୍‌ର ଅଚକ ପଞ୍ଚାୟତରେ ବିଜେଡି ୨୬ ଶହ ୮୬ ଭୋଟ୍‌ ପାଇଥିବା ବେଳେ ବିଜେପି ୨୬ ଶହ ୧୯ ଭୋଟ୍‌ ପାଇଥିଲା। ଗୁଆମାଳ ପଞ୍ଚାୟତରେ ବିଜେଡି ୨୪ ଶହ ୫୬ ଓ ବିଜେପି ୨୨ ଶହ ୬୬ ଭୋଟ୍‌ ପାଇଥିଲା। ଏହି ପଞ୍ଚାୟତରେ ନିଜ ଭୋଟ୍‌ ବାନ୍ଧି ରଖିବା ପାଇଁ ଉଭୟ ବିଜେଡି ଓ ବିଜେପି ଯୋଜନା ପ୍ରସ୍ତୁତ କରୁଛନ୍ତି। ତାଳପଦା ପଞ୍ଚାୟତରେ ବିଜେଡି ୧୩ ଶହ ୪୫, ବିଜେପି ୭ ଶହ ୮୬, ଦୋଳସାହି ପଞ୍ଚାୟତରେ ବିଜେଡି ୨୨ ଶହ ୭୩, ବିଜେପି ୧୮ ଶହ ୬୯, ନୟାନନ୍ଦ ପଞ୍ଚାୟତରେ ବିଜେଡି ୧୦୪୩, ବିଜେପି ୧୦୩୯, ପାଳିଆବିନ୍ଧା ପଞ୍ଚାୟତରେ ବିଜେଡି ୨୩ ଶହ ୩୧ ଓ ବିଜେପି ୧୯୫୧ ଖଣ୍ଡ ଭୋଟ୍‌ ପାଇଥିଲା। ଏହି ୧୩ଟି ପଞ୍ଚାୟତରେ ବିଜେଡି ୨୭ ହଜାର ୮୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୦ ହଜାର ୮୧୫ ଭୋଟ ପାଇଥିଲା। ୭ ହଜାର ଭୋଟ୍‌ରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଆଗୁଆ ଥିଲା। ଉପନିର୍ବାଚନରେ ଏଠାରୁ ରାଜେନ୍ଦ୍ର କେତେ ଭୋଟ୍‌ ହାତେଇବେ ତାକୁ ନେଇ ହିସାବନିକାଶ ଚାଲିଛି। ରାଜେନ୍ଦ୍ର ଏଠାରୁ ଅଧିକ ଭୋଟ ନେଲେ ବିଜେଡି ପାଇଁ ସମସ୍ୟା ହୋଇପାରେ। ତେଣୁ ଏହି ୧୩ଟି ପଞ୍ଚାୟତ ଉପରେ ବିଜେଡି, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କ ସମର୍ଥକମାନେ ପ୍ରଚାର ଜୋରଦାର କରୁଛନ୍ତି।

ଧାମନଗର ବ୍ଲକ୍‌ ଓ ଏନ୍‌ଏସିରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ୨୫ ହଜାର ରହିଥିବା ବେଳେ ଏନ୍‌ଏସିରେ ଥିବା ୧୧ଟି ୱାର୍ଡରେ ପ୍ରାୟ ୧୫ ହଜାର ଭୋଟର୍‌ ରହିଛନ୍ତି। ଧାମନଗର ବ୍ଲକର ଗୁଡୁପୋଖରୀ, ପିତେଇପୁର, ପନ୍ଦରବାଟିଆ, ବୟାଙ୍ଗଡିହି, ଜାଫରପୁର ଆଦି ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସଂଖ୍ୟାଲଘୁ ଭୋଟର ରହିଥିବାରୁ ଏମାନଙ୍କ ଉପରେ ସବୁ ରାଜନୈତିକ ଦଳ ନଜର ପକାଇଛନ୍ତି। ଉପନିର୍ବାଚନରେ ଏହି ୧୩ଟି ପଞ୍ଚାୟତ ଓ ଧାମନଗରର ସଂଖ୍ୟାଲଘୁ ଭୋଟର୍‌ ବିଜୟୀ ପ୍ରାର୍ଥୀଙ୍କ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର