ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ: ୬ରେ ଭୋଟଗଣତି

ଭୁବନେଶ୍ବର: ଆଗାମୀ ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏନେଇ ଭାରତର ନିର୍ବାଚନ କମିସନଙ୍କ ସଚିବ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ।  ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୬ ତାରିଖରେ ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ହେବ ଏବଂ ସେହି ଦିନ ଫଳାଫଳ ଘୋଷଣା କରାଯିବ ବୋଲି ଜଣାଯାଇଛି। ଏହି ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୮ ତାରିଖରେ ଶେଷ ହେବ। ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ। ବିଜେପି  ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

ପୂର୍ବରୁ ରାଜ୍ୟ ବିଧାନସଭାର ଭଦ୍ରକ ଜିଲ୍ଲାର ୪୬-ଧାମନଗର (ଏସ୍‌ସି) ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ବିଧାନସଭାରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭାର ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ତଥା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟ୍‌ର ଅସାଧାରଣ ପ୍ରସଙ୍ଗରେ ସ୍ଥାନିତ କରିବା ପାଇଁ ପତ୍ର ପଠାଯିବା ସହ ଏହାର ନକଲ ମୁଖ୍ୟ ନିର୍ବାଚନ ଆୟୁକ୍ତ, ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ଲୋକସଭା ଓ ରାଜ୍ୟସଭାର ମହାସଚିବ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଏବଂ ଏଥି ସଂପୃକ୍ତ ସମସ୍ତଙ୍କ ଅବଗତି ନିମନ୍ତେ ପଠାଯାଇଥିଲା।

ସମ୍ବନ୍ଧିତ ଖବର