ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର ଦିନ ଭୋଟଗ୍ରହଣ ଶେଷ ହୋଇଛି। ୬୬.୬୩ ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। କିଛି ବୁଥ୍‌ରେ ଇମିଏମ୍‌ ଅଚଳ ହେବା ଯୋଗୁ ରାତି ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ନଭେମ୍ବର ୬ ତାରିଖ ରବିବାର ଭୋଟ ଗଣତି ହେବ।

Advertisment

ନିର୍ବାଚନମଣ୍ଡଳୀରେ ମୋଟ ୨୫୨ଟି କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଥିଲା। ଉପନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ଉପନିର୍ବାଚନରେ ମୋଟ ୨ଲକ୍ଷ ୩୮ ହଜାର ୩୫୦ ଜଣ ଭୋଟର ଭୋଟ ଦେବାକୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୬.୬୩ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଆଜି ୧୨୬ଟି ୱେବକାଷ୍ଟିଂ ଭୋଟଗ୍ରହଣ କେନ୍ଦ୍ର ଓ ୧୫ଟି ମଡେଲ ବୁଥ୍ ଏବଂ ୫ଟି ପିଙ୍କ୍ ବୁଥ୍ ମଧ୍ୟ କରାଯାଇଥିଲା। ସେହିପରି ୧୧୦ଟି ଉତ୍ତେଜନାପୂର୍ଣ୍ଣ ବୁଥ୍ ଓ ୫୦ଟି ଅତିଉତ୍ତେଜନାପୂର୍ଣ୍ଣ ବୁଥ୍‌ରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା।

publive-image
ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେପିର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବିଜେଡିର ଅବନ୍ତୀ ଦାସ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ଓ ପବିତ୍ରମୋହନ ଦାସ ମଇଦାନରେ ରହିଛନ୍ତି। ଏହି ନିର୍ବାଚନରେ ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଆଲୋଚନା ହେଉଥିଲା। କିନ୍ତୁ, ଭୋଟଦାନ କେନ୍ଦ୍ରଗୁଡ଼ିକରେ ଭୋଟର ଅତି ଗମ୍ଭୀରତାର ସହ ଭୋଟ ଦେଇ ଫେରୁଥିବା ଲକ୍ଷ୍ୟ କରାଯାଇଛି। କାଁଭାଁ କିଛି ଭୋଟଗ୍ରହଣ କେନ୍ଦ୍ରରେ ଗଣ୍ଡଗୋଳ ହୋଇଥିଲେ ମଧ୍ୟ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ଶେଷ ହୋଇଛି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।

ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ପାଇଁ ୨୨ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪ ପ୍ଳାଟୁନ୍ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା। ଆଜି ନିର୍ବାଚନ ଶେଷ ହୋଇଥିବା ବେଳେ ପ୍ରାର୍ଥୀଙ୍କର ହାର୍‌ଜିତ୍‌କୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଅଙ୍କକଷା ଆରମ୍ଭ କରିଛନ୍ତି। ଆସନ୍ତା ୬ତାରିଖରେ ଭୋଟ ଗଣତି ପରେ କିଏ ହେବେ ଧାମ ନଗରର ନେତା ତାହା ସ୍ପଷ୍ଟ ହୋଇଯିବ।

publive-image

ପୋଲିଂ ଅଫିସରଙ୍କ ଦେହାନ୍ତ
ଧାମନଗର ଉପନିର୍ବାଚନ ପାଇଁ ଡ୍ୟୁଟିରେ ଯାଇଥିବା ଜଣେ ପୋଲିଂ ଅଫିସରଙ୍କର ଆଜି ଦେହାନ୍ତ ହୋଇଯାଇଛି। ଭଦ୍ରକ ବ୍ଲକ ଓଲଙ୍ଗ ନୋଡାଲ ୟୁପି ସ୍କୁଲର ସହକାରୀ ଶିକ୍ଷକ ନଟବର ମୁଣ୍ଡା(୪୦) ଅସୁସ୍ଥ ଥିଲେ। ତାଙ୍କର ଅସୁସ୍ଥତା ସଂପର୍କରେ ସେ ଡାକ୍ତରୀ ରିପୋର୍ଟ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ତା ସତ୍ତ୍ବେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେ ଧାମନଗର ବ୍ଲକ ଦୋବଲ ଜୋନ୍‌ରେ ମୁସ୍ତାପୁର ବୁଥରେ ଫାଷ୍ଟ ପୋଲିଂ ଅଫିସର ଭାବେ ନିୟୋଜିତ ହୋଇ‌ଥିଲେ। ଗତକାଲି ରାତିରେ ସେ ଅସୁସ୍ଥ ହେବା ଖବର ପାଇ ପରିବାର ଲୋକ ତାଙ୍କୁ ଧାମନଗରରୁ ଭଦ୍ରକ ଡାକ୍ତରଖାନା ନେଇଥିଲେ। ହେଲେ ଭଦ୍ରକରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।