ଭଦ୍ରକ : ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଆସନ ଲାଗି ଆଜି ଉପନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Advertisment

ବୁଧବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୫୨ଟି ଭୋଟ ଗ୍ରହଣ କେନ୍ଦ୍ରରେ ପୋଲିଂ ପାର୍ଟି ଓ ପୁଲିସ କର୍ମଚାରୀ ପହଞ୍ଚିଥିବା ଜଣାପଡ଼ିଛି। ସେହିପରି ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ନିର୍ବାଚନମଣ୍ଡଳୀରେ ୧୫ଟି ଆଦର୍ଶ ବୁଥ୍‌ ଓ ମହିଳାଙ୍କ ନିମନ୍ତେ ୫ଟି ପିଙ୍କ୍‌ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍‌ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍‌ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

publive-image

ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଏହି ୫ ପ୍ରାର୍ଥୀଙ୍କୁ ନେଇ ରାଜନୈତିକ ମହଲରେ ହାରଜିତ୍‌ର ଅଙ୍କକଷା ଚାଲିଥିଲେ ମଧ୍ୟ ସମସ୍ତଙ୍କର ନଜର ଏବେ ରହିଛି ବିଜେପି, ବିଜେଡି ଓ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ପରେ ରୋଚକ ମୋଡ଼ରେ ପହଞ୍ଚିଥିଲା ଧାମନଗର ରାଜନୀତି। ତେଣୁ ଆସନ୍ତା ୬ ତାରିଖରେ ଫଳାଫଳକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗିରହିଛି।

ସୂଚନାଥାଉକି, ସେପଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।