ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀଙ୍କୁ ବିଜୟମୁକୁଟ, ୯୮୮୧ ଭୋଟ୍‌ ବ୍ୟବଧାନରେ ବିଜେପି ବିଜୟୀ

ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପାଇଲେ ୮୧୫୩ ଭୋଟ୍‌, ବାପାଙ୍କ ରେକର୍ଡ ଭାଙ୍ଗିଲେ ପୁଅ

ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପିନ୍ଧିଛନ୍ତି ବିଜୟ ମୁକୁଟ। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯୮୮୧ ଭୋଟ ପାଇ ବିଜୟୀ ହୋଇଛନ୍ତି। ସୂର୍ଯ୍ୟବଂଶୀ ୮୦ ହଜାର ୩୫୧ ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପାଇଛନ୍ତି ୭୦ ହଜାର ୪୭୦ ଭୋଟ୍‌। ସେହିପରି ସ୍ବାଧୀନ ପ୍ରା‌ର୍ଥୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୮ ହଜାର ୧୫୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩ ହଜାର ୫୬୧ ଭୋଟ୍‌ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ମାତ୍ର ୪୯୭ ଭୋଟ୍‌ ପାଇଥିବାବେଳେ ‘ନୋଟା’ରେ ପଡ଼ିଛି ୬୫୦ ଭୋଟ୍‌।

ଧା‌ମନଗର ଉପନିର୍ବାଚନରେ ମୋଟ ୧ ଲକ୍ଷ ୬୩ ହଜାର ୬୮୨ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ। ଇଭିଏମ୍‌ରେ ୧୯ ରାଉଣ୍ଡ ଭୋଟ୍‌ ଗଣତି ଓ ପୋଷ୍ଟାଲ୍‌ ଭୋଟ୍‌କୁ ମିଶାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ୯୮୮୧ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉପନିର୍ବାଚନରେ ବିଜେପିକୁ ୪୯.୦୯ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ବିଜେଡିକୁ ୪୩.୦୫ ପ୍ରତିଶତ, କଂଗ୍ରେସକୁ ୨.୧୮ ପ୍ରତିଶତ, ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୪.୯୮ ପ୍ରତିଶତ, ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୦.୩ ପ୍ରତିଶତ ଭୋଟ୍‌ ମିଳିଛି। ନୋଟାରେ ପଡ଼ିଛି ୦.୪ ପ୍ରତିଶତ ଭୋଟ୍‌। ରବିବାର ସକାଳ ୮ଟାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା।

ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ଭୋଟ୍‌ ବ୍ୟବଧାନରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ସୂର୍ଯ୍ୟବଂଶୀ ୭୫୯ ଭୋଟ୍‌ରେ ଆଗୁଆ ରହିଥିବାବେଳେ ଏହି ଧାରା ପରବର୍ତ୍ତୀ ରାଉଣ୍ଡଗୁଡ଼ିକରେ ମଧ୍ୟ ଅବ୍ୟାହତ ରହିଥିଲା। ମୋଟ୍‌ ୧୯ ରାଉଣ୍ଡ ମଧ୍ୟରୁ ମାତ୍ର ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିଲେ। ଅନ୍ୟ ୧୭ଟି ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆଗୁଆ ରହିଥିଲେ। ଧାମନଗର ଏନ୍‌ଏସିର ୧୦ଟି ୱାର୍ଡ ସହ ଧା‌ମନଗର ଓ ତିହିଡ଼ି ଦୁଇଟି ବ୍ଲକର ୬ଟି ଜୋନ୍‌ରେ ୨୫୨ଟି ବୁଥ୍‌ରେ ୧୯ ରାଉଣ୍ଡ ଭୋଟ୍‌ ଗଣତି ହୋଇଥିଲା। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ବିଜୟ ଘୋ‌ଷଣା ପରେ ଭୋଟ୍‌ ଗଣତି କେନ୍ଦ୍ରରେ ଅଦିନିଆ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା। ହଜାର ହଜାର ସମର୍ଥକ ବାଣ ଫୁଟାଇ, ବାଜା ବଜାଇ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କୁଆଁଶସ୍ଥିତ ବାସଭବନକୁ ନେଇଥିଲେ।

ସୂର୍ଯ୍ୟବଂଶୀଙ୍କ ବିଜୟ ପରେ ସାରା ଭଦ୍ରକରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଅତୀତରେ ଧାମନଗର ମାଟିରେ କେବଳ ଅନୁକମ୍ପା ଭୋଟ୍‌ ହିଁ କାମ କରିଛି। ଧାମନଗରର ସ୍ବର୍ଗତ ବିଧାୟକ ମୁରଲୀଧର ଜେନା ଓ ହୃଦାନନ୍ଦ ମଲ୍ଲିକଙ୍କ ଅକାଳ ବିୟୋଗ ପରେ ତାଙ୍କ ପରିବାରକୁ ଅନୁକମ୍ପା ଭୋଟ୍‌ ମିଳିଥିଲା। ଅନୁରୂପ ଭାବେ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ଅନୁକମ୍ପା ଭୋଟ୍‌ ମିଳିଛି। ବିଷ୍ଣୁ ସେଠୀ ୨୦୧୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କଠାରୁ ୪୬୨୫ ଭୋଟ୍‌ ବ୍ୟବଧାନରେ ବିଜୟ ହୋଇଥିବା ବେଳେ ସୂର୍ଯ୍ୟବଂଶୀ ୯୮୮୧ ଭୋଟ୍‌ରେ ବିଜୟୀ ହୋଇ ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି।

ସମ୍ବନ୍ଧିତ ଖବର