ଭଦ୍ରକ : ଧାମନଗର ବିଧାନସଭା ଆସନ ଉପନିର୍ବାଚନ ଲଢେଇ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ନାମରେ ମୋହର ମାରିଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି। ସେପଟେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଅଡ଼ୁଆ ତୁଟିନି। ଏହି ଦୁଇ ଦଳରୁ ସଂଖ୍ୟାଧିକ ଆଶାୟୀ ପ୍ରାର୍ଥୀ ହେବାକୁ ମନ ବଳାଇଥିବାରୁ ପ୍ରାର୍ଥୀ ଚୟନରେ ବିଳମ୍ବ ହେଉଥିବା କୁହାଯାଉଛି। ତେବେ ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣାଯାଇଛି।
ସୂର୍ଯ୍ୟଂବଶୀ ସୂରଜଙ୍କ ନାମ ଘୋଷଣା ପରେ ବିଜେପି ଆଜିଠାରୁ ସୂରଜଙ୍କ ପାଇଁ ଧାମନଗରରେ ପ୍ରଚାର ଆରମ୍ଭ କରିଦେଇଛି। ସୂରଜ ଏବେ ବିଜେପି ରାଜ୍ୟ ମିଡିଆ ସେଲ୍ର ସଂଯୋଜକ ଅଛନ୍ତି। ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ସେ ଏକ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ କମ୍ପାନିରେ ଇଞ୍ଜିନିୟର ଥିଲେ। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ କିଛି ବର୍ଷ ହେଲା ରାଜନୀତିରେ ଯୋଗ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ନିଜ ବାପା ବିଷ୍ଣୁ ସେଠୀଙ୍କ ପାଇଁ ନିର୍ବାଚନ ପରିଚାଳନା ଦାୟିତ୍ବ ସମ୍ଭାଳୁଥିଲେ ସୂରଜ। ଆସନ୍ତା ୧୧ ତାରିଖରେ ଦଳୀୟ ସମର୍ଥକଙ୍କ ଗହଣରେ ସୂରଜ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ପ୍ରାର୍ଥୀ ଘୋଷଣା ପରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ ଭଦ୍ରକରେ ପହଞ୍ଚି ଦଳର ବରିଷ୍ଠ ନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲା ସାଧାରଣ ସଂପାଦକ ଶଶୀକାନ୍ତ ବିଶ୍ବାଳଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ନେତାମାନଙ୍କ ସହ ନିର୍ବାଚନ ରଣନୀତି ଓ ପ୍ରଚାର ସଂପର୍କରେ ଆଲୋଚନା କରିଛନ୍ତି।