ଭଦ୍ରକ/ଧାମନଗର: ଭଦ୍ରକ ଧାମନଗର ଡବଲ୍ ମର୍ଡର ଓ ଦୁଷ୍କର୍ମ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ଓରଫ ବାବୁଆ ମହାନ୍ତି ପ୍ରତିଶୋଧପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି। ପୁଲିସ୍ କହିଛି ଖାଲି ପ୍ରତିଶୋଧପରାୟଣ ନୁହେଁ, ୨ ଲକ୍ଷ ଟଙ୍କା ପାଇଁ ଅଭିଯୁକ୍ତ ବାବୁଆ ଦମ୍ପତିଙ୍କୁ ହତ୍ୟା କରିଛି। ଅନ୍ୟ ଜଣଙ୍କୁ ଦୁଷ୍କର୍ମ କରିଛି। ଭଦ୍ରକ ପୁଲିସ୍ ଗତକାଲି ଭୁବନେଶ୍ୱରରୁ ବବୁଆକୁ ଗିରଫ କରିଥିଲା। ଆଜି ସକାଳେ ଘଟଣାସ୍ଥଳକୁ ଆଣି ଛାନ୍ଭିନ୍ କରିଥିଲା। ଛାନ୍ଭିନ୍ ସମୟରେ ବବୁଆ ଗଣମାଧ୍ୟମକୁ କହିଥିଲା ଯେ, ମୃତ ତାଳସିଠା ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପରିବାର ସହିତ ପୂର୍ବରୁ ଶତ୍ରୁତା ଥିଲା। ଖୁବ୍ ଛୋଟବେଳୁ ତାଙ୍କ ପରିବାରକୁ ନିପାତ କରିବା ପାଇଁ ଶପଥ ନେଇଥିଲା। ଆଗରୁ ଚେଷ୍ଟା କରିଥିବାବେଳେ ୨୯ ତାରିଖ ରାତିରେ ସେ ଏହାର ସୁଯୋଗ ନେଇଥିଲା। ପ୍ରଥମେ ଏକ ହୋଟେଲ୍କୁ ଡାକି ମଦ୍ୟପାନ ସହିତ ରବୀନ୍ଦ୍ରଙ୍କୁ ହତ୍ୟା କରିଥିଲା। ପରେ ତାଙ୍କ ଘରକୁ ଯାଇ ପତ୍ନୀଙ୍କୁ ହତ୍ୟା କରିବା ସହିତ ଝିଅକୁ ଦୁଷ୍କର୍ମ କରିଥିଲା। ଭଦ୍ରକ ଏସ୍ପି ବାତୁଲ ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତର ତାଳସିଠା ଗ୍ରାମର ରବୀନ୍ଦ୍ର ବେହେରା ଓ କୁଳମଣି ମହାନ୍ତିଙ୍କ ପରିବାର ମଧ୍ୟରେ ବନ୍ଧୁତା ଥିଲା। ସଂପର୍କର ନିବିଡ଼ତା ଯୋଗୁଁ ରବୀନ୍ଦ୍ରଙ୍କ ପତ୍ନୀ ଭକ୍ତିଲତା କୁଳମଣିଙ୍କ ପୁଅ ଗୋପୀନାଥ ଓରଫ୍ ବାବୁଆକୁ ଧରମ ପୁଅ କରିଥିଲେ। ତେବେ ବାବୁଆ ତା’ର ବାପା ସହ ଭକ୍ତିଲତାଙ୍କ ଅନୈତିକ ସଂପର୍କ ଥିବା ଜାଣିଥିଲା ଏବଂ ଏହି କାରଣରୁ ତା’ର ମା’ର ମୃତ୍ୟୁ ଘଟିଥିବା ଜାଣି ନିଜ ମା’ର ମୃତ୍ୟୁ ପାଇଁ ପିଲାବେଳୁ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା। ଅପରପକ୍ଷେ ରବୀନ୍ଦ୍ର ନିକଟରେ ଦୁଇ ଲକ୍ଷ ଟଙ୍କା ଥିବାର ବାବୁଆ ଜାଣିଥିଲା । ତେଣୁ ଗତ ରବିବାର ଦିନ ରବୀନ୍ଦ୍ରଙ୍କ ଘରକୁ ଆସି ତାଙ୍କୁ ଟଙ୍କା ମାଗିଥିଲା। ସେ କିନ୍ତୁ ଟଙ୍କା ଦେବନାହିଁ ବୋଲି ମନା କରିଦେଇଥିଲା। ତେଣୁ ଏହି ଘଟଣା ମଧ୍ୟ ପ୍ରତିଶୋଧକୁ ଦ୍ୱିିଗୁଣିତ କରିଥିଲା ବୋଲି ଏସ୍ପି କହିଛନ୍ତି। ପୁଲିସ ବାବୁଆ ନିକଟରୁ ପ୍ରାୟ ୫ ଭରି ଓଜନର ସୁନା ଅଳଙ୍କାର, ଏକ ମୋବାଇଲ ଫୋନ୍, କିଛି ଟଙ୍କା ଓ ଏକ ମନିପର୍ସ ଜବତ କରିଛି। ଆଜି ବୁବୁଆକୁ ଆହୁରି ପଚରା ଉଚରା କରାଯିବ ଏବଂ ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପରକୀୟା ପାଇଁ ଭୟଙ୍କର ପ୍ରତିଶୋଧ!
ଧାମନଗର ଡବଲ ମର୍ଡର ଘଟଣା
/sambad/media/post_attachments/wp-content/uploads/2018/08/bdk.jpg)