ଭଦ୍ରକ : ଜମି ଅଧିଗ୍ରହଣରେ ଅଟକିଛି ଧାମରା ଏୟାରପୋର୍ଟ ପ୍ରକଳ୍ପ। ବିସ୍ଥାପିତ ଜମିହରାଙ୍କ ଆନ୍ଦୋଳନ ଏହି ପ୍ରକଳ୍ପ ଅଗ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି।
ଧାମରା ବନ୍ଦର ପ୍ରତିଷ୍ଠା ହେବା ବେଳେ ଏହାକୁ ଏକ ବିଶ୍ବସ୍ତରୀୟ ବନ୍ଦର କରିବା ପାଇଁ ଘୋଷଣା କରାଯାଇଥିଲା। ଏଠାରେ ବିମାନ ବନ୍ଦର ଠାରୁ ଆରମ୍ଭ କରି ରେଳଲାଇନ୍ ଓ ରାଜପଥ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଥିଲା। ମାତ୍ର ଏସବୁ ପ୍ରକଳ୍ପ ଏବେ ଧୂଆଁବାଣ ହୋଇଛି। ବନ୍ଦର ପ୍ରତିଷ୍ଠା ହେବା ଦିନ ଠାରୁ ଜିଲ୍ଲାବାସୀଙ୍କୁ ସରକାର ଭଣ୍ଡାଇ ଚାଲିଛନ୍ତି। ଶାଗ ମାଛ ଦରରେ ସାତ ପୁରୁଷର ଜମିକୁ କମ୍ପାନି ହାତକୁ ଟେକି ଦେବା ପରେ ବନ୍ଦର ହୋଇ ଅଗ୍ରଗତି ହୋଇଚାଲିଛି। ମାତ୍ର ଜିଲ୍ଲାବାସୀ କିଛି ବି ଫାଇଦା ପାଇନାହାନ୍ତି। ଧାମରା ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳଚଳ କରୁନି କି ବନ୍ଦରରେ ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି। ବାକି ରହିଲା ଜାତୀୟ ରାଜପଥ ଓ ଏୟାରଷ୍ଟ୍ରିପ ନିର୍ମାଣ। ଜାତୀୟ ରାଜପଥ ପାଇଁ ଭିତ୍ତିଭୂମି ପଡି ନଥିବା ବେଳେ ଧାମରା ଏୟାରପୋର୍ଟ ପ୍ରକଳ୍ପ ଏବେ ଅଧାବାଟରେ ଅଟକିଛି। ୨୦୧୭ ମସିହାରେ ଧାମରାରେ ଏୟାରପୋର୍ଟ ପାଇଁ ଆଦାନୀକୁ ଅନୁମତି ମିଳିଥିଲା। ଧାମରା ସମୁଦ୍ର ଉପକୂଳରେ ଥିବା ହୃଦୟପ୍ରସାଦ ମୌଜାରେ ଏୟାରପୋର୍ଟ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା। ଏହି ଅଞ୍ଚଳରୁ ୫ ଶହ ଏକର ଜମି ଆବଶ୍ୟକ ପଡୁଥିବା ବେଳେ ୩ ବର୍ଷ ଭିତରେ ଜିଲ୍ଲା ପ୍ରଶାସନ ମାତ୍ର ୨୩୯ ଏକର ୨୩ ଡିସିମିଲ ଜମିକୁ ରାଜ୍ୟ ବାଣିଜ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏୟାରପୋର୍ଟ ପାଇଁ ବଡହାବେଳିସାହି, ନନ୍ଦପାଟଣା ଓ ବାଲିମୁଣ୍ଡା ଅଞ୍ଚଳରେ ଏହି ଜମି ଅଧିଗ୍ରହଣ କରାଯାଇଛି।
ଏହିସବୁ ଅଞ୍ଚଳରେ ଚାଷ ଜମି, ଗୋଚର ଓ ଅନ୍ୟାନ୍ୟ ଜମିକୁ ହସ୍ତାନ୍ତର କରାଯାଇଛି। ଏୟାରପୋର୍ଟ ପ୍ରକଳ୍ପ ପାଇଁ ୫ ଶହ ଏକର ଜମି ଆବଶ୍ୟକ ରହିଥିବା ବେଳେ ଏଥିପାଇଁ ୫ ଶହ କୋଟି ଟଙ୍କା ବରାଦ ହୋଇଛି। ଧାମରା ପୋର୍ଟ କମ୍ପାନି ପ୍ରଥମ ପର୍ଯ୍ୟାୟରେ ୨୪୨ ଏକର ଜମି ଜିଲ୍ଲା ପ୍ରଶାସନକୁ ମାଗିଥିଲେ। ୩ କିମି ଲମ୍ବ ଓ ୩ ଶହ ମିଟର ଓସାର ମଧ୍ୟରେ ଏହି ଜମି ଆବଶ୍ୟକ କରାଯାଉଥିଲା। ମାତ୍ର ଏହା ଭିତରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବାକି ୨୫୧ ଏକର ଜମି ଅଧିଗ୍ରହଣ ହୋଇପାରିନାହିଁ। ଅଧିଗୃହୀତ ହୋଇଥିବା ଜମି ଉପରେ ଧାମରା ବନ୍ଦର ପକ୍ଷରୁ ଏବେ ସୁଦ୍ଧା ପାଚେରୀ ନିର୍ମାଣ କରାଯାଇ ନାହିଁ। ୨୦୨୪-୨୬ ମଧ୍ୟରେ ଏୟାରପୋର୍ଟ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ବାସ୍ତବରେ ସମ୍ଭବ ନୁହେଁ। କେବଳ ସେତିକି ନୁହେଁ, ଏୟାରପୋର୍ଟ ଅଞ୍ଚଳରେ ଏକ ପ୍ରଶାସନିକ କାର୍ଯ୍ୟାଳୟ ଖୋଲିବାକୁ ୧୪ ଏକର ଜମି ମଗାଯାଇଛି। ମାତ୍ର ଏହି ଜାଗା ମିଳିନାହିଁ। ଏୟାରପୋର୍ଟ ଅଞ୍ଚଳରେ ଜବରଦଖଲକାରୀଙ୍କୁ ହଟାଇବାରେ ପ୍ରଶାସନ ଓ ପୁଲିସ ସକ୍ଷମ ହୋଇ ପାରିନାହିଁ। ଜବରଦଖଲକାରୀଙ୍କୁ ହଟାଇବା ବେଳେ ଜବରଦଖଲକାରୀ ଓ ପ୍ରଶାସନ ମୁହାମୁହିଁ ହେଉଛନ୍ତି। ଏୟାରପୋର୍ଟ ପରିସୀମାରେ ୯ ଏକର ୬୯ ଡିସିମିଲ ବେସରକାରୀ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ଏଯାଏ ଏହି ବେସରକାରୀ ଜମି ଅଧିଗ୍ରହଣ ହୋଇପାରିନାହିଁ। ଏୟାରପୋର୍ଟ ପାଇଁ ଅବଶିଷ୍ଟ ଜମି କେବେ ଅଧିଗ୍ରହଣ ହେବ ତାହା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।