ଭଦ୍ରକ : ଆଦାନୀ ଅର୍ଥନୈତିକ ସଂକଟ ଭିତରେ ଗତି କରୁଛି। ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଉପରେ ଏହାର ପ୍ରଭାବ ପଡ଼ିଥିବା ବେଳେ ଧାମରାରେ ପ୍ରସ୍ତାବିତ ୪୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ନେଇ ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି।

Advertisment

ଆଦାନୀ ଧାମରା ବନ୍ଦରକୁ ନେବାପରେ ଏହି ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ପାଇଁ ବ୍ଲୁ’ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ଧାମରା ବନ୍ଦରର ନୂତନ ସଂପ୍ରସାରଣ କାର୍ଯ୍ୟ ଚାଲିବା ସହ ବନ୍ଦରକୁ ଲକ୍ଷ୍ୟକରି ଏଠାରେ ଅନ୍ୟ ବହୁ ରାଷ୍ଟ୍ରୀୟ କମ୍ପାନିମାନେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଜମି ଅଧିଗ୍ରହଣ କରିଥିଲେ। ମାତ୍ର, ଆଦାନୀର ବିପର୍ଯ୍ୟୟ ପରେ ଅନ୍ୟ ଶିଳ୍ପ ସଂସ୍ଥା‌ଗୁଡ଼ିକ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ, ତାହା ଆଉ ଆଗକୁ ବଢ଼ିବା ନେଇ ସନ୍ଦେହ ଦେଖାଦେଇଛି। ଧାମରା ବନ୍ଦରରେ ୩୫ଟି ବର୍ଥ ନିର୍ମାଣର ଲକ୍ଷ୍ୟ ରଖାଯାଇ କାର୍ଯ୍ୟ ଚାଲୁ ରହିଥିଲା। ଏହି ବନ୍ଦରର କଳେବର ବୃଦ୍ଧି କରାଯିବା ନେଇ ଯେଉଁସବୁ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା ତାହା ଏବେ ଧିମେଇଯାଇଛି।

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୨ଟି ବର୍ଥ ନିର୍ମାଣ କରାଯାଇ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏବେ ଏଠାରେ ୫ଟି ବର୍ଥ କାର୍ଯ୍ୟକ୍ଷମ ହେଉଛି। ତେବେ ୩୫ଟି ବର୍ଥ ନିର୍ମାଣର ଯେଉଁ ସ୍ବପ୍ନ ଆଦାନୀ ଦେଖାଇଥିଲା ତାହା ସ୍ବପ୍ନରେ ରହିଯିବ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି।

ଧାମରା ବନ୍ଦର ପ୍ରତିଷ୍ଠାକୁ ୧୨ ବର୍ଷ ବିତିଯାଇଛି। ମାତ୍ର, ସରକାରଙ୍କର ଏହି ଘୋଷଣା କେବଳ ଘୋଷଣାରେ ରହିଯାଇଛି। ଧାମରା ବନ୍ଦର ବିଶ୍ବରେ ଏକ ବୃହତ୍‌ ବନ୍ଦରର ମାନ୍ୟତା ପାଇବ ବୋଲି ସରକାର ଲକ୍ଷ୍ୟ ରଖି ବନ୍ଦର କମ୍ପାନିକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ବନ୍ଦର ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାର ଧାମରା ବନ୍ଦର କମ୍ପାନିକୁ ପୂର୍ଣ୍ଣ ସହଯୋଗ କରିଥିଲେ। ସେହି ଭରସାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ୧୨ ବର୍ଷ ପରେ ମଧ୍ୟ ଏଠାରେ ଗୋଟିଏ ହେଲେ ଶିଳ୍ପ ହେଲା ନାହିଁ। ଫଳରେ, ଶିଳ୍ପ ବିକାଶର ସ୍ବପ୍ନ ସ୍ବପ୍ନରେ ରହିବ ବୋଲି ଆଲୋଚନା ହେଉଛି।