ଅନୁଗୁଳ : ରାଜ୍ୟର ବିଭିନ୍ନ ସ୍ଥାନକୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଛାଇ ଗସ୍ତ କରୁଛି। ଏହି ଛାଇ ନେତାଙ୍କ ଭଳି ଲୋକଙ୍କୁ ପ୍ରତିଶ୍ରୁତି ​ଦେବା ସହ ଯୋଜନା ଘୋଷଣା କରୁଛି। ଏହା କେମିତି ଶାସନ ​ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ଏବେ ଏକ ‘କା ସରକାର ଚାଲିଛି ବୋଲି କଟାକ୍ଷ କରିଛନ୍ତି। ଏହି ଅପାରଗ ସରକାର ପାଇଁ ଓଡ଼ିଶାର ଉନ୍ନତି ଅଟକି ଯାଇଛି। ତେଣୁ ସରକାରର ଚେର ବଦଳାଇବାକୁ ସେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

ଅନୁଗୁଳ ଓ ତାଳଚେରରେ ଶନିବାର ଦିନ ଧର୍ମେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମ​ରେ ଯୋଗ ଦେଇ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିବା ସହିତ ବିକାଶର ହିସାବ ମାଗିଥିଲେ। କହିଥିଲେ, ମୋଦୀ ସରକାର ଗତ ୯ ବର୍ଷରେ କଣ କଣ କରିଛନ୍ତି ତାହା ଆ​ମେ ବୁଲି ବୁଲି କହୁଛୁ। ଏଠି ଶାସନ କରୁଥିବା ନେତାମାନେ ଆସି ତାଙ୍କ ହିସାବ ଦିଅନ୍ତୁ। ମୋଦୀ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେବା ପରେ ମଧ୍ୟ ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଗରିବ କଲ୍ୟାଣ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିନି। ଗରିବ ଓ ପଛୁଆ ବର୍ଗର ଲୋକଙ୍କ ପାରିଶ୍ରମିକ ଟଙ୍କାକୁ ହରିଲୁଟ୍‌ କରାଯାଉଛି। ଏହାର ପ୍ରମାଣ ଗତକାଲିର ଭିଜିଲାନ୍‌ସ ଚଢ଼ଉ ପରେ ଅଧିକ ସ୍ପଷ୍ଟ ହୋଇଛି। ସରକାରୀ ବାବୁମାନେ ତୃତୀୟ ମହଲାର କିଛି ଅଧିକାରୀଙ୍କ ପ୍ରୋତ୍ସାହନରେ ଏମିତି ଦୁର୍ନୀତି କରୁଥିବା ଜଣାପଡ଼ିଛି।

ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ତୃତୀୟ ମହଲା ଅଧିକାରୀଙ୍କ ସହ ଉଠାଇଥିବା ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଥିନେଇ ଆଉ କୌଣସି ସନ୍ଦେହ ନାହିଁ। ତୃ୍ତୀୟ ମହଲା ବାବୁଙ୍କ ପୃଷ୍ଠପୋଷକତାରେ ରାଜ୍ୟରେ ପିସି ସୀମା ଟପିଛି ବୋଲି ଧର୍ମେନ୍ଦ୍ର କହିବା ସହ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ବାଟମାରଣା କରିବା ସହ କିଛି ଯୋଜନାକୁ କାର୍ଯ୍ୟକାରୀ କରାଇ ଦିଆଯାଉନି। ତାଳଚେରରେ ଏକ ମେଡିକାଲ କଲେଜ ନିର୍ମାଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଷଡ଼୍‌ଯନ୍ତ୍ର କରି ଏହାକୁ ଚଳାଇବାକୁ ଦେଉ ନ ଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।