କଳାହାଣ୍ଡି: ଧାନ ମଣ୍ଡି ବନ୍ଦ କରିବାନେଇ ଜିଲ୍ଲାପାଳଙ୍କୁ ଚାଷୀସଂଘ ତରଫରୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ଅଧିନସ୍ଥ ଥୁଆପଦର, ତେନ୍ତୁଲିଖୁଣ୍ଟି, ଡଙ୍ଗୁରୀପଦର, ଭିମଡଙ୍ଗା, କୁସୁମଖୁଣ୍ଟି ଓ ଗୋଇପିଟା ଗ୍ରାମରେ ସ୍ୱଳ୍ପ ବୃଷ୍ଟି କାରଣରୁ ଚଳିତ ଖରିଫ ଚାଷ ବ୍ୟାପକ ଭାବରେ କ୍ଷତିହୋଇଛି । ଏମିତିକି ଅନେକ ଚାଷ ଜମିରେ ଗାଈ, ଗୋରୁ ଛାଡିଦେବା ପରିସ୍ଥିତି ସୃଷ୍ଟିହୋଇଛି । ଦୀର୍ଘ ୨୦ ବର୍ଷ ପରେ ପ୍ରଥମଥର ପାଇଁ ଏହିପରି ମରୁଡିର ସମ୍ମୁଖୀନ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ଆଗାମୀ ୨୫ ତାରିଖ ଦିନ ଥୁଆପଦର ସେବା ସମବାୟ ସମିତି ଲିଃଠାରେ ଚଳିତ ଖରିଫ୍ ଧାନ ମଣ୍ଡି ଆରମ୍ଭ ହେବାକୁଥିବାବେଳେ ମରୁଡି କ୍ଷତିଗ୍ରସ୍ତ ଚାଷୀମାନେ ଏହି ମଣ୍ଡିକୁ ଦୃଢ ବିରୋଧ କରିଛନ୍ତି ।

ଥୁଆପଦର ପଞ୍ଚାୟତକୁ ସଂମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ତଥା ଧାନ ମଣ୍ଡି ବନ୍ଦ କରିବା ଦାବିନେଇ ପଞ୍ଚାୟତ ଚାଷୀସଂଘ ତରଫରୁ ଏକ ପ୍ରତିନିଧିଦଳ କଳାହାଣ୍ଡି ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦକୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଗାମୀ ୨୩ ତାରିଖ ଦିନ ପଞ୍ଚାୟତ ଚାଷୀ ସଂଘ ତରଫରୁ ଥୁଆପଦର ସେବା ସମବାୟ ସମିତି ଲିଃ କାର୍ଯ୍ୟାଳୟ ସମ୍ମୁଖରେ ଧାନ ମଣ୍ଡି ବନ୍ଦ ଓ ମରୁଡି ଘୋଷଣା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବା ନେଇ କଳାହାଣ୍ଡି ଜିଲ୍ଲାପାଳ, ଉପ ଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସଦର ଥାନା ଅଧିକାରୀ ତଥା ଥୁଆପଦର ସେବା ସମବାୟ ସମିତି ଲିଃ କତୃପକ୍ଷଙ୍କୁ ଲିଖିତ ଭାବରେ ଚାଷୀ ସଂଘ ଅବଗତ କରିଥିବା ଜଣାଯାଇଛି ।

ପ୍ରକାଶ ଯେ’ ଥୁଆପଦର ସେବା ସମବାୟ ସମିତି ଲିଃ ଧାନ ମଣ୍ଡିରେ ଅସାଧୁ ବ୍ୟବସାୟୀ ତଥା ଗ୍ରାମ ପଞ୍ଚାୟତ ବାହାରର ଚାଷୀମାନେ ଚୋରାରେ ଧାନ ଆଣି ମଣ୍ଡିରେ ବିକ୍ରି କରିଥାନ୍ତି । ଏହାଦ୍ୱାରା ପ୍ରକୃତ ଚାଷୀମାନଙ୍କର କ୍ଷତିହେବା ସହ ସେମାନେ ଧାନ ବିକ୍ରି କରିବାବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏମିତି କି ପୂର୍ବ ବର୍ଷମାନଙ୍କରେ ମିଲର୍ସମାନେ ଚାଷୀମାନଙ୍କୁ ବସ୍ତା ଯୋଗାଇବା ନିୟମ ଥିଲେ ମଧ୍ୟ ଧାନ ବିକ୍ରି ସମୟରେ ଚାଷୀ ନିଜ ପେଟରୁ କାଟି ଧାନ ବସ୍ତା କିଣିଥାଏ । ଏଥିସହ ଧାନ ମାପକ ଯନ୍ତ୍ରରେ ଚାଷୀମାନଙ୍କ ବ୍ୟାପକ ଠକେଇ କରାଯାଉଥିବା ଏବଂ ଏଥିରେ ବିଭାଗୀୟ ଅଧିକାରୀମାନଙ୍କ ଭିତିରି ବୁଝାମଣାଥିବା ଅଭିଯୋଗ ହୋଇଆସୁଛି । ଦୁଃଖର ବିଷୟ ଏହି ଯେ’ ଏଫ୍‌ଏକ୍ୟୁ ନାମରେ ଚାଷୀମାନଙ୍କର କୁଇଣ୍ଟାଲ ପିଛା ଧାନ ପ୍ରତି ୭ ରୁ ୮ କେଜି କଟନୀ ଛଟନି କରୁଥିବା ଘଟଣାକୁ ଚାଷୀସଂଘ ଦୃଢବିରୋଧ କରିଆସୁଛି ।

 

ସମ୍ବନ୍ଧିତ ଖବର