ସମ୍ବଲପୁର: ଦିନେ ଥିଲେ ପେପର୍ ହକର୍। ଘର ଘର ବୁଲି ଖବରକାଗଜ ବାଣ୍ଟୁ ଥିଲେ। ଏବେ ସେ ପାଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍(ଓସିଏସ୍)। ଶୁକ୍ରବାର ପ୍ରକାଶ ପାଇଥିବା ଓସିଏସ୍-୨୦୨୦ର ପରୀକ୍ଷା ଫଳ ତାଲିକାରେ ବରେଇପାଲି ନୂଆପଡ଼ାର ଧନମାଳି ମହାନନ୍ଦ(୨୭) ୨୪୮ ତମ ସ୍ଥାନରେ ରହିଛନ୍ତି। ଅନେକ ଦୁଃଖ କଷ୍ଟ, ଅଭାବ ଅନଟନ ମଧ୍ୟରେ ଦିନ କାଟିଥିବା ଧନମାଳି ଓସିଏସ୍ ପାଇବା ପରେ ଘରେ, ସାଙ୍ଗ ସାଥୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ପ୍ରଥମ ପ୍ରୟାସରେ ହିଁ ସେ ଓସିଏସ୍ରେ କୃତକାର୍ଯ୍ୟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲେ ବିନା କୋଚିଂରେ ସେ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ହାସଲ କରିଛନ୍ତି। ମୋବାଇଲ୍ ହିଁ ତାଙ୍କର ଗୁରୁ ଥିଲା ଏବଂ ଇଣ୍ଟରନେଟ୍ ମାଧ୍ୟମ ସାଜିଥିଲା। ୟୁଟ୍ୟୁବ୍ରୁ ପାଠ ପଢ଼ି ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି।
ମା’ଙ୍କୁ ଘରୁ ବାହାର କରିଦେଇଥିଲେ ବାପା
ଧନମାଳିଙ୍କ ମା’ଙ୍କୁ ୨୦୦୪ରେ ତାଙ୍କ ବାପା ଘରୁ ବାହାର କରିଦେଇଥିଲେ। ମା’ ନଳିନୀ ମହାନନ୍ଦ କିନ୍ତୁ ଧୈର୍ଯ୍ୟ ହାରି ନଥିଲେ। ବଡ଼ପୁଅ ଧନମାଳି, ସାନ ପୁଅ କୌସିକ ଓ ଝିଅ ଗାୟତ୍ରୀ ମହାନନ୍ଦଙ୍କୁ ଧରି ବାପ ଘରକୁ ଚାଲି ଆସିଥିଲେ। ସେଠାରେ ଏକ କୁଡିଆ ତିଆରି କରି ରହିଲେ। ନିଜେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କଲେ। ଧୀରେ ଧୀରେ ଖର୍ଚ୍ଚ ବଢ଼ିଥିଲା। ଧନମାଳିଙ୍କ ପାଠପଢ଼ା ଉପରେ ବି ପ୍ରଶ୍ନ ଉଠିଥିଲା। ତେବେ ସେ ସମ୍ବଲପୁରର ବରେଇପାଲି ଠାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ କାକାଙ୍କ ପାଖକୁ ଆସି ପାଠପଢ଼ା ଜାରି ରଖିଥିଲେ। ମା’ ସାନ ପୁଅ ଓ ଝିଅଙ୍କୁ ପାଠ ପଢ଼ାଉଥିବା ବେଳେ ଧନମାଳି ନିଜ ଖର୍ଚ୍ଚ ବାହାର କରିବା ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ବରେଇପାଲିରେ ଥିବା ଏକ ତେଜରାତି ଗୋଦାମରେ ସେ ପ୍ରଥମ କାମ କରିବା ପରେ ୨୦୦୭ରେ ଖବରକାଗଜ ହକର୍ ହୋଇଥିଲେ। ମାସିକ ୩ ଶହ ଟଙ୍କା ବେତନରେ ଖବର କାଗଜ ବାଣ୍ଟି ଖର୍ଚ୍ଚ ବାହାର କରିଥିଲେ। ପାଖାପାଖି ୮ ମାସ ସେ ପେପର୍ ହକର୍ ଭାବେ କାମ କରିଛନ୍ତି।
୨୦୧୧ରେ ସେ ଦଶମ ପାସ୍ କରିଥିଲେ ଏବଂ ଟ୍ୟୁସନ୍ କରିବା ଆରମ୍ଭ କରିଥିଲେ। ତା ସହିତ କ୍ୟାଟରିଂ ସର୍ଭିସ୍ରେ ମଧ୍ୟ କାମ କଲେ। ଏଭଳି ଭାବେ ଯୁକ୍ତ ୨ ବିଜ୍ଞାନ ସାରିବା ପରେ ବୁର୍ଲା ଭିସୁଟ୍ରେ ପାଠ ପଢ଼ିବା ପାଇଁ ସୁଯୋଗ ପାଇଲେ। କିନ୍ତୁ, ଅର୍ଥ ସାଜିଥିଲା ବାଧକ। କେତେକ ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ଭିସୁଟ୍ରେ ତାଙ୍କର ପ୍ରଥମ ବର୍ଷ ଆଡ୍ମିସନ୍ ହୋଇଯାଇଥିଲା। ତେବେ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ସେ ବ୍ୟାଙ୍କରୁ ଋଣ ନେଇଥିଲେ। ଭିସୁଟ୍ରେ ସିଭିଲ୍ ଇଞ୍ଜିନିୟରିଂ ପାଠପଢ଼ା ଶେଷ କରିବା ପରେ ସେ ଛତିଶଗଡ଼ର ଏକ ଏନ୍ଜିଓରେ କାମ କରୁଥିଲେ। ଋଣ ପରିଶୋଧ କରିବା ସହ ପରିବାର ଭାର ନିଜ କାନ୍ଧକୁ ନେଇଥିଲେ। ୨୦୧୭ରେ ମା’ଙ୍କୁ ଆଉ କାମ କରିବାକୁ ଦେଇ ନଥିଲେ ଧନମାଳି। ତେବେ ସିଭିଲ୍ ସର୍ଭିସ୍ ପାଇବା ଲକ୍ଷ୍ୟ ନେଇ ଧନମାଳି ୨୦୨୧ରେ ଏନ୍ଜିଓ କାମ ଛାଡ଼ିଦେଇ ପାଠପଢ଼ା ଆରମ୍ଭ କରିଥିଲେ। ବିଶ୍ବାସ ଥିଲା କୃତକାର୍ଯ୍ୟ ହେବେ, କିନ୍ତୁ ନ ହୋଇତିଲେ ପରବର୍ତ୍ତୀ ବର୍ଷ ପରୀକ୍ଷା ପାଇଁ ଲାଗିବାକୁ ମନସ୍ଥ କରି ପାଠପଢ଼ାରେ ଲାଗିପଡ଼ିଥିଲେ ସେ। ତାଙ୍କ ମା’ଙ୍କ ସମେତ ପରିବାର, ସାଙ୍ଗସାଥୀ ଏବଂ ତାଙ୍କୁ ସହଯୋଗ କରିଥିବା ସମସ୍ତଙ୍କୁ ସେ ସଫଳତାର ଶ୍ରେୟ ଦେଇଛନ୍ତି।