ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ଧନପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି  ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଗତ ମାସ ଶିବିରରେ  ହୋଇଥିବା ଅଭିଯୋଗ, ସମାଧାନ ଆଦି ସଂପର୍କରେ ବିଡିଓ ରାଜୀବ ଦାସ ସୂଚନା ଦେଇଥିଲେ।   ଶିବିରରେ ପଂଚାୟତର ବିଭିନ୍ନ ଗ୍ରାମାଂଚଳର ଲୋକେ ବିଭିନ୍ନ ସମସ୍ୟା, ଆପତ୍ତି, ଅଭିଯୋଗ, ଆବଶ୍ୟକତା ଓ ସମସ୍ୟା ଗୁଡିକ ସଂପର୍କରେ ପ୍ରଶାସନକୁ ଅବଗତ କରିଥିଲେ। ପଂଚାୟତର ବିଭିନ୍ନ ଗାଁର ସାହି ଗୁଡିକରେ ଦେଖାଦେଇଥିବା ପାନୀୟ ଜଳ ଓ ରାସ୍ତା ଘାଟ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ।

Advertisment

କିଛି ସମସ୍ୟା ତୁରନ୍ତ ସମାଧାନ କରିବାକୁ ବ୍ଲକ ପ୍ରଶାସନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା। କିଛି ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀ, ହିତାଧିକାରୀ ମାନଙ୍କ ସହ  ସିଧାସଳଖ ଆଲୋଚନା କରିଥିଲେ। ଶିବିରରେ ଏବିଡିଓ ମନୋଜ ନାୟକ ,   ବିଏସଏସଓ କେଏସ୍ ନିଶା, ଏପିଓ ମାନସରଂଜନ କର,ଜୀବିକା ମିଶନର ନମିତା ତ୍ରିପାଠୀ, ସିଡିପିଓ ସୁଚେତା ପଣ୍ଡା, ଜିପିଇଓ, ପିଇଓ ଙ୍କ ସମେତ  ଶିକ୍ଷା, ସ୍ବାସ୍ଥ୍ୟ, ପ୍ରାଣୀଧନ, କୃଷି, ଜଳସେଚନ, ଉଦ୍ୟାନ, ରାଜସ୍ବ ଆଦି ବିଭାଗର ଅଧିକାରୀ, କ୍ଷେତ୍ର କର୍ମଚାରୀ ସରପଂଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟ ଆଦି ଭାଗ ନେଇଥିଲେ।