ଆଜି ଧନତେରସ…. ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗହଣା ଦୋକାନରେ ଗହଳି

ଭୁବନେଶ୍ବର : ଆଜି କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ.. ଆଜି ସାରା ଦେଶରେ ଧନତ୍ରୟୋଦଶୀ ବା ଧନତେରସ ଭାବେ ପାଳନ କରାଯାଉଛି । ଆଜିର ଦିନରେ ସୁନା ବା ମୂଲ୍ୟବାନ ଧାତୁ କିଣିଲେ ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ଲୋକମାନଙ୍କର ବିଶ୍ବାସ ରହିଛି ।

ଆଜି ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଥିବା ସୁନାଗହଣା ଦୋକାନଗୁଡ଼ିକରେ ଗହଳି ପରିଲକ୍ଷିତ ହେଉଥିବା ଦେଖାଯାଉଛି । ତେବେ କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥର ହାଲକା ଗହଳି ହୋଇଥିବା ପରିଲକ୍ଷିତ ହେଉଛି ।

ଭୁବନେଶ୍ବରରେ ଥିବା ଜୁଏଲାରୀ ଦୋକାନଗୁଡ଼ିକରେ କରୋନା ଗାଇଡଲାଇନର ଅନୁପାଳନ ମଧ୍ୟରେ ଲୋକମାନେ ସୁନା କିଣୁଛନ୍ତି । ସୋରୁମ ଗୁଡ଼ିକ ପକ୍ଷରୁ ମଧ୍ୟ ତାପମାତ୍ରା ଯାଞ୍ଚ ଓ ସାନିଟାଇଜର ବ୍ୟବହାର କରି ଗ୍ରାହକମାନଙ୍କୁ ଭିତରକୁ ଛଡ଼ାଯାଉଛି । ଦୋକାନଗୁଡ଼ିକରେ ଅଧିକ ଜନଗହଳିକୁ ନିୟନ୍ତ୍ରଣ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି । କୌଣସି ଦୋକାନରେ କୋଭିଡ ନିୟମର ଉଲ୍ଲଙ୍ଘନ ଓ ଅଧିକ ଗହଳି ହେଲେ ଉକ୍ତ ଦୋକାନକୁ ସିଲ କରିବାକୁ ମଧ୍ୟ ପୁଲିସକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏବର୍ଷ ମାନବ ସମାଜ କରୋନା ମହାମାରୀ କବଳିତ ହୋଇ ସଂକଟ ସମୟ ଦେଇ ଗତି କରୁଛି । ଏଣୁ ଲୋକମାନେ ସୁନାରୁପା ଆଦି ଧନ ବଦଳରେ ନିଜର ସ୍ବାସ୍ଥ୍ୟ ରକ୍ଷା ଦିଗରେ ଅଧିକ ସଚେତନ ହେବା ଉଚିତ । କାରଣ ସ୍ବାସ୍ଥ୍ୟ ହିଁ ପ୍ରକୃତ ସମ୍ପଦ ବୋଲି କେତେକ ବିଶେଷଜ୍ଞ କହିଛନ୍ତି ।

ପବିତ୍ର ଧନତେରସରେ ପୂଜା କରିବାର ଏକ ସ୍ବତନ୍ତ୍ର ମୂହୂର୍ତ୍ତ ଥାଏ । ଆଜି ତାହା ଅପରାହ୍ଣ ୫ଟା ୧୨ରୁ ୫ଟା ୫୯ ମିନିଟ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ଗଣେଷ, ମହାଲକ୍ଷ୍ମୀଙ୍କ ଆରାଧନା କରନ୍ତୁ ।

ସମ୍ବନ୍ଧିତ ଖବର