ଆଜି ଧନ୍‌ତେରସ୍‌: ସୁନା ବିକ୍ରିକୁ ନେଇ ବ୍ୟବସାୟୀ ଉତ୍ସାହିତ

ସୁନାର ଅପେକ୍ଷାକୃତ କମ୍ ଦାମ୍ ଗ୍ରାହକଙ୍କୁ ସୁହାଇବ, ନୂଆ ଅଳଙ୍କାର ସମ୍ଭାର ସହିତ ମନଲୋଭା ଅଫର

ଭୁବନେଶ୍ୱର : ଚଳିତ ବର୍ଷ ଧନ୍‌ତେରସ୍‌କୁ ନେଇ ଗହଣା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବେଶ୍‌ ଉତ୍ସାହିତ ରହିଛନ୍ତି। ଅନୁକୂଳ ପାଗ ସହ ସୁନା ମୂଲ୍ୟ ମଧ୍ୟ ଗତବର୍ଷ ତୁଳନାରେ ଅପେକ୍ଷାକୃତ ନିମ୍ନସ୍ତରରେ ଥିବାରୁ ଗ୍ରାହକମାନଙ୍କ ସଂଖ୍ୟାରେ ବଡ଼ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଭୁବନେଶ୍ବର ଓ ରାଜ୍ୟର ପ୍ରମୁଖ ସହରରେ ଥିବା ଅଳଙ୍କାର ସୋ’ରୁମ୍‌ଗୁଡ଼ିକ ଆଲୋକମାଳାରେ ବେଶ୍‌ ଆକର୍ଷଣୀୟ ସାଜସଜ୍ଜା କରିଛନ୍ତି। ଗ୍ରାହକମାନଙ୍କୁ ସପିଙ୍ଗ୍‌ର ଅନନ୍ୟ ଅନୁଭୂତି ଦେବା ଲାଗି ସବୁ ଦୃଷ୍ଟିରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଭିଡ୍ ଗାଇଡ୍‌ଲାଇନ୍‌କୁ ପାଳନ କରିବାଠାରୁ ଆରମ୍ଭ କରି ଗ୍ରାହକମାନଙ୍କୁ ସପିଙ୍ଗ୍‌ କରିବାର ସୁବିଧାଜନକ ସୁଯୋଗ ଦେବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଏକ ଅଳଙ୍କାର ପ୍ରତିଷ୍ଠାନର ଜଣେ ଅଧିକାରୀ କହିଛନ୍ତି ଯେ ଚଳିତବର୍ଷ ଧନ୍‌‌ତେରସ୍‌ରେ ବହୁତ ଭଲ ବ୍ୟବସାୟ ‌ହେବ ବୋଲି ଆମେ ଆଶା କରୁଛୁ। ‌ମହାମାରୀ ବ୍ୟାପିବା ପୂର୍ବବର୍ଷ ‌ଯେଉଁଭଳି ବିକ୍ରି ହୋଇଥିଲା, ଏଥର ସେଭଳି ବିକ୍ରି ହେବାର ସମ୍ଭାବନା ରହିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୬-୪୭ ହଜାର ଟଙ୍କା ମଧ୍ୟରେ ରହିଛି। ୨୦୨୦ ମୂଲ୍ୟ ତୁଳନାରେ ଏହା ୫% କମ୍। ଆଗକୁ ବିବାହ ଋତୁ ଆସୁଥିବା ବେଳେ ଲୋକମାନେ ସୁନା କିଣିବାକୁ ଚାହି ରହିଛନ୍ତି। ‌ତେଣୁ ଅଧିକ ଗ୍ରାହକ ସୋ’ ରୁମ୍‌କୁ ଆସିବେ ବୋଲି ସେ କହିଛନ୍ତି। ଧନ୍‌ତେରସ୍‌ରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି। ଲୋକମାନଙ୍କ ମନରେ ରହିଥିବା ସେହି ଭାବନାକୁ ନଜରରେ ରଖି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର, ସୁନା ଓ ରୁପା କଏନ୍ ଆଦି ‌ଯୋଗାଇବା ଲାଗି ସୁନା ଦୋକାନୀମାନେ ପ୍ରସ୍ତୁତ ହୋଇଛନ୍ତି। ସେମାନେ ବହୁ ଟନ୍ ସୁନା ମଗାଇଛନ୍ତି। ଏଥର ସୁନା, ହୀରା, ପ୍ଲାଟିନମ୍, ‌‌ପ୍ରିସିୟମ୍ ଷ୍ଟୋନ୍‌ଖଚିତ ଗହଣାର ବ୍ୟାପକ ସମ୍ଭାର ସୋ’ ରୁମ୍‌ଗୁଡ଼ିକରେ ରହିଛି। ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି କଂପାନିଗୁଡ଼ିକ ମନଲୋଭା ଅଫର୍‌ ସବୁ ଘୋଷଣା କରିଛନ୍ତି। ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ରିହାତି ସହିତ ହୀରା ଗହଣାର ମୂଲ୍ୟ ଉପରେ ରିହାତି ଘୋଷଣା କରାଯାଇଛି। କିଛି ବ୍ୟବସାୟୀ ପ୍ରତି ମାସ ସୁନା ଉପରେ ଆର୍ଥିକ ରିହାତି ଘୋଷଣା କରିଛନ୍ତି। ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କ ଲାଗି ସ୍ବତନ୍ତ୍ର ଅଳଙ୍କାର ସମ୍ଭାର ଆଣିଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ବଡ଼ ବଡ଼ ଗହଣା ସୋ’ରୁମ୍‌ଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ନିଜ ଆକର୍ଷଣୀୟ ଅଫର୍‌ଗୁଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରିବା ଲାଗି ଗଣମାଧ୍ୟମ ଓ ଡିଜିଟାଲ୍ ମିଡିଆରେ ବ୍ୟାପକ ପ୍ରଚାର କରାଯାଉଛି।

ସର୍ବଭାରତୀୟସ୍ତରରେ ଏଥର ଗହଣା ବିକ୍ରି ଉତ୍ସାହଜନକ ରହିବ ବୋଲି ଆଶା ପ୍ରକଟ କରାଯାଇଛି। ଅଲ୍‌ ଇଣ୍ଡିଆ ଜେମସ୍‌ ଆଣ୍ଡ୍ ଜୁଏଲାରି ଡୋମେଷ୍ଟିକ୍ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଆଶିଷ ପିଠେ କହିଛନ୍ତି ଯେ ନବରାତ୍ରିରୁ ଅଳଙ୍କାରକୁ ନେଇ ଚାହିଦାରେ ଯେଉଁ ବୃଦ୍ଧି ହୋଇଛି, ତାହା ଧନ୍‌ତେରସ୍‌ ପର୍ଯ୍ୟନ୍ତ ଜାରି ରହିବ। ଚଳିତବର୍ଷ ଉତ୍ସବ ମନାଇବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି। ମହାମାରୀର ପ୍ରଭାବ ଏକପ୍ରକାର ଦୂର ହେବା, ସୁନା ଦାମ୍ ଅପେକ୍ଷାକୃତ କମ୍ ରହିବା ଓ ଆଗାମୀ ଦିନ‌ରେ ବିବାହ ଋତୁ ଥିବାରୁ ବିକ୍ରି ବଢ଼ିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି। ଚଳିତ ବର୍ଷର ଅକ୍ଟୋବର-ନଭେମ୍ବରରେ ବର୍ଷ ସାରାର ୪୦% ଅଳଙ୍କାର ବିକ୍ରି ହେବ ବୋଲି ସେ କହିଛନ୍ତି।

The Himalayan Times

ବିଶ୍ବ ସୁନା ପରିଷଦର ପରିଚାଳନା ନିର୍ଦ୍ଦେଶକ ସୋମାସୁନ୍ଦରମ୍ ପିଆର୍‌ କହିଛନ୍ତି ଯେ ଏଥର ବିକ୍ରି ମହାମାରୀ ପୂର୍ବବର୍ତୀ ସମୟକୁ ଫେରି ଆସିବ। ମହାମାରୀ ଯୋଗୁଁ ଦୁଇବର୍ଷ ଲୋକମାନେ ମାନସିକ ଚାପରେ ରହିଛନ୍ତି। ‌ଏବେ ସେମାନେ ନିଜର ଖୁସି ପାଇଁ ଓ ସମ୍ପତ୍ତି ସୃଷ୍ଟି କରିବା ଲାଗି ସୁନା ଓ ଅଳଙ୍କାରରେ ନିବେଶ କରିବାକୁ ଚାହୁଛନ୍ତି। ସେଥିପାଇଁ ଏବର୍ଷ ଭଲ ବିକ୍ରି ହେବ ବୋଲି ଆଶା କରାଯାଉଛି। ମହାମାରୀ ପରେ ଅନେକ ‌ଗ୍ରାହକ ସୁନା କିଣିବା ନିଷ୍ପତ୍ତକୁ ଟାଳି ଦେଇଛନ୍ତି। ସେମାନେ ଏଥର ଧନ୍‌ତେରସ୍‌ ଅଫର୍‌ର ଲାଭ ଉଠାଇ ସୁନା କିଣିବାକୁ ଚାହିବେ ବୋଲି ସେ କହିଛନ୍ତି। ଭଲ ମୌସୁମୀ ବର୍ଷା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା କୋହଳ ହୋଇଥିବାରୁ ଲୋକମାନଙ୍କୁ ସପିଙ୍ଗ୍‌ କରିବାରେ ବିଶେଷ ଅସୁବିଧା ହୋଇନପାରେ ବୋଲି ଶ୍ରୀ ସେନ୍ କହିଛନ୍ତି। ୨୦୨୦ ତୁଳନାରେ ୨୦୨୧ର ଅଧିକାଂଶ ସମୟରେ ସୁନା ବିକ୍ରି ଅଧିକ ରହିଛି।

୨୦୨୧ର ଜୁଲାଇ-ସେପ୍ଟେମ୍ବରରେ ଅଳଙ୍କାର ଚାହିଦାରେ ୫୮% ବୃଦ୍ଧି ହୋଇ ୯୬.୨ ଟନ୍ ସୁନା ବିକ୍ରି ହୋଇଛି। ଏଥର ଲୋକମାନେ ଉଭୟ ଅନ୍‌ଲାଇନ୍‌ ଓ ଷ୍ଟୋର୍‌ରେ ପହଞ୍ଚି ସୁନା କିଣିବେ ବୋଲି ଆକଳନ କରାଯାଇଛି। କିନ୍ତୁ ଅନ୍‌ଲାଇନ୍‌ରେ କିଣାକିଣି ୨୦୨୦ ତୁଳନାରେ କମ୍ ରହିବ। କାରଣ ସୁନା ଓ ହୀରା ଭଳି ଅଳଙ୍କାରକୁ ଲୋକମାନେ ନିଜେ ଦେଖିବା ଓ ପରଖିବା ପରେ କିଣିବାକୁ ପସନ୍ଦ କରନ୍ତି। ଏବେ ବି ରାଜ୍ୟର ଗ୍ରାହକମାନେ ଷ୍ଟୋର୍‌ରୁ ସୁନା କିଣିବାକୁ ଚାହୁଛନ୍ତି ବୋଲି ଅନ୍ୟ ଜଣେ ଗହଣା ବ୍ୟବସାୟୀ କହିଛନ୍ତି।

ସମ୍ବନ୍ଧିତ ଖବର