ମଥୁରାନଗରୀ: ଐତିହ୍ୟ ସମ୍ପନ୍ନ ମାଟି ବରଗଡ଼। ଏହି ମାଟିର କଳା, ସାହିତ୍ୟ, ସଂସ୍କୃତି ଜିଲ୍ଲାକୁ ରୁଦ୍ଧିମନ୍ତ କରିଛି। ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଧନୁଯାତ୍ରା ଆଜି ସମଗ୍ର ବିଶ୍ୱବିଦିତ। ପ୍ରାଚୀନ ପରମ୍ପରା ଓ ଲୋକରୀତି ଆଧାରରେ ଏହି ଯାତ୍ରା ପାରମ୍ପରିକତାକୁ ବଜାୟ ରଖି ସ୍ୱାଧୀନୋତ୍ତର ସମୟରୁ ପାଳିତ ହୋଇ ଆସିବା ଅତ୍ୟନ୍ତ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ରବିବାର ବରଗଡ଼ ଧନୁଯାତ୍ରାରେ ରାଜଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, ଚଳିତବର୍ଷ ବରଗଡ଼ର ଐତିହ୍ୟ, ସଂସ୍କୃତି ତଥା ଜିଲ୍ଲାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ଧନୁଯାତ୍ରାକୁ ଆହୁରି ଭବ୍ୟ ଓ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ରାଶିକୁ ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାତ୍ରାରେ ଅଂଶଗ୍ରହଣ କରିଥିବା ପ୍ରମୁଖ ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରିଥିଲେ। ଏଥିସହିତ ଧନୁଯାତ୍ରାକୁ ୟୁନେସ୍କୋଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ ସହିତ ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ଏକ ସମର୍ପିତ ୱେବ୍ସାଇଟ୍ ପ୍ରସ୍ତୁତ କରାଯାଇଛି। ବିଗତ ବର୍ଷମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା କଳାକାର କିମ୍ବା ସେମାନଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଅନୁଦାନ କୋଟିଏକୁ ବୃଦ୍ଧି
ନିର୍ମାଣ ହେବ ସ୍ଥାୟୀ ରଙ୍ଗମଞ୍ଚ
୧୭୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ରାଶି ପ୍ରଦାନ
ଧନୁଯାତ୍ରା ବିଷୟରେ ନାଟ୍ୟଶିକ୍ଷା ଦେବ ନ୍ୟାସ୍ନାଲ୍ ସ୍କୁଲ ଅଫ୍ ଡ୍ରାମା
ସମ୍ବଲପୁର ଓ ବରଗଡ଼କୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ବରଗଡ଼ର ସର୍ବଜନବିଦିତ ଧନୁଯାତ୍ରା ଲୋକନାଟକ ପରମ୍ପରାର ଏକ ସାର୍ଥକ ରୂପାୟନ। ଆମ ଓଡ଼ିଆ ଅସ୍ମିତାର ଏକ ବଳିଷ୍ଠ ପରିଚୟ। ତେଣୁ ଆମର ଏହି ଅସ୍ମିତାର ପରିଚୟକୁ ଆହୁରି ଉଜ୍ଜଳ କରିବା ପାଇଁ ଆମ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଧନୁଯାତ୍ରା ପାଇଁ ବରଗଡ ସହରରେ ଏକ ସ୍ୱତନ୍ତ୍ର ଚିତ୍ତାକର୍ଷକ ତୋରଣ (ଗେଟ୍) ନିର୍ମାଣ କରାଯିବ। ଧନୁଯାତ୍ରାର ମୁଖ୍ୟ ରଙ୍ଗମଞ୍ଚକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବରେ କରାଯାଇ ନାଟ୍ୟ ପରିବେଷଣ କରାଯାଉଛି। ଏହାର ସମାଧାନ ପାଇଁ ରାଜ୍ୟ ସରକାର ଏକ ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୧୨ କୋଟି ୮୦ ଲକ୍ଷ ଟଙ୍କାର ଡିପିଆର୍ ପ୍ରସ୍ତୁତ କରାଯାଇଛି। କଳାକାରମାନେ ଏକ ନିର୍ଦ୍ଦିଷ୍ଟ ସୁଦୃଶ୍ୟ ମଞ୍ଚରେ କଳା ପ୍ରଦର୍ଶନ କରିପାରିବେ ଏବଂ ସହରରେ ହେଉଥିବା ଅନ୍ୟାନ୍ୟ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଏହି ମଞ୍ଚରେ ପରିବେଷଣ କରାଯାଇପାରିବ। ଜିଲ୍ଲାର କଳା ଓ ସଂସ୍କୃତିକୁ ଆହୁରି ଉଜ୍ଜଳ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେବଳ ସେତିକି ନୁହେଁ, ଧନୁଯାତ୍ରା ଭଳି ବିଶ୍ୱ ପ୍ରସିଦ୍ଧ ମହୋତ୍ସବର ଡକୁମେଣ୍ଟେସନ୍ ସହିତ ଧନୁଯାତ୍ରା ବିଷୟରେ ଛାତ୍ରଛାତ୍ରୀଙ୍କୁ ନାଟ୍ୟ ଶିକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମା ସହିତ ଅନୁବନ୍ଧିତ ହୋଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ଏହି ଅବସରରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ବଲପୁର ଓ ବରଗଡ଼କୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ପୌଷ ମାସରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଜିଲ୍ଲାରେ ଧାନଚାଷ ବହୁଳ ପରିମାଣରେ ହୋଇଥାଏ। ଜିଲ୍ଲାର ଅଧିବାସୀମାନେ ଧାନ ଅମଳ କରି ପୌଷ ମାସରେ ବିଶ୍ରାମ ନେବା ପୂର୍ବକ ଆନନ୍ଦ ଉଲ୍ଲସିତ ରହି ଯାନିଯାତ୍ରା ଓ ମେଳା ଉତ୍ସବକୁ ଆଦରି ନେଇଥାନ୍ତି। କୃଷ୍ଣ ହେଉଛନ୍ତି ଗୋପାଳକ ଏବଂ ଗୋ-ରକ୍ଷକ। ବଡ଼ଭାଇ ବଳରାମ ହେଉଛନ୍ତି ହଳଧାରୀ। କୃଷକମାନେ କୃଷି କାର୍ଯ୍ୟ ଶେଷରେ ଏହି ଦୁଇ ପ୍ରତୀକ ଦେବତାଙ୍କୁ ପୂଜା କରିଥାନ୍ତି। ୧୯୪୮ ମସିହାରୁ ପ୍ରାଚୀନ ପରମ୍ପରା ଓ ଲୋକରୀତିକୁ ବଜାୟ ରଖି ଏହିଯାତ୍ରା ପାଳିତ ହୋଇ ଆସୁଥିବା କମ୍ ଗୌରବର କଥା ନୁହେଁ। ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଏ ମାଟିର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଏ ମାଟିର ସୁରକ୍ଷା ପାଇଁ ବ୍ରିଟିସ ଶାସକ ବିରୋଧରେ ଲଢେଇ କରିଛନ୍ତି ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହଙ୍କ ପରି ମହାନ୍ ଦେଶ ଭକ୍ତ। ଘେଁସ ଜମିଦାର ମାଧୋ ସିଂହଙ୍କ ବଳିଦାନକୁ ଏ ଦେଶ ଓ ଜାତି କେବେ ହେଲେ ଭୁଲିପାରିବ ନାହିଁ। ଦେଶ ମାତୃକାର ସେବାରେ ଗୋଟିଏ ପରିବାରର ସମସ୍ତେ ସହିଦ ହୋଇଥିବା ଏକ ବିରଳ ଦୃଷ୍ଟାନ୍ତ। ଏହି ପବିତ୍ର ମାଟିରୁ ମୁଁ ସେହି ମହାନ୍ ଦେଶଭକ୍ତ ସଂଗ୍ରାମୀମାନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/13/aiIl5Zkvd2EjLoDw7IZV.jpg)