ଧର୍ମଶାଳା : ବୁଥ୍ ଜବରଦଖଲ, ବାଲାଟ୍ ପେପର ଚିରାଫିଙ୍ଗା, ମାରପିଟ୍ ଆଦି ରାଜନୈତିକ ହିଂସାକାଣ୍ତ ମଧ୍ୟରେ ସରିଲା ଧର୍ମଶାଳା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଠାରେ ୭୮.୦୯ ପ୍ରତିଶତ ମତଦାନ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେଓଦା ପଞ୍ଚାୟତ ନାଳକୂଳ ଗ୍ରାମର ୬ ଓ ୭ନମ୍ବର ବୁଥ୍ ଏବଂ ଅରାବଳ ପଞ୍ଚାୟତର ନାଳକୂଳ ଗାଁର ୮ନମ୍ବର ବୁଥରେ ଭୋଟ୍ ବନ୍ଦ କରି ଦିଆଯିବା ସହିତ ଏସବୁ ସ୍ଥାନରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଥିବା ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଇନିହୁଡ଼ା ପ୍ରାଥମିକ ବିଦ୍ୟାଳୟର ୬ ଓ ୭ ଏବଂ ନାଳକୂଳ ପ୍ରାଥମିକ ବିଦ୍ୟାଳୟର ୮ନମ୍ବର ବୁଥ୍ରେ ସକାଳ ୭ଟା ଠାରୁ ୯ଟା ପର୍ଯ୍ୟନ୍ତ ଠିକ୍ ଭାବେ ମତଦାନ ଚାଲିଥିଲା। ପରେ କିଛି ଅସାମାଜିକ ବ୍ୟକ୍ତି ବଳପୂର୍ବକ ଭୋଟ୍ ଦେବା ସହିତ ବୁଥ୍ ଜବରଦଖଲ କରିଥିଲେ। ଗଣ୍ତଗୋଳ ଖବର ପାଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍ପି ରାହୁଲ ପିଆର୍ ଏସବୁ ବୁଥ୍ ପରିଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2022/02/4d5035a0-e948-461a-b7a7-7ec816c95053.jpg)
ସେହିପରି ଜାରକା ପଞ୍ଚାୟତର ଶଙ୍ଖାରିଡିହ ଗାଁ ବୁଥ୍ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚିଥିଲା। ଏହି ଗ୍ରାମର ଟିକରସାହିରେ ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ସମର୍ଥକମାନେ ଭୋଟରମାନଙ୍କୁ ଶାଢ଼ି ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ପ୍ରତିପକ୍ଷ ଗୋଷ୍ଠୀ ୪ଜଣଙ୍କୁ ଧରି ପୁଲିସ୍ ଜିମା ଦେଇଥିଲେ। ଥାନୁଆଳ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଖବରପାଇ ପୁଲିସ୍ ପହଞ୍ଚି ବିବାଦର ସମାଧାନ କରିଥିଲା। ଭୋଟ୍ ଦେବାପାଇଁ ସକାଳ ୭ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲେ ହେଁ କେତେକ ବୁଥ୍ରେ ଅପରାହ୍ଣ ୪ଟାଯାଏ ଭୋଟ ଗ୍ରହଣ ହୋଇଥିଲା।
/sambad/media/post_attachments/wp-content/uploads/2022/02/5f748be0-24ca-4aa9-bfdb-530376d4948d.jpg)
ଜାରକା ପ୍ରାଥମିକ ବିଦ୍ୟାଳୟରେ ପ୍ରସ୍ତୁତ ପିଙ୍କ୍ ବୁଥ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ମହିଳା ପୁଲିଂ କର୍ମଚାରୀମାନେ ଭୋଟ୍ ପରିଚାଳନା କରିଥିଲେ। ଯାଜପୁର ଜିଲ୍ଲା ପାଇଁ ନିୟୋଜିତ ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ କୁମାର ମିଶ୍ର, ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଏସ୍ପି ନୃସିଂହ ଚରଣ ବାରିକ, ବିଡିଓ ଅରବିନ୍ଦ ବେହେରା, ତହସିଲଦାର ସ୍ବାଗତ ଦାସ, ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ବିଭିନ୍ନ ବୁଥ୍ ପରିଦର୍ଶନ କରିଥିଲେ। ଭୋଟ୍ ସରିବା ପରେ ପୁଲିଂ ପାର୍ଟି ଜାରକାସ୍ଥିତ ଧର୍ମଶାଳା ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ୍ ରୁମ୍ରେ ଭୋଟ ବାକ୍ସଗୁଡ଼ିକୁ ଦାଖଲ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ବାକ୍ସ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍ ହୋଇଯାଇଛି। ଆସନ୍ତା ୨୬, ୨୭ ଓ ୨୮ତାରିଖରେ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ହେବ ବୋଲି ଜିପିଇଓ ଦିବ୍ୟକାନ୍ତି ମିଶ୍ର ଓ କର୍ମଚାରୀ ରତିକାନ୍ତ ଜେନା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/791209ac-2b7b-4bb9-91ba-ba5175db22d3.jpg)