ସମବାୟ କର୍ମଚାରୀ ଚାଷୀଙ୍କ ସମସ୍ୟା ସହ ନିଜକୁ ଯୋଡ଼ନ୍ତୁ

କୃଷି ସମବାୟ ଓ ଲ୍ୟାମ୍ପସ୍‌ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀଙ୍କ ଧାରଣା ୨୦ଦିନରେ

ଭୁବନେଶ୍ୱର : ନିଖିଳ ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାସଂଘ ଓ ଓଡ଼ିଶା ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ମସନ୍ଵୟ ସମିତିର ଧାରଣା ୨୦ଦିନରେ ପହଞ୍ଚିଛି। ଗତମାସ ଅକ୍ଟୋବର ୩୦ତାରିଖରୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଜାରି ରହିଛି। ଆଜି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଧାରଣାସ୍ଥଳକୁ ଯାଇ ମହାସଂଘର ଦାବିକୁ ସମର୍ଥନ ଜଣାଇଥିଲେ। ଏହି ଅବସରରେ ସେ କହିଲେ, ସମିତିରେ ୮ହଜାର କର୍ମଚାରୀ ରହିଛନ୍ତି। ମାତ୍ର ରାଜ୍ୟର ୮୦ଲକ୍ଷ ଲୋକଙ୍କୁ ଏହି ବୃତ୍ତି ଯୋଡ଼ି ପାରୁଛି। ଚାଷୀ ଭଲରେ ଚାଷ କରିବାଠାରୁ ଆରମ୍ଭ କରି ଅମଳ ଓ ବିକ୍ରିବଟା ପର୍ଯ୍ୟନ୍ତ ସମବାୟ ଓ ଲ୍ୟାମ୍ପସ କର୍ମଚାରୀ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି। ସଂଖ୍ୟା କମ୍‌ ଯୋଗୁଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିହେବ ନାହିଁ ବୋଲି ଭାବିବା ଉଚିତ ନୁହେଁ। ନିଜର ଶକ୍ତି ଓ ଶତ୍ରୁଙ୍କୁ ପ୍ରଥମେ ଚିହ୍ନିବାକୁ ପଡ଼ିବ। କ’ଣ କଲେ ସଫଳ ହେବ ତାହାକୁ ମଧ୍ୟ ଜାଣିବା ଦରକାର।

ସେ ଆହୁରି କହିଲେ ଯେ ସବୁବେଳେ ନିଜ ବିଷୟରେ ନ କହି ଅନ୍ୟର ସମସ୍ୟା ବିଷୟରେ କହିବାର ଅଭ୍ୟାସ କରିବା ଦରକାର। ଚାଷୀଙ୍କ କଥା କହିଲେ ସେମାନେ ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀଙ୍କ କଥା କହିବେ। ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀଙ୍କ ବ୍ୟବସାୟ ଓ ଆର୍ଥିକ ଉପାର୍ଜନ କିଭଳି ବଢ଼ିବ ଏ ବିଷୟରେ ଖୋଲା ଆଲୋଚନା ହେବା ଆବଶ୍ୟକ। ସଂଖ୍ୟା ଖେଳରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ ନ କଲେ କୌଣସି ଆନ୍ଦୋଳନ ସଫଳ ହୋଇପାରିବ ନାହିଁ। ତେଣୁ ଆସନ୍ତା ନିର୍ବାଚନରେ ସମସ୍ତ ରାଜନୈତିକ ଦଳଙ୍କୁ ନିଜର ଦାବି ପୂରଣ କରିବାକୁ ବାଧ୍ୟ କରନ୍ତୁ। ଯେଉଁ ଦଳ ଏହାକୁ ସ୍ପଷ୍ଟ କରିବେ ନାହିଁ ସେମାନଙ୍କୁ ସମର୍ଥନ କରନ୍ତୁ ନାହିଁ। ଆସନ୍ତା ୨୩ତାରିଖରେ ଗାନ୍ଧୀ ବାଦୀ ନେତା ଆନ୍ନା ହଜାରେ ଓଡ଼ିଶା ଆସୁଥିବା ବେଳେ ତାଙ୍କୁ ସମର୍ଥନ ଜଣାଇ ସମସ୍ତ କର୍ମଚାରୀମାନେ ନିଜର ଶକ୍ତି ପ୍ରଦର୍ଶନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ କରିଥିଲେ।ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଚାଷୀଙ୍କ ସହିତ ଜଡ଼ିତ ସମସ୍ତ ସମବାୟ କର୍ମଚାରୀ ଯଦି ଚାଷୀଙ୍କ ସହିତ ଛିଡ଼ା ହେବେ ତାହାଲେ ଚାଷୀଙ୍କ ସମସ୍ୟା ସୁଧୁରିବ। ଭିତ୍ତିଭୂମିର ବିକାଶ ଓ ଆନ୍ଦୋଳନ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ। ଯାହାଫଳରେ ସେମାନେ ଚାଷୀଙ୍କୁ ଠିକ୍‌ ଭାବେ ସେବା ଦେଇପାରିବେ।

୫ଦଫା ଦାବି ନେଇ ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀମାନେ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କାର୍ଯ୍ୟରତ ସମବାୟ ସମିତି ଓ ଲ୍ୟାମ୍ପସ କର୍ମଚାରୀଙ୍କୁ ସରକାର କର୍ମଚାରୀର ମାନ୍ୟତା, କର୍ମଚାରୀଙ୍କ ଦରମା ସରକାର ବହନ କରିବା, ଚଳିତବର୍ଷ ଜାନୁଆରି ମାସରେ ସମବାୟ ବିଭାଗ ଦେଇଥିବା ରିପୋର୍ଟରେ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା, ସମବାୟ ସମିତି ଓ ଲ୍ୟାମ୍ପସ ନିର୍ବାଚିତ ପ୍ରତିନିଧିଙ୍କୁ ସରକାର ସମ୍ମାନଜନକ ଭତ୍ତା ପ୍ରଦାନ, ଜାତୀୟ ପେନସନ ଯୋଜନାରେ କର୍ମଚାରୀଙ୍କୁ ସାମିଲ କରିବା ଏବଂ ସମବାୟ ସମିତି ଓ ଲ୍ୟାମ୍ପସଗୁଡ଼ିକୁ ରାଜ୍ୟ ସରକାର ବିନା ମୂଲ୍ୟରେ ସରକାରୀ ଜାଗା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଆନ୍ଦୋଳରେ ସଭାପତି ଘନଶ୍ୟାମ ଜେନା, ସନ୍ତୋଷ କୁମାର ବଳିୟାରସିଂହ, ନିତ୍ୟାନନ୍ଦ ଦାଶ, କେଳୁଚରଣ ଜଗଦେବ, ନିରଞ୍ଜନ ସାହୁ ଓ ରାଧାମୋହନ ସାମଲ ପ୍ରମୁଖ ନେତୃତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର