ଧର୍ମଗଡ଼ : ୨୦୧୯ ସାଧାରଣ ନିର୍ବାଚନରେ ନବୀନ ସରକାର ଚତୁର୍ଥ ଥର ପାଇଁ ଶାସନକୁ ଆସିଥିଲେ। ଶାସନକୁ ଆସିବା ପୂର୍ବରୁ ଧର୍ମଗଡ଼ ଠାରେ ଏକ ଆଇଟିଆଇ ସ୍ଥାପନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତିମଧ୍ୟରେ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଆଇଟିଆଇ ସ୍ଥାପନ କେବଳ କାଗଜ କଲମରେ ସୀମିତ ରହିଛି। ଏବେ ଏହି ଶିଳ୍ପ ତାଲିମ କେନ୍ଦ୍ର କୁଆଡ଼େ ଜୁନାଗଡ଼ ଯିବ ବୋଲି ଆଲୋଚନା ହେଉଛି। ଏହା ପରେ ଧର୍ମଗଡ଼ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ସୂଚନାମତେ, ଧର୍ମଗଡ଼ ସହରରେ ଏକ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସ୍ଥାପନ କରାଯିବା ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ଼ରେ ଏହାର ଶିଳାନ୍ୟାସ କଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହାର ଆଡ୍‌ମିନିଷ୍ଟ୍ରେଟିଭ ଆପ୍ରୁଭାଲ ମଧ୍ୟ ହେଲା। ଆପ୍ରୁଭାଲରେ ସ୍ପଷ୍ଟ ଭାବେ ଧର୍ମଗଡ଼ ଠାରେ ଏହା କରାଯିବ ବୋଲି ଉଲ୍ଲେଖ ରହିଛି। ୯କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହେବା ପାଇଁ ସ୍ଥିର କରାଗଲା। ଧର୍ମଗଡ଼ ସହର ୱାର୍ଡ ନଂ-୧୩ ବିଜୁ ଏକ୍ସପ୍ରେସ ରାସ୍ତା କଡ଼ରେ ଏଥିପାଇଁ ଜାଗା ମଧ୍ୟ ଚିହ୍ନଟ ହୋଇଛି। ଟେଣ୍ଡର ଡକାଯାଇଥିବା ବେଳେ ଭାଇକୃପା ରିସୋର୍ସ ଏମ.ଡି. ଗୌତମ କୁମାର ଅଗ୍ରୱାଲ ଟେଣ୍ଡର ପାଇଛନ୍ତି। ଏଗ୍ରିମେଣ୍ଟ ଅନୁସାରେ କାର୍ଯ୍ୟାରମ୍ଭ ତାରିଖ ୨୪-୧୧-୨୦୨୧ ହୋଇଥିବା ବେଳେ ଉକ୍ତ ଦିନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଆଇଟିଆଇ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ପୂଜାର୍ଚ୍ଚନା ପୂର୍ବକ କାର୍ଯ୍ୟାରମ୍ଭ କରିଥିଲେ। ତେବେ ଦୀର୍ଘ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଠାରେ ଇଟା ଖଣ୍ଡେ ପଡ଼ି ନାହିଁ କିମ୍ବା କୌଣସି କାର୍ଯ୍ୟାରମ୍ଭ ମଧ୍ୟ ହୋଇନାହିଁ।

ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଆଇଟିଆଇ ଧର୍ମଗଡ଼ ଠାରେ ହେବ ନା ଧର୍ମଗଡ଼ ଇଲେକ୍ଟ୍ରି ଡିଭିଜନ ଅନ୍ୟତ୍ର ସ୍ଥାନାନ୍ତର ହେବା ପରି ଏହା ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ଜରୁରୀକାଳୀନ ବୈଠକ ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି ଆବାହନକ୍ରମେ ଅନୁଷ୍ଠିତ ହୋଇଛି। ତୁରନ୍ତ ଧର୍ମଗଡ଼ ଠାରେ ଶିଳ୍ପ ତାଲିମ କେନ୍ଦ୍ର କାର୍ଯ୍ୟାରମ୍ଭ ନହେଲେ ଜୋର୍‌ଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।