ଧର୍ମଗଡ଼: ଧର୍ମଗଡ଼-ଭବାନୀପାଟଣା ବଡ଼ବସୁଲ ଜାତୀୟ ରାଜପଥରେ ଥିବା ହାଲେର ନାଳ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏକ ମାସ ମଧ୍ୟରେ ଦୁଇ ଥର ନିର୍ମାଣାଧୀନ ଆପ୍ରୋଚ ରୋଡ଼ ଧୋଇ ଯାଇ ପ୍ରାୟ ପାଞ୍ଚ ଦିନ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ରବିବାର ରାତିରୁ ଏହି ଆପ୍ରୋଚ ରୋଡ଼ରେ ତିନି ଫୁଟ୍ ବର୍ଷା ପାଣି ପ୍ରବାହିତ ହୋଇଥିବାରୁ ଗମନାଗମନ ଠପ୍ ହୋଇପଡ଼ିଛି। ଏହି ଜାତୀୟ ରାଜପଥ ଧର୍ମଗଡ଼ ଉପଖଣ୍ଡର ଜୁନାଗଡ଼, ଗୋଲାମୁଣ୍ଡା ଓ ସଦର ମହକୁମା ଭବାନୀପାଟଣାକୁ ସଂଯୋଗ କରିଛି। ଏପରିକି ଏହି ରାସ୍ତା ଦେଇ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର, ନୂଆପଡ଼ା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅଞ୍ଚଳର ଲୋକେ ଯିବାଆସିବା କରିଥାନ୍ତି।
ଏହି ରାସ୍ତା ଦେଇ ସରକାରୀ ଅଧିକାରୀମାନେ ନିୟମିତ ଜିଲ୍ଲା ମୁଖ୍ୟାଳୟକୁ ସରକାରୀ କାର୍ଯ୍ୟରେ ଯାଇଥାନ୍ତି। ଏହି ରାସ୍ତା ଦେଇ ଜୁନାଗଡ଼ ଓ ଭବାନୀପାଟଣାକୁ ଅତି କମ୍ ସମୟ ଲାଗୁଥିବା ବେଳେ ବର୍ତ୍ତମାନ ଲୋକେ ବୋଡେ଼ନ-ତରାପୁର ରାସ୍ତା ଦେଇ ପ୍ରାୟ ୪୦ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରି ଜୁନାଗଡ଼ ଓ ଭବାନୀପାଟଣାକୁ ଯିବାଆସିବା କରୁଛନ୍ତି। ଅନ୍ୟପକ୍ଷରେ ଧର୍ମଗଡ଼ରୁ କାଲୋପଲା ଛକ ରାସ୍ତା ଶୋଚନୀୟ ହୋଇ ପଡ଼ିଥିବାରୁ ମାତ୍ର ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଲୋକେ କହୁଛନ୍ତି। ସ୍କୁଲ, କଲେଜ, କୋର୍ଟ, କଚେରି କାର୍ଯ୍ୟରେ ଧର୍ମଗଡ଼, ଜୁନାଗଡ଼ ଏବଂ ଭବାନୀପାଟଣାକୁ ନିୟମିତ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ନାଳ ଯୋଗୁଁ ବାରମ୍ବାର ଯିବାଆସିବା ବନ୍ଦ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ଆପ୍ରୋଚ ରୋଡ଼ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଓ ନିର୍ମାଣାଧୀନ ପୋଲ କାର୍ଯ୍ୟ ଠିକ ଭାବେ ଠିକ୍ ସମୟରେ ନକଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/23-8.jpg)