ଧର୍ମପଦ ପୁରସ୍କାର ପ୍ରଦାନ ଉତ୍ସବ

୨୦୨୦ ମସିହା ପର୍ଯ୍ୟନ୍ତ ସମସ୍ତ ପୁରସ୍କାର ଦିଆଗଲା, ତରବରରେ ସାରିଦେଲେ ସମ୍ବର୍ଧନା ପର୍ବ

ଭୁବନେଶ୍ୱର : ଧର୍ମପଦ ପୁରସ୍କାର ଘୋଷଣାର ମାତ୍ର ଦିନକ ପରେ ଶିଳ୍ପୀଙ୍କୁ ସମ୍ବର୍ଧିତ କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା ହୋଇ ମଧ୍ୟ ୫ ବର୍ଷ ଧରି ଦିଆଯାଇ ପାରିନଥିବାରୁ ଏଥର ଆଉ ରିସ୍କ ନେବାକୁ ଚାହିଁଲା ନାହିଁ ବିଭାଗ। ତେଣୁ ରବିବାର ଭଳି ଛୁଟିଦିନରେ, ସକାଳୁ ସମ୍ବର୍ଧନା କାର୍ଯ୍ୟ ଆୟୋଜନ କରି ଶିଳ୍ପୀ ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଛି।

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ୫ଜଣଙ୍କୁ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ପୁରସ୍କାର ଏବଂ ୨୫ ଜଣଙ୍କୁ ଶିଳ୍ପୀ ସମ୍ବର୍ଧନା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ନିମନ୍ତେ ଜଗଦୀଶ ଚନ୍ଦ୍ର କାନୁନ ଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ନିମନ୍ତେ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି, ତାମ୍ରଫଳକ ଓ ଉପଢ଼ୌକନ ସହ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି।

ଏଥିସହ ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଶିଳ୍ପୀ ସମ୍ବର୍ଧନା ପୁରସ୍କାରରେ ସମ୍ବର୍ଧିତ ହୋଇଛନ୍ତି ଚନ୍ଦ୍ର କୁମାର ସାମନ୍ତରାୟ, ଶରତ ଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ, ବାଞ୍ଛାନିଧି ପଟ୍ଟନାୟକ, ଯୋଗେଶ ପ୍ରସାଦ ଦାନୀ, ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳୀ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ, ଡ. ଅଲେଖ ଚରଣ ସାହୁ, ଶ୍ରୀଧର ମହାରଣା, ଗୋକୁଳାନନ୍ଦ ଦାସ, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା, ଅଶୋକ କୁମାର ମହାନ୍ତି, ଶ୍ରୀନିବାସ ପଢ଼ିଆରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ପ୍ରଶାନ୍ତ କୁମାର ଦାସ, ଗୌରାଙ୍ଗ ବାରିକ, ରବିନାରାୟଣ ରଥ, ବିଜୟ କୁମାର ପରିଡ଼ା, ପ୍ରଭାକର ମହାରଣା, ଦୀନବନ୍ଧୁ ମହାପାତ୍ର ଓ ବୃନ୍ଦାବନ ମହାରଣା।

ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦେଶକ ରଂଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସଚିବ ଗଜେନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏକାଡେମିର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତରବରରେ ସାରିଦେଲେ ସମ୍ବର୍ଧନା ପର୍ବ
ଧର୍ମପଦ ପୁରସ୍କାର ଦୀର୍ଘଦିନ ଧରି କାଠଗଡ଼ାରେ ପଡ଼ି ରହିବା ପରେ ଏଥିରୁ ଶିକ୍ଷା ଲାଭ କରିଥିଲା ଓଡ଼ିଶା ଲଳିତ କଳା ଏକାଡେମି। ତେଣୁ ପୁରସ୍କାରରେ ଯେମିତି ଆଉ କେଁ ନ ପଶେ ଏବଂ ଏହି ପୁରସ୍କାର ପର୍ବ ସୁରୁଖୁରୁରେ ଶେଷ ହେବ ସେନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆଗରୁ ନୀଳନକ୍ସା ପ୍ରସ୍ତୁତ କରିସାରିଥିଲା। ତେଣୁ ପୁରସ୍କାର ଘୋଷଣାର ମାତ୍ର ଗୋଟିଏ ଦିନ ପରେ ଆଜି ପୁରସ୍କାର ପର୍ବକୁ ତରବରିଆ ଭାବେ ‌ସାରି ଦିଆଯାଇଛି। ବହୁ ବୟସ୍କ ଶିଳ୍ପୀ ପ୍ରତିଭା ପୁରସ୍କାର ପାଇଁ ଚୟନ ହୋଇଥିବାରୁ ପୁରସ୍କାରରେ କେଁ ପଶିବା ଆଗରୁ ଏହାକୁ ସାରିଦେଇ ସଂସ୍କୃତି ବିଭାଗ ଉଚିତ୍‌ ପଦକ୍ଷେପ ନେଇଛି ବୋଲି ଅନେକ କହୁଛନ୍ତି। ତେବେ ଆଉ କିଛି ଶିଳ୍ପୀଙ୍କ ମତ ଏହି ଯେ ପୁରସ୍କାର ଘୋଷଣାର ମାତ୍ର ଦିନକ ପରେ, ପୁଣି ରବିବାର ଛୁଟିଦିନରେ ତରବରିଆ ପୁରସ୍କାର ଉତ୍ସବ ଆୟୋଜନ କରିବା ଅର୍ଥ; ପୁରସ୍କାରରେ ସ୍ବଚ୍ଛତାକୁ ନେଇ କିଛି କେଁ ରହିନାହିଁ ତ? ଏକଥା ସତ‌ ଯେ ପୁରସ୍କାର ଘୋଷଣା ମାତ୍ରେ ହିଁ କିଛି ଶିଳ୍ପୀଙ୍କୁ ପୁରସ୍କାର ଦିଆଯିବା ନେଇ ଆଉ କିଛି ଶିଳ୍ପୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଯାଇଥିଲା। ତେଣୁ ସେମାନଙ୍କ ପ୍ରଶ୍ନ, ପୁରସ୍କାରରେ କିଛି ପ୍ରିୟାପ୍ରୀତି ତୋଷଣ ହୋଇଛି କି? ଯଦି ସ୍ବଚ୍ଛତା ଅଛି, ତେବେ ଗଣମାଧ୍ୟମକୁ ସୂଚନା ନଦେଇ ପ୍ରଥମଥର ପାଇଁ ଏଭଳି ପୁରସ୍କାର ଘୋଷଣାର ଗୋଟିଏ ଦିନ ଅନ୍ତରରେ ପୁରସ୍କାର ଦିଆଯିବା ପଛରେ କି ଉଦ୍ଦେଶ୍ୟ ରହିଛି?

ସମ୍ବନ୍ଧିତ ଖବର