ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଦିଆଯାଉଥିବା କଳା କ୍ଷେତ୍ରର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ସମ୍ମାନ ନେଇ ନାମ ଘୋଷଣା କରାଯାଇଛି। ୨୦୧୬ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ଧର୍ମପଦ ପୁରଷ୍କାର ଘୋଷଣା କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସଂସ୍କୃତି ଭବନ ପରିସରରେ ଥିବା ପ୍ରେକ୍ଷାଳୟରେ ଆଜି ଅପରାହ୍ନରେ ଏ ନେଇ ଘୋଷଣା କରାଯାଇଛି ।
୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଉକ୍ତ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଧର୍ମପଦ ସମ୍ମାନ ପ୍ରାପ୍ତ ଶିଳ୍ପୀଙ୍କୁ ୫ଲକ୍ଷ ଟଙ୍କାର ଚେକ୍, ତାମ୍ରଫଳକ ଏବଂ ଉପଢ଼ୌକନ ପ୍ରଦାନ କରାଯିବ। ଏଥିସହ ୫ ବର୍ଷ ଲାଗି ୨୫ ଜଣ କୃତବିଦ୍ୟ ଶିଳ୍ପୀଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା ହୋଇଛି। ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କା, ତାମ୍ରଫଳକ, ଉପଢ଼ୌକନ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ।
ତେବେ ଏହି ଘୋଷଣା ସମୟରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏକାଡେମୀର କାର୍ଯ୍ୟକାରୀ କମିଟିର ସଦସ୍ୟ ପଞ୍ଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଏବଂ ଅକ୍ଷୟ କୁମାର ସାମଲ ମଧ୍ୟ ଉପସ୍ଥିତ ଥିଲେ। ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-306.jpg)