ସତ୍ୟପାଠରେ ମିଥ୍ୟା ତଥ୍ୟ ମହଙ୍ଗା ପଡ଼ିଲା! ବଦଳିଲେ ଧର୍ମଶାଳା ବିଡିଓ

ଯାଜପୁର/ଧର୍ମଶାଳା : ରାସନ କେଳେଙ୍କାରୀ ନେଇ ମାନ୍ୟବର ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାରେ ପ୍ରଦତ୍ତ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ଅଚାନକ ବୌଦ୍ଧ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି। ତାଙ୍କୁ ପଞ୍ଚାୟତିରାଜ ବିଭାଗରୁ ରାଜସ୍ବ ବିଭାଗକୁ ଫେରାଇ ନିଆଯାଇଛି। ୬ ମାସ ପୂରଣ ହେବା ପୂର୍ବରୁ ଧର୍ମଶାଳା ବିଡିଓଙ୍କର ବଦଳି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶଥାଉକି, ଗତ ଫେବ୍ରୁଆରି ୧୬ ତାରିଖରେ ସ୍ମିତା ରଥ ଧର୍ମଶାଳା ବିଡିଓ ଭାବେ ଦାୟିତ୍ବ ନେଇଥିଲେ। ଆଉ ୬ ଦିନ ପରେ ତାଙ୍କ କାର୍ଯ୍ୟକାଳକୁ ୬ ମାସ ପୂରିଥାନ୍ତା‌। ତେବେ ଗତକାଲି ତାଙ୍କ ବଦଳି ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାସନ କେଳେଙ୍କାରୀ ପ୍ରସଙ୍ଗ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଧର୍ମଶାଳାର ଗରିବ ଲୋକଙ୍କୁ ରାସନ ନଦେବା ପାଇଁ ପ୍ରଶାସନର ବାହାନା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ଭଙ୍ଗାକୁଡ଼ିଆକୁ ୬ବଖରା କୋଠା ଘର , ବିଦ୍ୟୁତ ସଂଯୋଗ ନଥିବା ଗରିବ ପରିବାର ନାମରେ ଅଧିକ ବିଦ୍ୟୁତ ବିଲ୍‌ ଆସୁଥିବା ଏବଂ ପେନସନଭୋଗୀ ଦର୍ଶାଇ ଗରିବ ପରିବାରମାନଙ୍କୁ ରାସନ ସାମଗ୍ରୀରୁ ବଞ୍ଚିତ କରାଯାଇଛି। ମାନ୍ୟବର ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ବିଚାର କରି ଗରିବ ଲୋକମାନଙ୍କୁ ରାସନ ଯୋଗାଣ କରିବା ସହିତ ଦେଢ଼ ମାସ ମଧ୍ୟରେ ତହସିଲଦାରଙ୍କ ଜରିଆରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନ‌ିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ, ଯୋଗାଣ ବିଭାଗର ଏହି ଅନିୟମିତତାରେ ଏମ୍‌ଆଇଙ୍କ ଭୂମିକାକୁ ନେଇ ବାରମ୍ବାର ସମାଲୋଚନା ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। କାହାର ତଥ୍ୟକୁ ଭିତ୍ତି କରି ବିଡିଓ ଏଭଳି ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମାନ୍ୟବର କୋର୍ଟରେ ଉପସ୍ଥାପନ କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର