ରୋଚକ ମୋଡ଼ରେ ଧର୍ମଶାଳା ରାଜନୀତି : ଟିକଟ ପାଇଁ ବଳ କଷାକଷି

ଯାଜପୁର, (ସଂଗ୍ରାମ ସିଂହ): ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ବର୍ଷତମାମ ଚର୍ଚ୍ଚାରେ ରହିଆସୁଛି। ବର୍ଷ ତମାମ ସାହିତ୍ୟ ଚର୍ଚ୍ଚା, ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି। ଲଘୁଖଣିଜ ସଂପଦ କାରବାରକୁ ନେଇ ମଧ୍ୟ ଧର୍ମଶାଳା ଗଣମାଧ୍ୟମ ଫୋକସରେ ରହିଆସିଛି। ଏମିତି ବିଭିନ୍ନ କ୍ଷେତ୍ରରେ ଧର୍ମଶାଳା ଚର୍ଚାରେ ରହିଆସିଛି। ଏଠାରେ ହେଉଥିବା ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମକୁ ଦେଖି ରାଜ୍ୟର ଅନ୍ୟାନ୍ୟ ନେତାମାନେ ନିଜ ନିଜ ଅଞ୍ଚଳରେ ଧର୍ମଶାଳା ପଦାଙ୍କ ଅନୁସରଣ କରିଛନ୍ତି।

ବିଧାୟକ ପ୍ରବଣ ବଳବନ୍ତରାୟ(ଜିତୁ)ଙ୍କୁ ଆଶୀର୍ବାଦ କରିବାକୁ ଗତ ମାସରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ଗସ୍ତ ବେଳେ କହିଥିଲେ। ଜିତୁଙ୍କ ନାମ ସର୍ବ ପ୍ରଥ‌େମ ମୁୁଖ୍ୟମନ୍ତ୍ରୀ ଘୋଷଣା କରିବାରୁ ଜୋରଦାର ଚର୍ଚା ହୋଇଥିଲା। ଏବେ ରାଜ୍ୟ ଓ ଜିଲ୍ଲାରେ ଯେପରି ଭାବେ ବିଜେଡି ମଧ୍ୟରେ ‌ଘଡ଼ିକେ ଘୋଡ଼ା ଛୁଟୁଛି, ସେ ଦୃଷ୍ଟିରୁ ଧର୍ମଶାଳାରୁ ବିଜେଡି ପ୍ରାର୍ଥୀ ନେଇ ମଧ୍ୟ ବିଭିନ୍ନ ରୋଚକ କଥା ଶୁଣାଯାଉଛି।

୨୦୧୪ ନିର୍ବାଚନରେ ପ୍ରଥମଥର ପ୍ରାର୍ଥୀ ହୋଇ ମଧ୍ୟ ଜିତୁ ୬୮.୬ ଭାଗ ଅର୍ଥାତ୍ ରାଜ୍ୟର ଦ୍ବିତୀୟ ସର୍ବାଧିକ ଭୋଟ୍ ବ୍ୟବଧାନ ୮୫,୭୮୬ ଖଣ୍ଡରେ ବିଜୟୀ ହୋଇଥିଲେ। ଜିତୁଙ୍କର ବିରୋଧୀ ଦଳୀୟ କାର୍ଯ୍ୟକ୍ରମରେ ତ‌ାଙ୍କର କୌଣସି କଥାକୁ ବୁଝି ପାଇପାରୁ ନଥିଲେ। ସାଂପ୍ରତିକ ସମୟରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଉଛି। ଦୈନିକ ଚାଲିଛିି ପଟ ପରିବର୍ତ୍ତନ। ଏହା ସାଙ୍ଗକୁ ନିର୍ବାଚନ କମିଶନଙ୍କର କଡ଼ାକଡ଼ି ଆଚରଣବିଧି ଲାଗୁ ଘଟଣା ବିବାଦରେ ଫସିଥିବା ରାଜନେତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।

ଜମି ସ୍କାମ ହେଉ କି ଚିଟ୍ ଫଣ୍ଡ ଅବା ଖଣି ମହାନୁର୍ନୀତି ଭଳି ଚର୍ଚ୍ଚିତ ପ୍ରସଙ୍ଗ ଓ ଧର୍ମଶାଳରୁ ଶହ ‌ଶହ କୋଟି ଟଙ୍କାର ଲଘୁଖଣିଜ ସଂପଦ ଲୁଟ୍ କାରବାରରେ ଯୁବ ନେତା ଜିତୁଙ୍କୁ ବିରୋଧୀ ସର୍ବଦା ଟାର୍ଗେଟ କରିଆସିଛନ୍ତି। ଜିତୁଙ୍କ ପିତା ସ୍ବର୍ଗତ କଳ୍ପତରୁ ଦାସ ଧର୍ମଶାଳାକୁ ବିଜେଡିର ଗଡ଼ରେ ପରିଣତ କରିଛନ୍ତି। ମାତ୍ର, ଜିତୁଙ୍କ ଶିବିରରେ ତାଙ୍କ ପିତାଙ୍କ ସହଯୋଗୀ ତଥା କେତେକ ବରିଷ୍ଠ ଦଳୀୟ ସଂଗଠକ ଅଣଦେଖା ହେବା ସହିତ ଯୁବକମାନେ ଆଗଧାଡ଼ିରେ ନେତୃତ୍ବ ନେଲେ। ଯାହାକୁ ବରିଷ୍ଠମାନେ ସହ୍ୟ କରିପାରିଲେ ନାହିଁ। ଫଳରେ ଜିତୁଙ୍କ ଯୁବ ବାହିନୀର ନିୟନ୍ତ୍ରଣରେ ଧର୍ମଶାଳା ବିଜେଡ଼ି ରାଜନୀତି ନିୟନ୍ତ୍ରିତ ହେଉଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।

ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିଜୁବାବୁଙ୍କର ସମସାମୟିକ ରବି ଲାବଣ୍ୟ ଦଳୀୟ ଟିକେଟ ଦୌଡରେ ବେଶ ଶାଣିତ ଗୋଟି ଚଳାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି, ସତୀଶ ବିଶ୍ବାଳ ଚର୍ଚ୍ଚାରେ ରହିଛି। ସେହିପରି ବିଜେପିରେ ୨୦୧୪ରେ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା(ତୁଷାର) ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରଖିଛନ୍ତି। ‌ସେ ମଧ୍ୟ ଆଶାୟୀ ଥିବା ବେଳେ ବିଜେପି ରାଜ୍ୟ ନେତା ପବିତ୍ର ମୋହନ ଦାସ, ଅପର୍ଣ୍ଣା ଧୀର ସିଂହ, ସୁରେନ୍ଦ୍ର ପଣ୍ଡା, କାହ୍ନୁଚରଣ ଦାଶ, ସୁଶାନ୍ତ ପଟ୍ଟନାୟକ, ସବିତା ମିଶ୍ର ପ୍ରମୁଖ ଟିକେଟ୍ ହାସଲ ପାଇଁ ଲବିରେ ଅଛନ୍ତି। ଅନ୍ୟପକ୍ଷରେ କଗ୍ରେସ ଦଳରୁ ମଧ୍ୟ ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା, କିଷାନ ପଣ୍ଡା, ରାଜ୍ୟ ମହିଳା କଂଗ୍ରେସ ସଂପାଦକ ସ୍ମୃତିରେଖା ପହି, ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ମାନସରଞ୍ଜନ କର, ଜିଲ୍ଲା ଓବିସି ସେଲ୍ ଅଧ୍ୟକ୍ଷ ସଞ୍ଜୟ କୁମାର ରାୟ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ପିସିସି ସଭାପତି ଅଧୀର କୁମାର ଜେନା, ପୂର୍ବତନ ପିସିସି ସାଧାରଣ ସଂପାଦକ ଶ୍ରୀନାଥ ମିଶ୍ର ପ୍ରମୁଖ ଟିକେଟ୍ ଲବିରେ ଅଛନ୍ତି। ମାତ୍ର ସବୁ ଦଳ ବିଜୟର ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ବ ଦେଉଥିବାରୁ କିଏ ପ୍ରାର୍ଥୀ ହେଉଛନ୍ତି, ତା ଉପରେ ସମସ୍ତଙ୍କର ନଜର ରହିଛି।

ସମ୍ବନ୍ଧିତ ଖବର