ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରିବାର ପାଇଁ ଏବେ ଅଡ଼ୁଆ ବଢ଼ୁଛି। ବହୁଚର୍ଚ୍ଚିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରେ ମାପଚୁପ ଆରମ୍ଭ ହୋଇଛି। ଧର୍ମଶାଳା ତହସିଲ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଧର୍ମଶାଳା ଶିଳ୍ପ ତାଲିମ କେନ୍ଦ୍ର(ଆଇଟିସି) ପାଚେରି ନିକଟରେ ତହସିଲ ପକ୍ଷରୁ ମାପଚୁପ ହେବାପରେ ବଳବନ୍ତରାୟଙ୍କ ଅଡ଼ୁଆ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏହି ମାପଚୁପ ସରିବା ପରେ ବହୁଚର୍ଚ୍ଚିତ ଜଙ୍ଗଲ ଜମି ଦଖଲ ଓ କିସମ ପରିବର୍ତ୍ତନର ତଞ୍ଚକତା ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଧର୍ମଶାଳାରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି।

Advertisment

ଏହି ଜମି ଦୁର୍ନୀତିକୁ ନେଇ ଧର୍ମଶାଳା ଅଞ୍ଚଳର ବିଜେପି କର୍ମୀ ଆଲୋକ ଲେଙ୍କା, ବିଶ୍ବରଞ୍ଜନ ସାମଲ, ତପନ ମାହୁନ୍ତ, ଯୁଗଳ କିଶୋର ଦାସ, ରାଜେଶ ପାଳ ପ୍ରମୁଖ ଅଭିଯୋଗ କରିଥିଲେ। ନୂଆଗାଁ ମୌଜାର ଖାତା ନମ୍ବର-୧୯୨ ଓ ପ୍ଲଟ୍ ନମ୍ବର-୮୦ରେ ଥିବା ୫.୪୧ଏକର ଜମିକୁ ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ଜବରଦଖଲ କରି ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବା ସେମାନେ ଗତ ୧୪ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ତହସିଲ ପକ୍ଷରୁ ଧର୍ମଶାଳାର ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ପତ୍ନୀ ପ୍ରତିମା ଦାସ, ଗୋକର୍ଣ୍ଣେଶ୍ବର ଚାରିଟେବୁଲ୍ ଟ୍ରଷ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ୨୮ଜଣଙ୍କୁ ଆଜି ମାପଚୁପ ସମୟରେ ଉପସ୍ଥିତ ରହିବାକୁ ନୋଟିସ୍‌ କରାଯାଇଥିଲା। ପୂର୍ବସୂଚନା ଅନୁସାରେ ଆଜି ନୂଆଗାଁର ଉକ୍ତ ମୌଜାରେ ମାପଚୁପ ଆରମ୍ଭ ହୋଇଥିଲା। ମାପଚୁପ ଶେଷ ପରେ ଏସମ୍ପର୍କରେ ମତାମତ ରଖିବେ ବୋଲି ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ପଚାରିବାରୁ ସରକାରଙ୍କର ୫ଏକର ଜମି ଖୋଜାଯାଉଛି। ଆମର କିଛି ମପା ହେଉନି ବୋଲି ସଫେଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସ ନିଜ କ୍ଷମତାର ଅପବ୍ୟବହାର କରି ବେଆଇନ୍ ଭାବେ ନୂଆଗାଁ ମୌଜାରେ ୫ଏକର ୪୧ ଡେସିମିଲ ସରକାରୀ ଓ ଜଙ୍ଗଲ କିସମ ଜମିକୁ ଜବରଦଖଲ କରିବା ସହ ଗୋକର୍ଣ୍ଣେଶ୍ବର ଚାରିଟେବୁଲ ଟ୍ରଷ୍ଟ ନାମରେ କରାଇ ନେଇଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏବେ ସରକାର ଓ ଧର୍ମଶାଳା ବିଧାୟକ ପରିବର୍ତ୍ତନ ହେବାପରେ ଏହି ବହୁଚର୍ଚ୍ଚିତ ଜମି ଦୁର୍ନୀତି ପୁଣି ଚର୍ଚ୍ଚାକୁ ଆସିଛି।