ଯାଜପୁର: ପୁଲିସ୍ ମାଡ଼ରେ ଜଣେ ଯୁବକ ଗୁରତର ଆହତ ହୋଇଥିବା ଜଣାଯାଇଛି। ଆହତ ଜଣକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାଁର ପ୍ରଶାନ୍ତ ରାଉତଙ୍କ ପୁଅ ଦେବେନ୍ଦ୍ର ରାଉତ(୨୦)। ଜମିବାଡ଼ି ବିବାଦକୁ ନେଇ ଗତକାଲି ଏଫଆଇଆର୍ ଦେବାକୁ ଯାଇଥିଲେ ଦେବେନ୍ଦ୍ର। ହାଫ୍ ପ୍ୟାଣ୍ଟ୍ ପିନ୍ଧି ଥାନାକୁ ଯାଇଥିବାରୁ ଧର୍ମଶାଳା ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ।
ଏସପିଙ୍କ ପାଖକୁ କାହିଁକି ଯାଇଥିଲୁ ? ସରପଞ୍ଚ ନୋମିନି କହିଛନ୍ତି ବାଡ଼େଇ ମାରିଦେବି ବୋଲି ଧମକ ଦେଇ ଆଇଆଇସି ତାଙ୍କ ବେକକୁ ପିଟିଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର। ଆଜି ଦେବେନ୍ଦ୍ରଙ୍କୁ ପୁଲିସ୍ ଘେରାବନ୍ଦୀରେ ଚିକିତ୍ସା ପାଇଁ ଧର୍ମଶାଳା ସିଏଚସିକୁ ଆସିବା ପରେ ଘଟଣା ପଦାକୁ ଆସିଥିଲା। ଏହି ଘଟଣା ଏବେ ସେଠାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଧର୍ମଶାଳା ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଥାନାର ଜଣେ ଏସଆଇ ଧର୍ମଶାଳା ଥାନା ଅଧିକାରୀଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିଲେ। ସଂପୃକ୍ତ ଏସଆଇଙ୍କୁ ନିକଟରେ ବଦଳି କରିଦିଆଯାଇଛି। ସେହିପରି ନିକଟରେ ପୁଲିସର କାର୍ଯ୍ୟକଳାପକୁ ବିରୋଧ କରି ହଜାର ହଜାର ଲୋକ ଥାନା ଘେରିଥିଲେ।
Follow Us