ସଂଗ୍ରାମକେଶରୀ ସିଂହ
ଯାଜପୁର: ସାଧାରଣ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାର ରାଜନୀତି ଗୋଳିଆ ହେବାରେ ଲାଗିଛି। ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀକୁ ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏଠାରେ ଗଡ଼ବଡ଼ କରିବା ପାଇଁ ବିଦ୍ରୋହୀମାନେ ଅଣ୍ଟା ଭିଡ଼ିଛନ୍ତି। ୧୯୯୦ ରୁ ଏହି ଆସନଟି ଅଣକଂଗ୍ରେସ ଦଖଲରେ ରହିଆସିଛି। ୧୯୯୫ ରୁ ଆଜି ପର୍ଯ୍ୟନ୍ତ ସ୍ବର୍ଗତ କଳ୍ପତରୁ ଦାସଙ୍କ ପରିବାର ଏଠାରେ ରାଜୁତି କରୁଛନ୍ତି। କଳ୍ପତରୁ ଦାସ ଏଠାରୁ ୪ଥର(୧୯୯୫ ରୁ ୨୦୦୯) ବିଧାୟକ ହୋଇଥିବା ବେଳେ ତାଙ୍କ ପୁଅ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ (ଜିତୁ) ୨ଥର ( ୨୦୧୪,୨୦୧୯) ବିଜୟୀ ହୋଇଛନ୍ତି। ଜିତୁ ୨୦୧୪ରେ ରେକର୍ଡ ପରିମାଣ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଭୋଟ ପରିମାଣ ହ୍ରାସ ହୋଇଛି। ଏଥର ଜିତୁଙ୍କ ବିରୋଧରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି। ବିଦ୍ରୋହୀମାନେ ଏକାଠି ହେଲେ ଜିତୁଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି ଆକଳନ କରାଯାଉଛି। ୨୦୧୪ ନିର୍ବାଚନରେ ଜିତୁ ୧,୦୯,୨୪୧ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂ‌ଗ୍ରେସ ପ୍ରାର୍ଥୀ ଶ୍ରୀନାଥ ଜେନାଙ୍କୁ ୮୫,୭୮୬ ଭୋଟ ବ୍ୟବଧାନରେ ହରାଇଥିଲେ। କଳ୍ପତରୁ ଦାସଙ୍କ ଦେହାନ୍ତ ପରେ ୨୦୧୯ ନିର୍ବାଚନରେ ଜିତୁ ୧,୦୧,୩୬୪ଟି ଭୋଟ ପାଇ ବିଜେପି ପ୍ରାର୍ଥୀ ରମେଶ ପରିଡାଙ୍କୁ ୫୨,୭୩୯ ଭୋଟ ବ୍ୟବଧାନରେ ହରାଇଲେ। ଜିତୁ ୨୦୧୪ରେ ୬୮ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୯ରେ ଏହା ୫୮ ପ୍ରତିଶତକୁ ଖସିଆସିଥିଲା। ଜିତୁଙ୍କ ଦୁଇ ପ୍ରତିଦ୍ବନ୍ଦ୍ବୀ ଶ୍ରୀନାଥ ଜେନା ଓ ରମେଶ ପରିଡ଼ା ରାଜନୀତିରେ ଏକପ୍ରକାର ନିଷ୍କ୍ରିୟ। ଶ୍ରୀ ପରିଡ଼ା ମଧ୍ୟ ଜିତୁଙ୍କ ଶିବିରରେ ଯୋଗ ଦେଇଛନ୍ତି। ମାତ୍ର ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ସ୍ମୃତିରେଖା ପହି ବିଜେପିରେ ଯୋଗଦେଇ ରାଜନୀତି କରୁଛନ୍ତି। ଯୁବନେତା ହିମାଂଶୁ ଶେଖର ସାହୁ (ଲିକୁ) ବିଜେପିରେ ଯୋଗଦେବା ପରେ ବହୁ ପୁରୁଣା ବିଜେଡି ନେତା ଲିକୁଙ୍କ ସଂପର୍କରେ ଅଛନ୍ତି।

Advertisment

ସୂଚନାଯୋଗ୍ୟ ସ୍ବର୍ଗତ କଳ୍ପତରୁ ଦାସଙ୍କ ଅନେକ ସହଯୋଗୀ ଜିତୁଙ୍କ ସମୟରେ ଅବହେଳିତ ହୋଇ ରହିଛନ୍ତି। ସେମାନେ ସଂଗଠିତ ହେଉଛନ୍ତି। ପୁରୁଣା ଗୋଷ୍ଠୀ ଏବେ ଜିତୁଙ୍କ ବିରୋଧୀଙ୍କୁ ଶକ୍ତିଶାଳୀ କରିବାକୁ ଲାଗିପଡ଼ିଛନ୍ତି। ସେମାନେ ସ୍ମୃତିରେଖା ଅପେକ୍ଷା ଲିକୁଙ୍କୁ ଅଧିକ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀ ଧର୍ମଶାଳା ବ୍ଲକ୍‌ର ୪୫ପଞ୍ଚାୟତ ଓ ରସୁଲପୁର ୯ ପଞ୍ଚାୟତକୁ ନେଇ ଗଠିତ। ରସୁଲପୁର ବ୍ଲକ୍‌ରେ ଜିତୁଙ୍କ ବିଦ୍ରୋହୀ ବିଜେଡି ଲିକୁଙ୍କ ଆହ୍ବାନରେ ପରିବର୍ତ୍ତନ ସଭା କରୁଛନ୍ତି। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନରେଶ ମହାନ୍ତିଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିବାରୁ ସେ ବିରୋଧୀଙ୍କ ପାଇଁ କଳବଳ କୌଶଳ ଲଗାଇ ଦେଇଛନ୍ତି। ଅପରପକ୍ଷରେ ଧର୍ମଶାଳା ବ୍ଲକ୍ ପଶ୍ଚିମ ଭାଗରେ ପରିବେଶ ଓ ପାହାଡ଼ ବଞ୍ଚାଅ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ଏକାଠି କରୁଥିବା ଯୁବନେତା ସତୀଶ ବିଶ୍ବାଳ ନିଜର ସଙ୍ଗଠନକୁ ସୁଦୃଢ଼ କରୁଛନ୍ତି। ଜିତୁଙ୍କୁ ବିରୋଧ କରୁଥିବା ବିଜେପିର ସର୍ବେଶ୍ବର ବେହୁରା, ବିଜେଡିର ଅସନ୍ତୁଷ୍ଟ ପ୍ରଭୁ ରଞ୍ଜନ ସାମଲ(ବାବୁରାମ) ବି ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ନିକଟରେ ଧର୍ମଶାଳା ବିକାଶ ପରିଷଦ ନାମରେ ଶ୍ରୀକାନ୍ତ ସାହୁ ବହୁସମର୍ଥକଙ୍କୁ ନେଇ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କିଷାନ ପଣ୍ଡା ଓ ଗଡ଼ମଧୁପୁର ରାଣୀ ଅପର୍ଣ୍ଣା ଧୀର ସିଂ କଂଗ୍ରେସ ଦଳକୁ ସଂଗଠିତ କରିବାରେ ଲାଗିଛନ୍ତି। ତେବେ ବିଧାୟକ ଶ୍ରୀ ବଳବନ୍ତରାୟ (ଜିତୁ)ଙ୍କ ବିରୋଧରେ ଏକାଧିକ ବିରୋଧୀ ଶକ୍ତି ପ୍ରଦର୍ଶନ କରି ଦଳୀୟ ଟିକେଟ ପାଇଁ ଦାବି ଉପସ୍ଥାପନ କରୁଛନ୍ତି।