ପୁରୀ ବିକାଶରେ ଯୋଡ଼ିହେଲେ ଧର୍ମେନ୍ଦ୍ର

ନିଜେ ଦରମାରୁ ଲକ୍ଷେ ଦେଲେ, ଅନ୍ୟମାନଙ୍କୁ ଦେବାକୁ କହିଲେ

ସେବାୟତଙ୍କ ସହ ଆଲୋଚନା କଲେ
କହିଲେ ବାଇ-ଲକୁ ନେଇ କିଛି ବ୍ୟକ୍ତି ବିଭ୍ରାନ୍ତ କରୁଛନ୍ତି

ପୁରୀ : ଗତ ତିନି ଦିନ ହେଲା ପୁରୀକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଦୃଷ୍ଟିରୁ ସଂପ୍ରତି ବେଶ୍‌ ସମ୍ବେଦନଶୀଳ ପୁରୀ ଓ ଭକ୍ତଙ୍କ ଆବେଗ ସହ ଜଡ଼ିତ ଶ୍ରୀମନ୍ଦିରକୁ ନେଇ ଏବେ ରାଜ୍ୟ ରାଜନୀତିର ପାରଦ ଉପରମୁହାଁ। ଦୁଇଦିନ ତଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରୀ ଗସ୍ତ କରି ଲୋକଙ୍କୁ ଭେଟିଥିଲେ ଓ ସରକାରଙ୍କ ବିରୋଧରେ ମତ ରଖିଥିଲେ। ଏହାର ୨୪ ଘଣ୍ଟା ପୂରିନି, ଶନିବାର ବିଜେପି ସମେତ ସବୁ ଦଳକୁ ବିଶ୍ବାସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପରିକ୍ରମା ଯୋଜନା ସଂକଳ୍ପ ସର୍ବସମ୍ମତ କ୍ରମେ ବିଧାନସଭାରେ ଗୃହୀତ କରିବା ଘଟଣା ଅପରାଜିତାଙ୍କ ପାଇଁ ଶକ୍ତ ଧକ୍‌କା ବୋଲି ବିଚାର କରାଯାଉଥିଲା। ସବୁଠାରୁ ବଡ଼ କଥା ହେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ ଆସି ସେବାୟତମାନଙ୍କ ସହିତ ଯୋଡ଼ିହେବା ଘଟଣା ଏହି ପ୍ରସଙ୍ଗକୁ ଆଲୋଚନା ପାଇଁ ଖୋରାକ ଦେଇଛି। ଏଇଥିପାଇଁ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ନିଜ ଦରମାରୁ ପ୍ରଦାନ କରି ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢ଼େ ୪ କୋଟି ଓଡ଼ିଆଙ୍କର ହୃଦୟର ସ୍ପନ୍ଦନ। ମହାପ୍ରଭୁଙ୍କ ସହ ଭକ୍ତଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି। ତେଣୁ ଶ୍ରୀକ୍ଷେତ୍ରର ଚରମ ବିକାଶ ସମସ୍ତ ହିନ୍ଦୁଙ୍କର ଦାୟିତ୍ବ। ଏହି ପରିପ୍ରେକ୍ଷୀରେ ମୁଁ ଶ୍ରୀମନ୍ଦିର ବିକାଶ ପାଇଁ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡ଼ିଛି । ସମସ୍ତ ଓଡ଼ିଆ ଭାଇ ଭଉଣୀ ମଧ୍ୟ ନିଜ କ୍ଷମତା ମୁତାବକ ଯାହା ପାରୁଛନ୍ତି ସହଯୋଗ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି। ସେ ଏକଥା ବି କହିଛନ୍ତି ଯେ ମହାପ୍ରଭୁଙ୍କ ଏହି ଶ୍ରୀମନ୍ଦିର ସମାଜର ସହଯୋଗରେ ସ୍ଥାପନ ହୋଇଥିଲା। ଆଜି ବି ଆମେ ସେଇ ଧାରାକୁ ଆପଣାଇ ପ‌ାରିବା। ଶ୍ରୀମନ୍ଦିରର ବିକାଶ କାର୍ଯ୍ୟ ଆରମ୍ଭ ହେବା ଭଲ ପଦକ୍ଷେପ। ଓଡ଼ିଶା ପାଇଁ ଏହା ସୌଭାଗ୍ୟ। ଧର୍ମେନ୍ଦ୍ରଙ୍କ ଏଭଳି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନକୁ ବଳ ଦେଇଥିବା ବେଳେ ଅପରାଜିତାଙ୍କୁ ଶକ୍ତ ଝଟ୍‌କା ଦେବା ଭଳି ହୋଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଶ୍ରୀମନ୍ଦିର ସେବାୟତଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ। ପୁରୀ ସର୍କିଟ୍‌ ହାଉସରେ ସେବାୟତମାନଙ୍କ ସହ ବୈଠକ କରିଥିଲେ। କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଥିଲା। ଜାତୀୟ ଐତିହ୍ୟ ପ୍ରାଧିକରଣର ବାଇ-ଲକୁ ନେଇ କିଛି ବ୍ୟକ୍ତି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ। ବୈଠକରେ ମହାପ୍ରଭୁଙ୍କ ପୂଜା ରୀତିନୀତି, ଭାଷା ସମ୍ବନ୍ଧୀୟ ଦକ୍ଷତା ବିକାଶ ନେଇ ଆଲୋଚନା କରାଯାଇଥିଲା। ସଂପ୍ରତି ଦାୟିତ୍ବ ନେଉଥିବା ସେବକଙ୍କର ବୌଦ୍ଧିକ ବିକାଶ କ୍ଷେତ୍ରରେ କିଭଳି ଗୁରୁତ୍ବାରୋପ କରାଯିବ ଏବଂ ପୂଜା ରୀତିନୀତି ବାବଦ ଦକ୍ଷତା ବିକାଶ କରାଯିବ ସେ ସଂକ୍ରାନ୍ତରେ ଗୁରୁତ୍ବାରୋପ କରିବାକୁ ସେବାୟତମାନେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଏହା ବ୍ୟତୀତ ଯେଉଁ ସେବାୟତମାନେ କାଳକ୍ରମେ ସେବା ନିବୃତ୍ତ ହେଉଛନ୍ତି, ସେମାନଙ୍କୁ କିଭଳି ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ସେ ଦିଗରେ ପଦକ୍ଷେପ ନେବାକୁ ସେବାୟତମାନେ ନିବେଦନ କରିଥିଲେ। ରାଜା ରାଜୁଡ଼ା ସମୟରୁ କାଳକ୍ରମେ ଅନେକ ସେବା ବନ୍ଦ ହୋଇଯାଇଥିବାରୁ ଏ ବାବଦରେ ବଜେଟ୍‌ ଯୋଗାଇ ଦେଲେ ଅନ୍ୟ ସେବା ଫେରି ପାରନ୍ତା ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ପ୍ରସ୍ତାବ ରଖିଥିଲେ। ସେହିପରି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଥିଲେ, ଶ୍ରୀମନ୍ଦିର ବିକାଶ ନାଁ’ରେ ଯାହା କରାଯାଉଛି ସେଥିରେ ସେବାୟତ ଖୁସି ନୁହନ୍ତି। ଶ୍ରୀମନ୍ଦିର ମଧ୍ୟରେ ପୁଲିସ୍‌ଙ୍କ ରାଜ ଚାଲିଛି। ସେବାୟତଙ୍କ ବାବଦରେ ଶ୍ରୀମନ୍ଦିର ବାହାରେ ମିଥ୍ୟା ପ୍ରଚାର କରୁଛନ୍ତି। ଫଳରେ ସେବାୟତଙ୍କ ବାବଦରେ ଏକ ନକରାତ୍ମକ ଚିତ୍ର ଭକ୍ତଙ୍କ ମନରେ ସୃଷ୍ଟି କରାଯାଉଛି। ଏ ଦିଗରେ ଧ୍ୟାନ ଦେବାକୁ ସେ କହିଥିଲେ।

କେନ୍ଦ୍ରମନ୍ତ୍ରୀ କହିଲେ, ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ସେବାୟତମାନେ ସେତୁ ସଦୃଶ। ସେବାୟତଙ୍କ ପ୍ରତିନିଧିମାନଙ୍କୁ ମାନଦଣ୍ଡ ଅନୁଯାୟୀ ନିର୍ବାଚନ କରିବା, ଶ୍ରୀମନ୍ଦିରରେ ପୂଜା ରୀତିନୀତି ବାବଦରେ ସେବାୟତଙ୍କ ଦକ୍ଷତା ବିକାଶ କରିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବାଇ-ଲ ବିବାଦ ସଂପର୍କରେ କହିଛନ୍ତି, ‌କିଛି ବ୍ୟକ୍ତି ତିଳକୁ ତାଳ କରି କହୁଛନ୍ତି। ତେଣୁ ଏହା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ ନକରି ଶ୍ରୀମନ୍ଦିରର ବିକାଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ହେବା ଦିଗରେ ଗୁରୁତ୍ବ ଦିଆଯିବା ଉଚିତ୍‌। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ସଂପର୍କ‌େରେ ସେ କହିଲେ, ଏହା ଏକ ଭଲ ପଦକ୍ଷେପ। ଯେପରି ଅଧିକ ଭକ୍ତ ସୁରୁଖୁରୁରେ ଦର୍ଶନ ପାଇପାରିବେ ସେ ସଂକ୍ରାନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଭାରତ ସରକାର ସହଯୋଗ ଯୋଗାଇ ଦେବେ। ବୈଠକରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସମଯାଜପୁର ନିକଟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର