ଅସ୍ତରଙ୍ଗ/ ଗୋପ/ଜଗତସିଂହପୁର/କୁଜଙ୍ଗ/ଭଦ୍ରକ: ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ପୁଅ। ସେ ସମସ୍ତଙ୍କ ନମସ୍ୟ। ମୁଁ ବି ତାଙ୍କୁ ସମ୍ମାନ କରେ। କିନ୍ତୁ ଏ ତାମିଲ ତାଙ୍କୁ ଗୋଇଠା ମାରୁଛି। କ୍ରୀତଦାସ ଏଠି ଗୁମାସ୍ତା ପାଖରେ ମୁଣ୍ଡ ବିକି ଦେଇଛି। ଗୋଟିଏ ଗ୍ୟାଙ୍ଗ୍ର ଜଣେ ସସ୍ପେଣ୍ଡ୍ ହୋଇସାରିଲେଣି। ଆଗକୁ ଦେଖନ୍ତୁ କ’ଣ ହେବ।’ ଜଗତ୍ସିଂହପୁର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଏହିଭଳି କଡ଼ା ଟିପ୍ପଣୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ଜନସାଧାରଣ ଯାହାଙ୍କୁ ନେତା ବୋଲି ବାଛିଥିଲେ, ସେ ଏବେ ରବର୍ ଷ୍ଟାମ୍ପ୍ ବୋଲି କହିଛନ୍ତି।
ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦୁଇଦିନ ବାକି ରହିଥିଲା ବେଳେ ଆଜି ନିର୍ବାଚନ ପ୍ରଚାରକୁ ଜୋର୍ଦାର୍ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଅସ୍ତରଙ୍ଗ ବ୍ଲକ୍ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ, ରାଜ୍ୟରେ ସିନ୍ଧି ଚୋର ପଶିଛି, ସବୁ ନେଇ ପଳାଇବ। ରାଜ୍ୟରେ ତାମିଲ୍ ଶାସନ ଭଳି କାକଟପୁର ଶାସନ ଆଉ କାହାଦ୍ୱାରା ପରିଚାଳିତ ହୋଇ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା କହିଥିଲେ। ଏଥିସହିତ, କାକଟପୁରରୁ ପାରିବାରିକ ଶାସନ ଓ ଗୁମାସ୍ତାଗିରି ହଟାଇ ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ। ସେହିପରି, ଗୋପ ବ୍ଲକ୍ର ନାଗପୁର ପଞ୍ଚାୟତସ୍ଥିତ ଗୋଠପଡ଼ିଆରେ ବିଶାଳ ଜନ ସମାବେଶକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବୋଧିତ କରିଥିଲେ।
ଜଗତ୍ସିଂହପୁର ଜିଲ୍ଲା ରାହାମା କଲେଜ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାରାଦୀପର ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ପାରାଦୀପ ବନ୍ଦରରେ ସ୍ଥାନୀୟ ଅଞ୍ଚଳର ଟ୍ରକ୍ ମାଲିକମାନେ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଥିଲେ। ଏବେ ତାମିଲ ବାବୁଙ୍କ ଟ୍ରକ୍ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବା ସହିତ ସେମାନଙ୍କର ଅର୍ଥନୈତିକ ସ୍ଥିତିକୁ ଦୁର୍ବଳ କରିବାକୁ ଚକ୍ରାନ୍ତ କରିଛନ୍ତି। ଦିନଥିଲା କଳିଙ୍ଗର ବଣିକମାନେ ବିଦେଶରେ ବ୍ୟବସାୟ ଚଳାଇ ରାଜ୍ୟକୁ ବୈଭବ ଆଣୁଥିଲେ। ହେଲେ, ଏବେ ଓଡ଼ିଶାର ବୈଭବକୁ ବ୍ଳାକ୍ରୋଜ୍ ଜରିଆରେ ବାହାରକୁ ପଠାଇବାକୁ ଚକ୍ରାନ୍ତ କରାଯାଉଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତେ ଜେଲ୍ ଯିବେ ବୋଲି କହିଥିଲେ। ଏଥିସହିତ, ବିଜେପିର ଲୋକସଭା ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଓ ପାରାଦୀପ ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କୁ ବିଜୟୀ କରିବାକୁ ସେ ଆହ୍ବାନ ଦେଇଥିଲେ।
ପରେ ଧର୍ମେନ୍ଦ୍ର ଜଗତସିଂହପୁରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମକୁ ଯାଇ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ଦଶହରା ପଡିଆ ସମାବେଶରେ ଯୋଗଦେଇ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ବିଶାଳ ରୋଡ୍ ସୋ’ରେ ଯୋଗ ଦେଇ ରାଜ୍ୟରେ ଏଥର ବିଜେପି ସରକାର ନିଶ୍ଚିତ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଓଡ଼ିଶାବାସୀ ଦେଖିବେ ଡବଲ୍ ଇଞ୍ଜିନ ସରକାର। ରାଜ୍ୟବାସୀ ଆଉ ଛାୟା ସରକାରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଡବଲ ଇଞ୍ଜିନ ସରକାର ଆସିଲେ ଶିଳ୍ପ ପ୍ରତିଷ୍ଠା, ନିଯୁକ୍ତି ସୁଯୋଗ ସର୍ବୋପରି ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।