ପୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ ଉଚ୍ଛେଦ କରାଯାଉ

ୟୁଜିସି ନିୟମ ବିରୋଧରେ ରାଜ୍ୟ ଏକତରଫା ନିଷ୍ପତ୍ତି ନେଇପାରିବନି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିବା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦କୁ ରାଜ୍ୟର ବୃହତ୍ତର ଶୈକ୍ଷିକ ସମାଜ ବିରୋଧ କରୁଛନ୍ତି। ଏହା ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି ନିୟମାବଳିର ଦୃଢ଼ ବିରୋଧାଚରଣ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଛାତ୍ର, ଶିକ୍ଷକ, ଗବେଷକ ତଥା ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ବାର୍ଥରେ ଏହି ବିଧେୟକକୁ ଉଚ୍ଛେଦ କରାଯିବା ଆବଶ୍ୟକ। ଏମିତି ମତ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିସ୍‌ଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ବିଲ୍‌କୁ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉ‌େଲ୍ଲଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ଏହି ନୂଆ ନିୟମରେ ବିଶ୍ବବିଦ୍ୟାଳୟଗୁଡ଼ିକର ନୀତି ନିର୍ଦ୍ଧାରକ ସିନେଟ୍‌ ବ୍ୟବସ୍ଥାକୁ ସମାପ୍ତ କରି ଏହି ସ୍ଥାନରେ ସରକାର ନିୟନ୍ତ୍ରିତ ସିଣ୍ଡିକେଟ୍‌ ବ୍ୟବସ୍ଥା ପ୍ରଚଳନ କରିବାର ବ୍ୟବସ୍ଥା କରାଯାଇଛି। ବିଶ୍ବଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା‌କୁ ରାଜ୍ୟ ସରକାର ଚତୁରତାର ସହିତ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପ୍ରତିନିଧି ରଖିବା ସହ ଏହି ଚୟନ କମିଟିକୁ ଅଣ ‌ଏକାଡେମିକ୍ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି। ବିଶ୍ବବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଅଧିକାରରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବଞ୍ଚିତ କରି ଏହି କାମକୁ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍‌କୁ ପ୍ରଦାନ କରିବା ଦ୍ବାରା ରାଜ୍ୟ ସରକାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରିମୋଟ୍ କଣ୍ଟ୍ରୋଲ୍‌ ବ୍ୟବସ୍ଥାରେ ରଖିବାକୁ ଚାହୁଁଛନ୍ତି। ଏହା ସହ ବିଶ୍ବବିଦ୍ୟାଳୟର ଆୟବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥାରେ ରାଜ୍ୟ ବିଧାନସଭା‌େର ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ନୂଆ ବିଧେୟକରେ ବନ୍ଦ କରିଦିଆଯିବା ଦ୍ବାରା ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚର ଠିକ୍ ସମୀକ୍ଷା ହୋଇପାରିବ ନାହିଁ। ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବା କାରଣରୁ ଭାରତୀୟ ସଂସଦର ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ପୂରା ଅଧିକାର ରହିଛି। ୟୁଜିସି ଆକ୍ଟ-୧୯୫୬ ଆଧାରରେ ୟୁଜିସିର ନିୟମ ଅନୁଯାୟୀ ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକର ପରିଚାଳନା ଆଇନ ସମତ। ଓଡ଼ିଶାର ନୂଆ ନିୟମରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ ଚୟନ ପ୍ରକ୍ରିୟା ଓପିଏସ୍‌ସି ଦ୍ବାରା କରାଯିବା ୟୁଜିସି ନିୟମ ଅନୁସାରେ ସମ୍ପୂର୍ଣ୍ଣ ବେଆଇନ୍ ଅଟେ।

ଓଡ଼ିଶାର ଏହି ନିୟମ କିପରି ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା‌ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହି ପ୍ରକାର ପରିସ୍ଥିତିରେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରସ୍ତୁତ କରିଥିବା ଆଇନ୍ ସୁପ୍ରିମକୋର୍ଟରେ ମଧ୍ୟ ଖାରଜ ହେବାର ନଜିର ରହିଛି। ରାଜ୍ୟ ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ବାରା ଗଠିତ ଯୁଗ୍ମ ଆକ୍ସନ୍ କମିଟି ଦ୍ବାରା କରାଯାଇଥିବା ସ‌ର୍ଭେ‌ରେ ଏହି ବିଲ୍‌ ବିରୋଧରେ ଦୃଢ଼ ମତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ରାଜ୍ୟ ସରକାରଙ୍କ ନିୟମର ଦୃଢ଼ ବିରୋଧାଚରଣ କରୁଛି। ପ୍ରଧାନମନ୍ତ୍ରୀ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ସ୍ବାୟତ୍ତତାକୁ ପ୍ରାଥମିକତା ଦେଉଥିବା ବେଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ପ୍ରଶାସନିକ ନିୟନ୍ତ୍ରଣରେ ରଖି ଏହାକୁ ସରକାରୀକରଣ କରିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର