ବରଗଡ଼/ପାଇକମାଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମଂଗଳବାର ଠାରୁ ତିନିଦିନିଆ ପ୍ରଚାର ଅଭିଯାନରେ ଓହ୍ଲାଇଛନ୍ତି। ପାଇକମାଲ ବ୍ଲକ ମାଣ୍ଡୋସିଲ, ଭେଙ୍ଗରାଜପୁର ଓ ବିଜାଡିହି ସମେତ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ସେ ମାରାଥନ ପ୍ରଚାର ସହ ନିର୍ବାଚନୀ ସଭା କରିଛନ୍ତି।

Advertisment

ପ୍ରଚାର ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟା‌େର୍ଗଟ କରିଛନ୍ତି। କୌଣସି ସ୍ଥାନରେ ନିର୍ବାଚନ ହେଲେ ମୁଖ୍ୟମନ୍ତ୍ରୀ 'ଏଠାକାର ଦାୟିତ୍ବ ମୁଁ ନେଉଛି' ବୋଲି କହିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ କେଉଁ ସ୍ଥାନର ଦାୟିତ୍ବ ନେ‌ଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି। ବିଧାନସଭାରେ ଧାମନଗରର ବିକାଶ କଥା ପଚାରିଲେ ମୁଖ୍ୟମନ୍ତ୍ରୀ ତଥ୍ୟ ସଂଗ୍ରହ କରାଯାଉଥିବା ଉତ୍ତର ଦେଉଛନ୍ତି। ବିଧାନସଭାରେ ଖୋଦ୍‌ ରାଷ୍ଟ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟରେ ଦୁଷ୍କର୍ମ ମାମଲା ୨୦୧୯ମସିହାରେ ୨୯୫୦ ଥିଲା ଏବଂ ୨୦୨୧ରେ ତାହା ୩୩୨୭ ହେଲା ବୋଲି ତଥ୍ୟ ରଖିଛନ୍ତି। ଏହା ନାରୀ ସଶକ୍ତୀକରଣର ଉଦାହରଣ କି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ଖୋଦ୍ ଗୃହମନ୍ତ୍ରୀ ଅଛନ୍ତି । ଏ କ'ଣ ନାରୀ ସଶକ୍ତୀକରଣର ଉଦାହରଣ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ। ୨୦୨୧-୨୨ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ମୋଟ ଋଣ ଭାର ୯୭ ହଜାର ୨୦୫ କୋଟି ୩ ଲକ୍ଷ ଟଙ୍କା ଅଛି । ମୁଣ୍ଡ ପିଛା ଋଣ ଭାରର ପରିମାଣ ୨୨ ହଜାର ୪୨ ଟଙ୍କା। ଏହା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ବୟାନ କରୁଛି ବୋଲି ଶ୍ରୀ ପ୍ରଧାନ ଆକ୍ଷେପ କରିଥିଲେ।   ବରଗଡ଼-ନୂଆପଡ଼ା ରେଳଲାଇନ୍‌ ପ୍ରକଳ୍ପ ଉପରେ ସେ କହିଲେ, ରାଜ୍ୟ ସରକାର ଆଜି ଜମି ଦେଲେ କାଲିଠୁ କେନ୍ଦ୍ର ସରକାର କାମ ଆରମ୍ଭ କରିବେ। ରାଜ୍ୟରେ ଚାଷୀ ଦେଖା ଦେଇଥିବା ଚା‌ଷୀ ସମସ୍ୟା ରାଜ୍ୟ ସରକାର ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା କାରଣରୁ ବୋଲି ସେ ଅଭିଯୋଗ କରିଥିଲେ।

ମୋଦୀ ସରକାର ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଧାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଏହି ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର ଏଠାରେ ଧାନ କ୍ୱିଣ୍ଟାଲ ପିଛା ଚାଷୀ ୧୨୦୦ରୁ ୧୩୦୦ ଟଙ୍କାରେ ବିକ୍ରି କରୁଛି।  ୨୦୧୬ ମସିହା ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ  ଚାଷୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ବୋନସ୍‌ ଘୋଷଣା କରିଥିଲେ ହେଁ ତାହା ରାଜ୍ୟର ଜଣେ ବି ଚାଷୀଙ୍କୁ ମିଳିପାରିନାହିଁ ବୋଲି କହିଥିଲେ। ଏହା ସହିତ ସେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ। ସଭାରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, କଳାହାଣ୍ତି ସାଂସଦ ବସନ୍ତ ପଣ୍ତା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ କୁସୁମ ଟେଟେ, ବିଧାୟକ ନାଉରୀ ନାୟକ, ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା  ବିଜେପି ସଭାପତି ଅଶ୍ବିନୀ ଷଡ଼ଂଙ୍ଗୀ,  ମାଣ୍ଡୋସିଲ ସରପଞ୍ଚ  ଓମ୍‌ପ୍ରକାଶ ନାୟକ, ଜିଲ୍ଲା ପରିଷଦ ସଭ୍ୟା ତ୍ରିପୁରା ବରିହା, ପ୍ରସନ୍ନ ପାଢ଼ୀ, ହୋମ ସିଂ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ପ୍ରଧାନ ମାଣ୍ଡୋସିଲଠାରେ ଜନସଭା କରି  ମିଠାପାଲି, ପାଇକମାଳ, ହିରାପୁର, ନୂଆଗାଁ, ଝାରମୁଣ୍ଡାରେ ରୋଡ୍‌ ସୋ’ ସହ ପଦଯାତ୍ରା କରିଥିଲେ। ପରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରି ମାଲଦା, ପଲସଦା ଓ ଖଇରାରେ ରୋଡ ସୋ’ କରି ବିଜାଡିହିଠାରେ ସାଧାରଣ ଜନସଭାରେ ଯୋଗ ଦେଇଥିଲେ।