ଆଶ୍ରିତଙ୍କ ପାଇଁ ଅଣ୍ଟା ଭିଡ଼ିଲେ ଧର୍ମେନ୍ଦ୍ର

ପୁରୀ/ପିପିଲି: ପିପିଲି ଓଡ଼ିଶାର ଏକ ଅଗ୍ରଣୀ ଅଞ୍ଚଳ। ସାଂସ୍କୃତିକ ଦୃଷ୍ଟିକୋଣରୁ ହେଉ କି ଚାଷବାସ, ସବୁଥିରେ ପିପିଲି ଓ ଡେଲାଙ୍ଗ ଆଗରେ ରହିଛି। ଏଠାକୁ ମହାତ୍ମାଗାନ୍ଧୀ ଆସିଥିଲେ। ଏଇଠି ସ୍ବାଧୀନତା ସଂଗ୍ରାମ ଉପରେ ଆଲୋଚନା ହୋଇଥିଲା। କିନ୍ତୁ ଦୁଃଖର ବିଷୟ ଦୀର୍ଘ ୪୦ ବର୍ଷ ହେବ ପିପିଲିରେ ହିଂସା ବଢ଼ିଛି। ହିଂସାକୁ ବନ୍ଦ କରିବାକୁ ପଡ଼ିବ। ଗରିବ ଲୋକଙ୍କର ବିକାଶ ପାଇଁ ଶାନ୍ତି ପ୍ରତିଷ୍ଠା କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିପିଲି ଓ ଡେଲାଙ୍ଗରେ ଶାନ୍ତି ପ୍ରତିଷ୍ଠା ତଥା ବିକାଶ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ୮ ଘଣ୍ଟାର ମାରାଥନ୍‌ ପ୍ରଚାରରେ ହଜାର ହଜାର କର୍ମୀ ଓ ନେତା ସାମିଲ ଦେଇଥିଲେ। ପ୍ରଚାର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ‘ପିପିଲି, ଡେଲାଙ୍ଗ, ବେରବୋଇ ଅଞ୍ଚଳରେ ମହାତ୍ମା ଗାନ୍ଧୀଙ୍କ ସହ କସ୍ତୁରବା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମହାଦେବ ଦେଶାଇ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ପ୍ରମୁଖ କ୍ୟାମ୍ପ କରି ସମାଜ ସୁଧାର କ୍ଷେତ୍ରରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ଏହିଠାରେ ସ୍ବାଧୀନତାର ମଞ୍ଜି ବୁଣିଥିଲେ। ବିଶ୍ୱବିଦିତ ଶ୍ରୀଜଗନ୍ନାଥ ଧାମ ପୁରୀ ଯିବା ପାଇଁ ପିପିଲି ବାଟ ଦେଇ ଯିବାକୁ ପଡ଼ିଥାଏ। ପିପିଲି ଆମ ସଂସ୍କୃତିର ମୁଖଶାଳା। ମୁଁ ଆଜି ଏହି ନିର୍ବାଚନ ଅବସରରେ ପିପିଲିର ସମ୍ମାନୀୟ ନାଗରିକମାନଙ୍କୁ ନିବେଦନ କରୁଛି, ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ପିପିଲି ଓ ଡେଲାଙ୍ଗରେ ଶାନ୍ତି ପାଇଁ ଭୋଟ୍‌ ଦିଅନ୍ତୁ। ଯେଉଁମାନେ ଫନି ଟଙ୍କାକୁ ଆତ୍ମସାତ ‌କଲେ, ନରେନ୍ଦ୍ର ମୋଦୀ ଦେଉଥିବା ଅଧିକାରକୁ ବାଟବଣା କଲେ, ଏଥର ପିପିଲି ଓ ଡେଲାଙ୍ଗବାସୀ ତାହାର ଉଚିତ ଜବାବ ଦେବେ‌।’

କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କ ସହ ନିର୍ବାଚନୀ ପ୍ରଚାର କରୁଥିବା ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର କହିଥିଲେ, ପିପିଲିବାସୀ ପରିବର୍ତ୍ତନ ଚାହୁଁଛନ୍ତି। ଏଥିପାଇଁ ଆଶ୍ରିତଙ୍କୁ ଜିତାଇବାକୁ ସେ ନିବେଦନ କରିଥିଲେ। ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ ନାୟକ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଏହି ପ୍ରଚାରରେ ସାମିଲ୍‌ ଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କୁ ଉତ୍ତରାଛକରୁ ପାଛୋଟି ନେଇଥିଲେ ବିଜେପି କର୍ମକର୍ତା। ଶ୍ରୀ ପ୍ରଧାନ ଭୁବନେଶ୍ବରରୁ କାର ଓ ବାଇକ୍‌ ରାଲି କରି ଆଜି ଦିନ ସାଢ଼େ ୧୦ଟାରେ ଉତ୍ତରାଛକରେ ପହଞ୍ଚିଥିଲେ। ସେଠାରୁ ପିପିଲି ଏନ୍‌ଏସି, ପିପିଲି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତ ସହ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିଥିଲେ। ଏଥିପାଇଁ ବିଭିନ୍ନ ସ୍ଥାନରେ ଶ୍ରୀ ପ୍ରଧାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶାଳ ଶୋଭାଯାତ୍ରା ସହକାରେ ଉତ୍ତରାଛକ, ଗୁଡ଼ିଆ ପୋଖରୀ, ଯଇଶପାଟଣା ଦେଇ ପିପିଲି ବଜାରରେ ନିର୍ବାଚନୀ ପ୍ରଚାର ‌କରିଥିଲେ। ଜଟଣୀ ଛକ, ଜଟଣୀ ରୋଡ୍‌, ଦାନଗୋହିରି, ହାଟସାହି, ବାଜପାୟୀ, ଦାଣ୍ଡମୁକୁନ୍ଦପୁର, କୁଳଶେଖରପାଟଣା, ମଙ୍ଗଳପୁର ଓ ତେଇସିପୁରରେ ନିର୍ବାଚନୀ ପ୍ରଚାର କରିଥିଲେ। ଗାଁଗାଁ ବୁଲି ଆଶ୍ରିତଙ୍କ ପାଇଁ ଭୋଟ୍‌ ନିବେଦନ କରିଥିଲେ। ଅପରାହ୍ଣରେ ଡେଲାଙ୍ଗରେ ପ୍ରଚାର ଜୋରଦାର କରିଥିଲେ। ପଟ୍ଟନାୟିକିଆ, ମୋହିନିମଠ, ପିଢ଼ାପାଟଣା, ଷ୍ଟେସନ୍‌ ବଜାର, ବେରବୋଇ, ହାଟ ଡେଲାଙ୍ଗ, କୁଆପଡ଼ା, କୁମୁଦଳା, ବାଟୋଲା, ମୋଟରି, ଗଣ୍ଡପଡ଼ା, ସଡ଼ାଙ୍ଗୋଇ, ପାଣିଦୋଳ, କଣ୍ଟି ହୋଇ ହରିରାଜପୁରରେ ନିର୍ବାଚନୀ ପ୍ରଚାର ଶେଷ କରିଥିଲେ।

ସମ୍ବନ୍ଧିତ ଖବର