ଭୁବନେଶ୍ୱର : ରବିବାର ଦିନ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରବେଳେ ବିରୋଧୀ ଶାଳୀନତା ରଖିବା ଦରକାର କହି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଭର୍ତ୍ସନା କରିଥିଲେ। ଏହାର ଜବାବ୍ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଶାସକ ଦଳର ନେତାଙ୍କ ଦ୍ୱାରା ଅନେକ ମହିଳା ନିର୍ଯାତିତ। ତେଣୁ ମୁଖ୍ୟମନ୍ତ୍ରୀ କେବଳ ବୁଢ଼ା ବାଘ ଭଳିଆ କଙ୍କଣ ଧରି ବସି କାନ୍ଦିଲେ ହେବ ନାହିଁ। ୨୩ ବର୍ଷର ଦୀର୍ଘ ଶାସନ ପରେ ବି ଶାସକ ଦଳ କେବଳ ଦିନରେ ଲଣ୍ଠନ ଦେଖାଉଛି। ଝାରସୁଗୁଡ଼ାରେ ବିଜେପି ପ୍ରତି ଜନସମର୍ଥନ ଏଠାରେ ପରିବର୍ତ୍ତନର ବଡ଼ ସଙ୍କେତ ଦେଉଛି।

Advertisment

ଏହାସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ବିଜେଡିର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ବେଳେ ବିଜେଡି ନେତ୍ରୀ ସଂଯୁକ୍ତା ମହାଲା କାନ୍ଦି କାନ୍ଦି ନିଜ ଦଳର ମନ୍ତ୍ରୀ ତାଙ୍କ ବିରୋଧରେ ଅତ୍ୟାଚାର କରିବା କଥା କହିଥିଲେ। ମମିତା ମେହେର ହତ୍ୟାର ଅଭିଯୁକ୍ତର ପୃଷ୍ଠପୋଷକ ନବୀନ ସରକାରରେ ମନ୍ତ୍ରୀ ଅଛନ୍ତି। ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାରେ ଶାସକ ଦଳର ମନ୍ତ୍ରୀ ସମ୍ପୃକ୍ତ ଥିଲେ। ଆଜି ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ବିଷୟରେ ମୁହଁ ଖୋଲିଥାନ୍ତେ। ହେଲେ ମୁଖ୍ୟମନ୍ତ୍ରୀ ଦୁଃଖ ଟିକେ ବି ପ୍ରକାଶ କଲେ ନାହିଁ। ଝାରସୁଗୁଡ଼ାରେ ନାବାଳକ ସମର୍ଥ ଅଗ୍ରୱାଲର ମୃତ୍ୟୁରେ ସମବେଦନା ଜଣାଇଲେ ନାହିଁ। ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ବାଟମାରଣା ହେଉଛି । କିରମିରା ଓ ଲାଇକେରା ବ୍ଲକକୁ ଆଇଟିଡିଏ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଭୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉନାହାନ୍ତି। ମୁଖ୍ୟମନ୍ତ୍ରୀ ନିୟନ୍ତ୍ରଣରେ ନାହାନ୍ତି। ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି। ଯେଉଁ ଜିଲ୍ଲାର ତ୍ୟାଗ ଯୋଗୁ ହୀରାକୁଦ ନିର୍ମାଣ ହେଲା ସେହି ଅଞ୍ଚଳ ଆଜି ଅଧିକ କ୍ଷତିଗ୍ରସ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।