ଖମାର : ଅନୁଗୁଳ ଜିଲ୍ଲାର ପାଳଲହଡ଼ା, ଖମାର ଓ କଣିହାଁ ଅଞ୍ଚଳ ଚଷା, ଚାଷୀ ଓ କୃଷି ଆଧାରିତ ଅଞ୍ଚଳ ହୋଇଥିଲେ ହେଁ ଏଠାରେ ଆଜି ବି ଜଳସେଚନର ସୁବିଧା ନାହିଁ। ରାଜ୍ୟରେ ୨୩ ବର୍ଷର ସ୍ଥିର ସରକାର ଥାଇ ବି ଅପାରଗ ଶାସନ କାରଣରୁ ଇଞ୍ଚେ ବି ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ହୋଇପାରିଲା ନାହିଁ। ରେଙ୍ଗାଲି ଡ୍ୟାମ୍, ସମଲ ବ୍ୟାରେଜ୍, ରେଙ୍ଗାଳି ବାମପାର୍ଶ୍ବ ଓ ଦକ୍ଷିଣ ପାର୍ଶ୍ବ କେନାଲ ଏବଂ ପ୍ରସ୍ତାବିତ ଦୁର୍ଗାପୁର କେନାଲ ଏହି ଅଞ୍ଚଳରେ ଅଛି। ସମାକୋଇ ନଦୀ ଉପରେ ଥିବା ଜଳସେଚନ ପ୍ରକଳ୍ପ ଆକାଶ କଇଁଆ, ଚିଲିକା ମାଛ ଭଳି ହୋଇ ରହିଅଛି। ଏହାକୁ କଣ ଶାସନ କୁହାଯାଏ ବୋଲି ଆଜି ଖମାରରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ଅବସରରେ ଖମାର ଓ ପାଳଲହଡ଼ାକୁ ଖୁବଶୀଘ୍ର ଟ୍ରେନ୍ ଚଳାଚଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି। ତାଳଚେର-ବିମଳାଗଡ଼ ରେଳଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଜମି ଯୋଗାଇବାରେ ଅବହେଳା କରୁଛନ୍ତି। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଧିମାଗତିରେ ଚାଲିଥିବା ବେଳେ ରେଳପଥ ନିର୍ମାଣ ବି ବିଳମ୍ବିତ ହେଉଛି। ଏହାସତ୍ତ୍ବେ ବି ଖୁବଶୀଘ୍ର ଖମାର-ପାଳଲହଡ଼ାକୁ ରେଳଗାଡ଼ି ଗଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଗତକାଲି ଭଳି ଆଜି ମଧ୍ୟ ପୁଣିଥରେ ସେ ଦୁର୍ନୀତି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାକୁ ଟାର୍ଗେଟ୍ କରିଛନ୍ତି। ଗତ ୬ ମାସରେ ତଳିଆ କର୍ମଚାରୀଙ୍କ ପାଖରୁ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବାବେଳେ ଏହା ପଛରେ ତୃତୀୟ ମହଲାର ପ୍ରୋତ୍ସାହନ ଥିବା ସେ କହିଛନ୍ତି। ତୃତୀୟ ମହଲାର କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ରାଜ୍ୟରେ ହରିଲୁଟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ ସହ ରେଳ ଭିତ୍ତିଭୂମିକୁ ମଜଭୁତ କରାଯିବା ସହ ସଡ଼କପଥକୁ ବିକଶିତ କରାଯାଇଛି । ଅନୁଗୁଳ-ସୁକିନ୍ଦା ରେଳପଥ ବିକାଶର ବାର୍ତ୍ତାବହ ବୋଲି ସେ ପ୍ରକାଶ କରିଥିଲେ। ଖମାର କଲେଜ ନିକଟ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ଦାଶ ଅଧ୍ୟକ୍ଷତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dharmendra-df.jpg)