ଓପେକ୍ ସେକ୍ରେଟାରି ଜେନେରାଲଙ୍କ ସହ ଧର୍ମେନ୍ଦ୍ରଙ୍କ ଉଚ୍ଚସ୍ତରୀୟ ବୈଠକ: ଅଶୋଧିତ ତୈଳ ଦର ସୀମିତ ରଖିବା ଉପରେ ଗୁରୁତ୍ବ

ଭୁବନେଶ୍ୱର : ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥିକ ଅଭିବୃଦ୍ଧି ଆକଳନ ଓ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ୱାନଗୁଡ଼ିକ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓପେକ୍ ସେକ୍ରେଟାରି ଜେନେରାଲ ମହମ୍ମଦ ସାନୁସୀ ବାର୍କିଣ୍ଡୋଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଏହି କାରଣରୁ ଖାଉଟି ଏବଂ ଆର୍ଥିକ କାରବାରର ପୁନରୁଦ୍ଧାର ଉପରେ ପ୍ରଭାବ ପଡ଼ୁଛି ବୋଲି କହିଥିଲେ। ଭାରତର ମୁଦ୍ରାସ୍ଫୀତି ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ମଧ୍ୟ ସେ କହିଥିଲେ। ପର୍ଯ୍ୟାୟକ୍ରମେ ତୈଳ ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ସେ ନିଜର ଅନୁରୋଧକୁ ପୁନର୍ବାର ଦୋହରାଇବା ସହ ଉଭୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ସ୍ୱାର୍ଥରେ ଅଶୋଧିତ ତୈଳର ମୂଲ୍ୟ ସୀମିତ ରଖିବା ଉପରେ ଜୋର ଦେଇଥିଲେ ।

ଶ୍ରୀ ପ୍ରଧାନ ଓପେକ ଦ୍ୱାରା ହୋଇଥିବା ଏକ ବିଶ୍ଳେଷଣ ଉପରେ ମତପ୍ରକାଶ କରି କରିଛନ୍ତି ଯେ, ଭାରତ ଆଗାମୀ ଦିନରେ ସାରା ବିଶ୍ବର ଉର୍ଜା ଚାହିଦା ଅଭିବୃଦ୍ଧିରେ ମୁଖ୍ୟ ସ୍ଥାନ ଗ୍ରହଣ କରିବ। ସାଉଦି ଆରବ ଏବଂ ୟୁଏଇ କୋଭିଡ ମହାମାରୀର ଦ୍ୱିତୀୟ ଲହରରେ ଭାରତକୁ ଆବଶ୍ୟକ ଔଷଧ, ଆଇଏସ୍ଓ କଣ୍ଟେନର୍, ଏଲ୍ଏମ୍ଓ ଓ ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମଜାତ ଦ୍ରବ୍ୟ ଯୋଗାଇ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ସେକ୍ରେଟାରି ଜେନେରାଲଙ୍କୁ କୃତଜ୍ଞତା ଜଣାଇଥି‌ଲେ। ୨୦୧୫ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ‘ଓପେକ୍ – ଇଣ୍ଡିଆ ଏନର୍ଜି ଡାଏଲଗ୍’ ଠାରୁ ଭାରତ ଏବଂ ଓପେକ ମଧ୍ୟରେ ବୈଷୟିକ ସମନ୍ୱୟ, ବିଶେଷଜ୍ଞ ପରାମର୍ଶ ଏବଂ ଅନ୍ୟାନ୍ୟ ସମନ୍ୱୟ ଆଦି ବୃଦ୍ଧି ହୋଇଛି ।

ସମ୍ବନ୍ଧିତ ଖବର