ଧର୍ମେନ୍ଦ୍ର-ଅମଲାତନ୍ତ୍ର ମୁହାଁମୁହିଁ

ଆଇଏଏସ୍‌ ଏ କେ ମୀନାଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ବିବାଦ , ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡ଼ିଶାର ଅମଲାତନ୍ତ୍ର ମୁହାଁମୁହିଁ ହୋଇଛନ୍ତି। ଗତକାଲି ଶ୍ରୀ ପ୍ରଧାନ ଜାତୀୟ ଡାଟା କେନ୍ଦ୍ର ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ ଆଇଏଏସ୍‌ ଅଫିସର୍‌ ଏ କେ ମୀନାଙ୍କ ନାମ ନେଇ କିଛି ମନ୍ତବ୍ୟ ଦେଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରିନି ଆଇଏଏସ୍‌ ସଂଘ। କେନ୍ଦ୍ର ମନ୍ତ୍ରୀ ନିଜ ଭାଷଣରେ ଜଣେ ବରିଷ୍ଠ ଅଧିକାରୀଙ୍କୁ କାହିଁକି ଟାର୍ଗେଟ୍‌ କଲେ ପ୍ରଶ୍ନ କରିଛି ସଂଘ। ଆଜି ଆଇଏଏସ୍‌ ସଂଘ ସମେତ ଓଏଏସ୍‌ ଓ ବିଭିନ୍ନ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିବାଦ ପତ୍ର ଦେଇଛନ୍ତି। ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଫଳରେ ଏହି ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କୁ ଛାଡ଼ି କୌଣସି କାମ କରି ହେବ ନାହିଁ। ଏହାର ଅର୍ଥ ନୁହେଁ ଯେ ସୋସିଆଲ୍‌ ମିଡିଆ ଓ ଡିଜିଟାଲ୍‌ ମିଡିଆରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କ ନାଁ ପୂରାଇ ଦିଆଯିବ। ମୀନା ସାହେବ ଏପରି କରନ୍ତୁ ନାହିଁ। ସଂଘୀୟ ବ୍ୟବସ୍ଥାରେ ତ ଆମେ ସହଯୋଗ କରୁଛୁ। ସେ ଆହୁରି ମଧ୍ୟ କହିଥିଲେ, ଏ କେ ମୀନା ଜଣେ ଦକ୍ଷ ଅଫିସର୍‌। ଇଲେକ୍ଟ୍ରୋନିକସ୍‌ ମ୍ୟାନୁଫାକ୍ଚରିଂ କ୍ଲଷ୍ଟର୍‌ ପାଇଁ ବିଭିନ୍ନ କମ୍ପାନି ସହ ଆଲୋଚନା କରି ସେ ଆଣିପାରିବେ। କିନ୍ତୁ ସେ କିଛି କରିପାରିବେନି। ତାଙ୍କୁ ସବୁ କାମ ପଚାରିକି କରିବାକୁ ପଡ଼ିବ। ମାନନୀୟଙ୍କ ସହ ଏ ନେଇ ସେ ଆଲୋଚନା କରନ୍ତୁ। ଯଦି ସେ ରାଜି ହେବେ, ତେବେ ମୁଁ ଓ ରବିଶଙ୍କରଜୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବୁ।

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ଅଫିସର୍‌ମାନେ। ଆଇଏଏସ୍‌ ଅଫିସର୍‌ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ଓଡ଼ିଶା ତଥା ଦେଶର ଅନ୍ୟ ରଜ୍ୟରେ ବରିଷ୍ଠ ରାଜନେତାଙ୍କ ଦ୍ୱାରା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍‌ କରାଯାଉଛି। ଏହା ଆଦୌ ଠିକ୍‌ ନୁହେଁ। ଜନସାଧାରଣଙ୍କ ଭଲ ପାଇଁ ତଥା ରାଜ୍ୟର ବିକାଶ ପାଇଁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠା ସହ ନିଜ ସାଧ୍ୟମତେ କାମ କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟପାଳିକା ମଧ୍ୟରେ କ୍ଷମତା ଆବଣ୍ଟନ କରାଯାଇଛି। ଏକ ପ୍ରଶାସନିକ ବିଧିବ୍ୟବସ୍ଥା ଭିତରେ ସମସ୍ତେ କାମ କରିବା ଆବଶ୍ୟକ। ଆଇଏଏସ୍‌ ସଂଘର ସମ୍ପାଦକ ବିଶାଲ ଦେବ ଗଣମାଧ୍ୟମକୁ କହିଥିଲେ, ଗତକାଲି ଆଇଟି ସଚିବ ଏ କେ ମୀନା ଜାତୀୟ ଡାଟା କେନ୍ଦ୍ରର ଉଦ୍‌ଘାଟନକୁ ନିମନ୍ତ୍ରଣ କ୍ରମେ ଯାଇଥଲେ। କିନ୍ତୁ ସେଠାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶ୍ରୀ ମୀନାଙ୍କୁ ଟାର୍ଗେଟ୍‌ କରିଥିଲେ। ବାରମ୍ବାର ତାଙ୍କ ନାମ ନେଇ ମନ୍ତବ୍ୟ ଦେଇଥିଲେ। ଏପରି ହେବା ଦ୍ୱାରା କାମ କରିବାର ବାତାବରଣ ନଷ୍ଟ ହେଉଛି ଓ ଅଧିକାରୀମାନେ ହତୋତ୍ସାହିତ ହୋଇପଡ଼ୁଛନ୍ତି। ସେହିପରି ଓଏଏସ୍‌ ସଂଘ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ସଂଘର ସମ୍ପାଦକ ସରୋଜ ସାମଲ କହିଛନ୍ତି, ଏକ ବିଧିବଦ୍ଧ ବ୍ୟବସ୍ଥାରେ ସରକାର ଚାଲେ। କାହାର ବ୍ୟକ୍ତିଗତ ଭାବେ ଇଚ୍ଛା ବା ଅନିଚ୍ଛାରେ ଜଣେ ବ୍ୟୁରୋକ୍ରାଟ କାର୍ଯ୍ୟ କରେନି। ତେଣୁ କେନ୍ଦ୍ର ମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟ ମନ୍ତ୍ରୀ, କେହି ବି କୌଣସି ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ କୁତ୍ସାରଟନା କରିପାରିବେ ନାହିଁ।

ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଉଥିଲା ବେଳେ ବାହାରେ ଏହାକୁ ନେଇ ରାଜନୈତିକ ତାତି ବି ଦେଖିବାକୁ ମିଳିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଅନେକ ଦିନ ହେଲା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସଦାଚରଣ କରିବା ସହ ଗାଳିଗୁଲଜ କରୁଛନ୍ତି। ଏହା ଆଦୌ ଗ୍ରହଣୀ ନୁହେଁ। ବିଜେଡି ଏହାକୁ ଦୃଢ଼ ନିନ୍ଦା କରୁଛି। କେନ୍ଦ୍ର ମନ୍ତ୍ରୀ ନିଜ ଆଚରଣର ସମୀକ୍ଷା କରନ୍ତୁ। ବିଜେପି ପକ୍ଷରୁ ଏହାର ଜବାବ୍‌ ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଅଯୌକ୍ତିକ ପ୍ରସଙ୍ଗରେ ଶାସକ ବିଜେଡି ଓ ସଚିବାଳୟର ତୃତୀୟ ମହଲାର ମିଳିତ ଉଦ୍ୟମରେ ମିଥ୍ୟା ଆରୋପ ଓ ଷଡ଼ଯନ୍ତ୍ରର ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଏଏସ୍‌ ଅଫିସର୍‌ଙ୍କୁ ଟାର୍ଗେଟ୍‌ କରି କିଛି କହି ନ ଥିଲେ। ବରଂ ରାଜ୍ୟର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାର ପ୍ରତିଶ୍ରୁତି ଦେବା ସହ ଏଥିରେ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଗଣତନ୍ତ୍ରରେ ରାଜନୀତି ଓ ପ୍ରଶାସନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ହୀନ କାର୍ଯ୍ୟ ଆରମ୍ଭ କରିଛି। ଏହା ଦ୍ୱାରା ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା ରହିଛି। ବିଜେଡି ଏପରି ହୀନ କାର୍ଯ୍ୟରୁ ବିରତ ରହିବାକୁ ବିଜେପି ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର